ଡେରାଡୁନ:ପାର୍ବଣ ଋତୁରେ ପୁଣିଥରେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଧମକ ଆସିଛି । ଉତ୍ତରାଖଣ୍ଡର ହରିଦ୍ବାର ଓ ଋଷିକେଶ ବ୍ୟତୀତ ଚାରିଧାମରେ ବୋମା ବିସ୍ଫୋରଣ ପାଇଁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ(Jaish e Mohammed) ଧମକ ଦେଇଛି । ହରିଦ୍ବାର ରେଳ ଷ୍ଟେସନରେ ଆତଙ୍କୀ ସଂଗଠନ ପକ୍ଷରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଏଥିରେ ଆସନ୍ତା ୨୫ ଓ ୨୭ ତାରିଖରେ ଉପରୋକ୍ତ ଧର୍ମସ୍ଥଳ ଗୁଡିକରେ ବୋମା ପକାଇ ଉଡାଇବାକୁ ଧମକ ଦିଆଯାଇଛି(Threat to bomb blast in Haridwar Rishikesh) ।
ସବୁଠୁ ବଡ କଥା ହେଲା, ଗତ ଅକ୍ଟୋବର ୧୦ ତାରିଖରୁ ପୋଲିସକୁ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲେ ହେଁ ଏ ପର୍ଯ୍ୟନ୍ତ ଏହାକୁ ଚପାଇ ରଖାଯାଇ ଥିଲା । ଏହି ଚିଠି ଘଟଣାରେ ଜିଆରପି ହରିଦ୍ବାର ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣ ଧମକ ମିଳିବାର ଏହା ପ୍ରଥମ ଘଟଣା ନୁହେଁ । ବିଗତ ୧୦ ବର୍ଷ ମଧ୍ୟରେ ପାର୍ବଣ ଋତୁ ଏବଂ ବଡ ବଡ ଉତ୍ସବ ସମୟରେ ହରିଦ୍ବାରରେ ବୋମା ଆଟାକ୍ ପାଇଁ ରେଳ ଷ୍ଟେସନକୁ ଏପରି ଅନେକ ଚିଠି ଆସିଛି ।