ଚଣ୍ଡିଗଡ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲରେ ଥିବା ଆତ୍ମଘୋଷିତ ବାବା ଗୁରମିତ ରାମ ରହିମକୁ ପୁଣିଥରେ ପାରୋଲ ମିଳିଛି । ଡେରା ସଚ୍ଚା ସଉଦାର ମୁଖ୍ୟ ରାମ ରହିମ ରୋହତକ ଜେଲରୁ ୩୦ ଦିନିଆ ପାରୋଲରେ ଯିବାକୁ ଅନୁମତି ପାଇଛି । ଏହି ପାରୋଲ ସମୟରେ ସେ ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଥିବା ବରନାବା ଆଶ୍ରମରେ ରହିବ । ଅନ୍ୟ କୌଣସି ସ୍ଥାନକୁ ଯିବାକୁ ହେଲେ ଜିଲ୍ଲା ପ୍ରଶାସନର ଅନୁମତି ଦେବାକୁ ପଡିବ । ଏହାପୂର୍ବରୁ ଗତ ଜାନୁୟାରୀରେ ତାକୁ ୪୦ ଦିନର ପାରୋଲ ମିଳିଥିଲା ।
ସିର୍ସା ସ୍ଥିତ ଆଶ୍ରମରେ ଦୁଇ ଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଆତ୍ମଘୋଷିତ ବାବା ଗୁରମିତ ରାମ ରହିମକୁ ୨୦ ବର୍ଷର ଜେଲଦଣ୍ଡ ଏବଂ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ଓ ଡେରା ପରିଚାଳକ ରଣଜିତ ସିଂହ ହତ୍ୟାକାଣ୍ଡରେ ଆଜୀବନ ଜେଲ୍ ସଜ୍ଜା ମିଳିଛି । ୨୦୧୭ ମସିହା ଅଗଷ୍ଟରୁ ସେ ରୋହତକର ସୁନାରିଆ ଜେଲରେ କଏଦ ଅଛି । ପୂର୍ବରୁ ଜାନୁଆରୀରେ ରାମ ରହିମ ପାରୋଲରେ ବାହାରକୁ ଆସିଥିଲା । ଏବେ ପୁଣି ପାରୋଲ ପାଇଁ ରୋହତକ ପ୍ରଶାସନକୁ ଅପିଲ କରିଥିଲା । ହରିୟାଣା ସରକାର ତାକୁ ୩୦ ଦିନ ପାଇଁ ପାରୋଲରେ ଯିବାକୁ ଅନୁମତି ଦେଇଛନ୍ତି । ତେବେ ଏହି ସମୟରେ ଜିଲ୍ଲା ପ୍ରଶାସନର ଅନୁମତି ବିନା ସେ ଅନ୍ୟ କୌଣସି ସ୍ଥାନକୁ ଯାଇପାରିବ ନାହିଁ ।