ଓଡିଶା

odisha

ସାଂସଦ ପଦ ରଦ୍ଦ ପରେ ରାହୁଲଙ୍କ ପ୍ରେସମିଟ, କହିଲେ ମୁଁ କ୍ଷମା ପ୍ରାର୍ଥନା କରିବି ନାହିଁ

By

Published : Mar 25, 2023, 4:54 PM IST

ମୋ ନାଁ ସାବରକର ନୁହେଁ, ମୁଁ ଜଣେ ଗାନ୍ଧୀ । ମୁଁ ଆଦୌ କ୍ଷମା ପ୍ରାର୍ଥନା କରିବି ନାହିଁ । ସାଂସଦ ପଦ ରଦ୍ଦ ପରେ ପ୍ରେସମିଟରେ ଏପରି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

Rahul Gandhi
Rahul Gandhi

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହେବାର ଦିନକ ପରେ ଶନିବାର ସେ ପ୍ରେସମିଟ କରି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ମୋ ନାଁ ସାବରକର ନୁହେଁ, ମୁଁ ଜଣେ ଗାନ୍ଧୀ, ମୁଁ ଆଦୌ କ୍ଷମା ପ୍ରାର୍ଥନା କରିବି ନାହିଁ ବୋଲି ଦୃଢତାର ସହ କହିଛନ୍ତି ରାହୁଲ । ସେ ସତ୍ୟ ଓ ଦେଶର ଗଣତନ୍ତ୍ର ସୁରକ୍ଷା ପାଇଁ ସବୁବେଳେ ଲଢେଇ କରିବେ । ଏହି କାର୍ଯ୍ୟ ଲାଗି ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ସେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ପ୍ରେସମିଟରେ କହିଛନ୍ତି ରାହୁଲ ।

ପ୍ରେସମିଟ ସମୟରେ ରାହୁଲଙ୍କୁ ଯେତେବେଳେ କ୍ଷମା ପ୍ରାର୍ଥନା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା, ସେତେବେଳେ ସେ କହିଥିଲେ, "ମୋ ନାଁ ସାବରକର ନୁହେଁ, ମୁଁ ଜଣେ ଗାନ୍ଧୀ । ମୁଁ କ୍ଷମା ପ୍ରାର୍ଥନା କରିବି ନାହିଁ । ମୋତେ ସଂସଦରୁ ସ୍ଥାୟୀ ଭାବେ ଅଯୋଗ୍ୟ ଘୋଷିତ କରିବା ପରେ ମଧ୍ୟ ମୁଁ ପ୍ରଶ୍ନ ପଚାରିବା ଜାରି ରଖିବି । ମୋତେ କୌଣସି ଫରକ ପଡିବ ନାହିଁ ଯେ ମୁଁ ସଂସଦ ଭିତରେ ଅଛି କି ବାହାରେ । ଆଦାନୀ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି ? ଏହି ପ୍ରଶ୍ନ ମୁଁ ପଚାରିବା ଜାରି ରଖିବି । ମୁଁ ମୋ କାମ ଜାରି ରଖିବି ।" ଏହାସହ ତାଙ୍କ ସାଂସଦ ପଦ ରଦ୍ଦ କରାଯାଇ ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଛି ବୋଲି କହିଛନ୍ତି ରାହୁଲ ।

ଏହା ବି ପଢନ୍ତୁ- ପଦ ହରାଇବା ପରେ ରାହୁଲଙ୍କ ପ୍ରେସମିଟ, କହିଲେ ସତ କହିବା ମୋ ଜୀବନର ତପସ୍ୟା

ମୋଦି ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ସୁରଟ ସେସନ କୋର୍ଟ ଗୁରୁବାର ଶୁଣାଣି କରିଥିଲେ । ରାହୁଲଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଏହି ରାୟ ଆସିବାର ଦିନକ ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦକୁ ରଦ୍ଦ କରାଯାଇଥିଲା । ଏନେଇ ଶୁକ୍ରବାର ଅପରାହ୍ନରେ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ଫଳରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୱାୟନାଡ଼ ସାଂସଦ ପଦକୁ ହରାଇଛନ୍ତି । ରାହୁଲଙ୍କ ସାଂସଦ ସଦସ୍ୟତା ରଦ୍ଦ ହେବା ପରେ ବିରୋଧୀ ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

କେନ୍ଦ୍ର ସରକାର ନିଜ କ୍ଷମତାକୁ ଉପଯୋଗ କରି ଗଣତନ୍ତ୍ରର ହତ୍ୟା କରିଛନ୍ତି । ମୋଦି ସରକାର ଏକଚ୍ଛତ୍ରବାଦ ଶାସନ କରୁଛନ୍ତି ବୋଲି ବିରୋଧୀମାନେ ମତ ପ୍ରକାଶ କରିଥିଲେ । ସେପଟେ ଏହାର ଜବାବ ରଖିଥିଲା ବିଜେପି । ଏହା କେବଳ ଆଇନଗତ ନିଷ୍ପତ୍ତି ବୋଲି କହିଥିଲା ଗୈରିକ ଦଳ । ଅନ୍ୟପଟେ ରାହୁଲଙ୍କ ସାଂସଦ ପଦ ରଦ୍ଦ ପରେ ଶୁକ୍ରବାର ସନ୍ଧ୍ୟାରେ ବସିଥିଲା AICC ବୈଠକ । ଏହି ବୈଠକରେ ଆଗକୁ ଆଇନଗତ ପଦକ୍ଷେପ କଣ ହେବ ସେ ନେଇ ଆଲୋଚନା ହୋଇଥିଲା । ଏଭଳି କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସ ଜନ ଆନ୍ଦୋଳନ କରିବା ସହିତ ଆଇନଗତ ଲଢେଇ ଜାରି ରଖିବ ବୋଲି କହିଥିଲା । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଓ ଶୀର୍ଷ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ABOUT THE AUTHOR

...view details