ହାଇଦ୍ରାବାଦ: ଦିଲ୍ଲୀରେ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିବାଦ ମଧ୍ୟରେ ଭିନ୍ନ ଏକ ସୂଚନା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି ଉପରାଜ୍ୟପାଳ ବିନୟ ସକ୍ସେନା । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ସହ ତାଙ୍କ ସରକାରର ମନ୍ତ୍ରୀ ଓ 10ଜଣ ବିଧାୟକ ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ଶୁକ୍ରବାର ଜାନୁଆରୀ (27 ତାରିଖ) ଅପରାହ୍ନ 4 ଟାରେ ଏହି ବୈଠକ ରାଜଭବନରେ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି ।
ଦିଲ୍ଲୀର ସରକାରୀ ଶିକ୍ଷକଙ୍କୁ ପ୍ରିଶକ୍ଷଣ ପାଇଁ ଫିନଲ୍ୟାଣ୍ଡ ପଠାଯିବା ନିଷ୍ପତ୍ତିକୁ ନେଇ ଉପରାଜ୍ୟପାଳ ବିନୟ ସକ୍ସେନା ଓ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମୁହାଁମୁହିଁ ହୋଇଥିଲେ । କେଜ୍ରିଓ୍ବାଲ ମଙ୍ଗଳବାର ରାଜଭବନର ଆୟୋଜିତ ଏକ ଔପଚାରିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୁଦ୍ଧା, ଏହି ବିବାଦ ଏବେ ସମ୍ପୂର୍ଣ୍ଣ ପ୍ରଶମିତ ହୋଇନାହିଁ । ଏହି ପ୍ରସଙ୍ଗରେ ବିବାଦ ଉପୁଜିବା ପରେ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ମଧ୍ୟ ସ୍ଥଗିତ ରହିଥିଲା । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମନ୍ତ୍ରୀ ଓ ସମସ୍ତ ଦଳୀୟ ବିଧାୟକଙ୍କ ସହ ଉପରାଜ୍ୟପାଳଙ୍କ ସହ ବୈଠକ ନେଇ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ଗ୍ରହଣ କରିନଥିଲା ରାଜଭବନ । କେବଳ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ହିଁ ଆଲୋଚନା ପାଇଁ ଆସନ୍ତୁ ବୋଲି ରାଜଭବନ ପକ୍ଷରୁ କୁହାଯିବା ପରେ ନିର୍ଦ୍ଦେଶକୁ କେଜ୍ରିଓ୍ବାଲ ଗ୍ରହଣ କରିନଥିଲେ । ଫଳରେ ବୈଠକ ହେବା ନେଇ ଅନିଶ୍ଚିତତା ଲାଗି ରହିଥିଲା ।