ନୂଆଦିଲ୍ଲୀ:ଆଜି ସଂସଦରେ ଉପସ୍ଥାପିତ ହୋଇଛି ବର୍ଷ ୨୦୨୨ ପାଇଁ ସାଧାରଣ ବଜେଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷ ୨୦୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି, ବିକାଶ ହିଁ ସରକାରଙ୍କ ପ୍ରାଥମିକତା ଅଟେ ।
ତେବେ ସବୁ ବଜେଟରେ କୃଷି କ୍ଷେତ୍ରକୁ ନେଇ ସାରା ଦେଶର ନଜର ରହିଥାଏ । ତେବେ ଚଳିତବର୍ଷ ବଜେଟରେ କୃଷକଙ୍କ ପାଇଁ ପୃଥକ ବ୍ୟବସ୍ଥା କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି, କୃଷକଙ୍କ ଆକାଉଣ୍ଟରରେ MSP (ସର୍ବନିମ୍ନ ସହାୟତା ମୂଲ୍ୟ) ବାବଦକୁ 2.37 ଲକ୍ଷ କୋଟି ଟଙ୍କା ସିଧାସଳଖ ଟ୍ରାନ୍ସଫର କରାଯିବ । ସେହିପରି ଚଳିତ ବର୍ଷ ୧ ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ ଲକ୍ଷ ମଧ୍ୟ ରଖାଯାଇଛି । କୃଷି କ୍ଷେତ୍ରର ମାନରେ ପରିବର୍ତ୍ତନ ଆଣିବା ପାଇଁ ସରକାର ବଜେଟରେ କିଛି ନୂଆ ବ୍ୟବସ୍ଥା ମଧ୍ୟ ହାତକୁ ନେଇଛନ୍ତି ।
ତେବେ ନଜର ପକାନ୍ତୁ ଚଳିତ ଥର କ‘ଣ ରହିଛି କୃଷି କ୍ଷେତ୍ର ପାଇଁ ବ୍ୟବସ୍ଥା:-
୧. ବର୍ଷ 2021-22 ରେ ରବି ଋତୁରେ ଓ ଖରିଫ ଋତୁରେ 163 ଲକ୍ଷ ଚାଷୀଙ୍କ ଠାରୁ 1208 ଲକ୍ଷ ମେଟ୍ରିକ ଟନ୍ ଗହମ ଏବଂ ଧାନ କିଣାଯିବା ନେଇ ଲକ୍ଷ ରଖାଯାଇଛି । ସହ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ 2.37 ଲକ୍ଷ କୋଟି ଟଙ୍କା ପ୍ରଦାନ କାରାଯିବାର ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ।
୨.ସାରା ଦେଶରେ ରସାୟନିକ ମୁକ୍ତ ଚାଷ ଉପରେ ପ୍ରାଥମିକତା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଗଙ୍ଗା ନଦୀ କୂଳରେ 5 କିଲୋମିଟରରେ ଅବଧି ପରିସରରେ ଥିବା କୃଷକଙ୍କ ଚାଷ ଜମିରେ ଏହି ଅଭିଯାନକୁ ଅଗ୍ରାଧିକାର ଭିତ୍ତିରେ ଆରମ୍ଭ କରାଯିବା ନେଇ ଯୋଜନା କରାଯାଇଛି ।
୩.ବର୍ଷ 2023 କୁ ଆନ୍ତର୍ଜାତୀୟ ମିଲେଟସ୍ ବର୍ଷ ଭାବରେ ଘୋଷଣା କରାଯାଇଛି । ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଫସଲ ଅମଳର ମୂଲ୍ୟ ଯୋଗ, ଘରୋଇ ଉପଯୋଗକୁ ବଢାଇବା ଏବଂ ବ୍ରାଣ୍ଡିଂ ମିଲେଟ ଉତ୍ପାଦ ପାଇଁ ସହାୟତା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ।
୪. ତୈଳବୀଜ ଆମଦାନୀ ଉପରେ ଆମର ନିର୍ଭରଶୀଳତା ହ୍ରାସ କରିବାକୁ ମଧ୍ୟ ଲକ୍ଷ ରଖାଯାଇଛି । ତୈଳବୀଜ ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ଏକ ଯୁକ୍ତିଯୁକ୍ତ ଏବଂ ବ୍ୟାପକ ଯୋଜନା କାର୍ଯ୍ୟକାରୀ ହେବ । ଯାହା ଫଳରେ ଆମଦାନୀ ଉପରେ ବିଦେଶୀ ନିର୍ଭରଶୀଳତା ହ୍ରାସ ପାଇବ ।