ଶ୍ରୀନଗର: ମଙ୍ଗଳବାର ରାତିରେ ଉତ୍ତର ଭାରତରେ ବଡ ଧରଣର ଭୂମିକମ୍ପ ହୋଇଥିଲା । ଶକ୍ତିଶାଳୀ ଭୂମିକମ୍ପରେ ପୁରା ଦୋହଲି ଯାଇଥିବା କାଶ୍ମୀର ଉପତ୍ୟାକା । ଠିକ୍ ଏତିକି ବେଳେ କାଶ୍ମୀର ଅନନ୍ତନାଗର ଗୋଟିଏ ହସ୍ପିଟାଲରେ ଜନ୍ମ ନେଇଥିଲା ଏକ ଶିଶୁ । ଭୂମିକମ୍ପ ସମୟରେ ହସ୍ପିଟାଲର ବିଲ୍ଡିଂ ସମେତ ମେଡିକାଲ ଯନ୍ତ୍ରପାତି ଦୋହଲି ଯାଉଥିବା ବେଳେ ହସ୍ପିଟାଲର ଡାକ୍ତରମାନେ ଶିଶୁ ଜନ୍ମ କରାଇଥିଲେ । ଶିଶୁର ଜନ୍ମ ଲୋୟର ସେଗମେଣ୍ଟ ସିଜରିଆନ ସେକ୍ସନ ମାଧ୍ୟମରେ ହୋଇଥିଲା । ଅନନ୍ତନାଗର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିଜ ଟ୍ବିଟରରେ ଏହି ପ୍ରସବ କାଳୀନ ଭିଡିଓ ସେୟାର କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସେ ଭିଡିଓକୁ ସେୟାର କରି ଲେଖିଛନ୍ତି, ଭୂମିକମ୍ପ ହେଉଥିବା ବେଳେ ଅନନ୍ତନାଗର ବିଜବେହାରା ଏସଡିଏଚ ହସ୍ପିଟାଲ ଡାକ୍ତର ଶିଶୁ ଜନ୍ମ କରାଉଛନ୍ତି । ସୁରୁଖୁରୁରେ ପ୍ରସବ ହୋଇଛି । ସବୁକିଛି ଠିକଠାକ୍ ହୋଇଥିବାରୁ ମୁଖ୍ୟ ଚିକିତ୍ସା ଅଧିକାରୀ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ଭିଡିଓରେ ଦେଖାଯାଇଛି, ଭୂକମ୍ପ ସମୟରେ ହସ୍ପିଟାଲ ଭିତରେ ଚିକିତ୍ସା ଉପକରଣଗୁଡିକ ଟଳମଳ ହେଉଛି । ହେଲେ ଏହାପ୍ରତି ଧ୍ୟାନ ନଦେଇ ଡାକ୍ତରମାନେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଭୂମିକମ୍ପର ଭୟ ମଧ୍ୟରେ ବି ସେମାନେ ଶିଶୁ ଜନ୍ମ କରାଉଛନ୍ତି ।