ଓଡିଶା

odisha

ଦେଶରେ ବଢୁଛି ରାଜ୍ୟପାଳ-ସରକାର ବିବାଦ: ବିଶ୍ୱଭୂଷଣଙ୍କ ପାଦ ଛୁଇଁଲେ ଜଗନ, ଚାରିଆଡେ ବାଃ ବାଃ

By

Published : Feb 22, 2023, 7:16 PM IST

ଏକାଧିକ ରାଜ୍ୟରେ ଜାରି ରହିଛି ରାଜ୍ୟପାଳ-ସରକାର ବିବାଦ । କ୍ଷୂର୍ଣ୍ଣ ହେଉଛି ସାମ୍ବିଧାନିକ ମର୍ଯ୍ୟାଦା । ଏପରି ସମୟରେ ବିଦାୟୀ ରାଜ୍ୟପାଳଙ୍କ ପାଦ ଛୁଇଁ ଚର୍ଚ୍ଚାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ । ଅଧିକ ପଢନ୍ତୁ

ବିଦାୟୀ ରାଜ୍ୟପାଳଙ୍କ ପାଦ ଛୁଇଁ ଚର୍ଚ୍ଚାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ
ବିଦାୟୀ ରାଜ୍ୟପାଳଙ୍କ ପାଦ ଛୁଇଁ ଚର୍ଚ୍ଚାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଦେଶରେ ଏବେ ଏକାଧିକ ରାଜ୍ୟରେ ରାଜ୍ୟପାଳ ଓ ନିର୍ବାଚିତ ସରକାରଙ୍କ ମଧ୍ୟରେ ଦେଖାଯାଉଥିବା ମତାନ୍ତର ପରବର୍ତ୍ତୀ ସମୟରେ ସାମ୍ବିଧାନିକ ସଙ୍କଟରେ ପରିଣତ ହୋଇଛି । ନିକଟ ଅତୀତରେ ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ପରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏପରି ଉଦାହରଣ ରହିଛି ଯାହା ଏକ ସାମ୍ବିଧାନିକ ଅପପରମ୍ପରା ସୃଷ୍ଟି କଲାଣି । ତେବେ ଏହାରି ମଧ୍ୟରେ ଆନ୍ଧ୍ରର ବିଦାୟୀ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବିଦାୟ ଦେବା ବେଳେ ବିମାନ ବନ୍ଦରରେ ପାଦ ଛୁଇଁ ପ୍ରଣାମ କରିଛନ୍ତି ରାଜ୍ୟର ଯୁବ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି । କେହି କେହି ଏହାକୁ ରାଜନୀତି ଠାରୁ ଉର୍ଦ୍ଧ୍ବରେ ରଖି ସଂସ୍କାର ସହ ଯୋଡି ଚର୍ଚ୍ଚା କରୁଛନ୍ତି ।

ନିକଟରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ଆଜି ସେ ଆନ୍ଧ୍ର ପ୍ରଦେଶ ଛାଡିବା ସମୟରେ ବିଜୟଓ୍ବାଡା ବିମାନ ବନ୍ଦରରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ସାଙ୍ଗରେ ପତ୍ନୀଙ୍କ ସମେତ ଅନ୍ୟ କିଛି ବରିଷ୍ଠ କ୍ୟାବିନେଟ ସହଯୋଗୀ ମଧ୍ୟ ଥିଲେ । ଏହି ସମୟରେ ସେ ବିଦାୟୀ ରାଜ୍ୟପାଳ ହରିଚନ୍ଦନଙ୍କ ପାଦ ସ୍ପର୍ଷ କରି ପ୍ରଣାମ କରିଥିଲେ । ହରିଚନ୍ଦନ ମଧ୍ୟ ଜଗନଙ୍କ ମଧ୍ୟ ପିଠି ଥାପୁଡାଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆକୁ ଆସିବା ପରେ ଜଗନଙ୍କୁ ବେଶ ପ୍ରଶଂସା କରାଯାଉଛି । ଏହା ଭାରତୀୟ ରାଜନୀତିରେ ସମ୍ମାନ, ସଂସ୍କାର ଓ ଅନୁଶାସନ ବୋଲି ମଧ୍ୟ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ମତ ଦେଇଛନ୍ତି ।

ତେବେ ଦେଶରେ ନିକଟରେ ଦେଖାଯାଇଥିବା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିବାଦ କାରଣରୁ ଏହି ଫଟୋଟି ବେଶି ଚର୍ଚ୍ଚାରେ ରହିଛି । ନିକଟରେ ଏକାଧିକ ରାଜ୍ୟରେ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ବିଭିନ୍ନ ନୀତିଗତ କାରଣରୁ ସାମ୍ବିଧାନିକ ସଙ୍କଟ ଲାଗିରହିଛି । ଯାହା ସାମ୍ବିଧାନିକ ଅଚଳାବସ୍ଥା ସୃଷ୍ଟି କରିବା ସହ ପଦ ମର୍ଯ୍ୟାଦା ମଧ୍ୟ କ୍ଷୂର୍ଣ୍ଣ କରୁଛି । ସମ୍ବିଧାନର ମହାନତା ଓ ମର୍ଯ୍ୟାଦା ମଧ୍ୟ କ୍ଷୂର୍ଣ୍ଣ ହେବା ସହ ସଙ୍ଘୀୟ ବ୍ୟବସ୍ଥାରେ ଏକ ଅପପରମ୍ପରା ସୃଷ୍ଟି ହେଉଛି ।

ବିଦାୟୀ ରାଜ୍ୟପାଳଙ୍କ ପାଦ ଛୁଇଁ ଚର୍ଚ୍ଚାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ମମତା-ଧନଖଡ ବିବାଦ:-ପଶ୍ଚିମବଙ୍ଗରେ ମମତା ସରକାର ଓ ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା । ଉଭୟ ପରସ୍ପର ବିରୋଧରେ ନାନା ଅଭିଯୋଗ କରିଥିଲେ । ରାଜ୍ୟପାଳଙ୍କୁ ମମତାଙ୍କ ଦଳୀୟ କର୍ମୀ ବିଜେପି ଏଜେଣ୍ଟ କହିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ କ୍ରମାଗତ ବିରୋଧ କରୁଥିଲେ । ରାଜଭବନ ଓ ସରକାରଙ୍କ ବିବାଦ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଥିଲା । ରାଜ୍ୟପାଳ ପକ୍ଷପାତିତା କରୁଥିବା ଅଭିଯୋଗରେ ତାଙ୍କୁ ହଟାଇବା ପାଇଁ ମମତା ଦିଲ୍ଲୀ ଦରବାରରେ ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ପରେ ଧନଖଡ ଉପରାଷ୍ଟ୍ରପତି ଭାବେ ନର୍ବାଚିତ ହୋଇ ବେଙ୍ଗଲ ଛାଡିବା ପରେ ସ୍ଥିତି ଶାନ୍ତ ପଡିଥିଲା ।

କେରଳରେ ରାଜ୍ୟପାଳ-ବିଜୟନ ସରକାର ବିବାଦ:-କେରଳରେ ମଧ୍ୟ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଓ ପିନାରାଏ ବିଜୟନ ସରକାରଙ୍କ ମଧ୍ୟରେ ବିବାଦ ଏବେ ମଧ୍ୟ ଲାଗି ରିହଛି । ରାଜ୍ୟର କିଛି ଆଗଧାଡିର ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି ମାମଲାରେ ଦୁର୍ନୀତି ହୋଇଥିବା ଦର୍ଶାଇ ରାଜ୍ୟପାଳ ସେସବୁ ଉପରେ ଅଙ୍କୁଶ ଲଗାଇବା ପରେ ଆରମ୍ଭ ହୋଇଥିଲା ବିବାଦ । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ଅବୈଧ କହିବା ସହ ନିଲମ୍ବିତ ହୋଇଥିବା କୁଳପତିମାନେ ମଧ୍ୟ ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ରାଜ୍ୟପାଳ ଖାନ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ଇସାରାରେ କାର୍ଯ୍ୟ କରୁଥିବା ବିଜୟନଙ୍କ ଦଳୀୟ କର୍ମୀ କହିଥିଲେ । ରାଜଭବନ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଥିଲା । ଏବେ ମଧ୍ୟ ଏହି ବିବାଦ ପ୍ରଶମିତ ହୋଇନାହିଁ ।

ତାମିଲନାଡୁରେ ମଧ୍ୟ ବିବାଦ:-ତାମିଲନାଡୁରେ ରାଜ୍ୟପାଳ ଆର.ଏନ ରବି ଓ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସରକାରଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ରାଜ୍ୟ ବିଧାନସଭାରେ ଅଭିଭାଷଣ ରଖିବା ବେଳେ ଏକ ପ୍ରସଙ୍ଗକୁ ନେଇ ସରକାରୀ ଦଳର ବିଧାୟକ ରାଜ୍ୟପାଳଙ୍କୁ ସମାଲୋଚନା କରିଥିଲେ । ସରକାରଙ୍କ ଦ୍ବାରା ପ୍ରସ୍ତୁତ ସମ୍ବୋଧନରେ ରାଜ୍ୟପାଳ ଦ୍ରାବିଡ ଶବ୍ଦ ଉଚ୍ଚାରଣ ନକରିବାରୁ ସେ କାଶ୍ମୀର ଚାଲି ଯାଆନ୍ତୁ ବୋଲି କହିଥିଲେ ଜଣେ ଡିଏମକେ ନେତା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ମାମଲା ଥାନାରେ ମଧ୍ୟ ପହଞ୍ଚିଥିଲା ।

ଦିଲ୍ଲୀରେ ଉପରାଜ୍ୟପାଳ-କେଜ୍ରିଓ୍ବାଲ ବିବାଦ :-ଜାତୀୟ ରାଜଧାନୀ ଦିଲ୍ଲୀରେ ଉପରାଜ୍ୟପାଳ ବିନୟ ସକ୍ସେନା ଓ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ମଧ୍ୟରେ ତୀବ୍ର ତିକ୍ତତା ଜାରି ରହିଛି । କେତେବେଳେ ଅବକାରୀ ନୀତି ଦୁର୍ନୀତି ତ, କେତେବେଳେ ଶିକ୍ଷକଙ୍କୁ ବିଦେଶରେ ପ୍ରଶିକ୍ଷଣ ପାଇଁ ପଠାଇବା ମାମଲାରେ ମୁହାଁମୁହିଁ ହୋଇଛନ୍ତି ରାଜଭବନ ଓ ନିର୍ବାଚିତ ସରକାର । ଉପରାଜ୍ୟପାଳ ତାଙ୍କ ଅଧିକାର ପରିସର ବାହାରେ ନିର୍ବାଚିତ ସରକାରଙ୍କ କାର୍ଯ୍ୟରେ ଉଦ୍ଦେଶ୍ୟମୂଳକ ଭାବେ ହସ୍ତକ୍ଷେପ କରିବା ସହ ସେଥିରେ ବାଧା ସୃଷ୍ଟି କରୁଥିବା ଆମ ଆଦମୀ ପାର୍ଟି କହିଆସୁଛି । ଏପରିକି ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବୈଠକ ମଧ୍ୟ ହୋଇପାରିନଥିଲା । ଦିଲ୍ଲୀ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ନିର୍ବାଚିତ ସରକାର ପୂର୍ଣ୍ଣ କ୍ଷମତାଗତ ସ୍ବାଧୀନତା ଉପଭୋଗ କରିପାରୁନାହିଁ । ଉପ ରାଜ୍ୟପାଳ କିଛି ସାମ୍ବିଧାନିକ କ୍ଷମତାର ଅଧିକାରୀ ରହିଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details