ଲକ୍ଷ୍ନୌ: ବିବାହ ପାଇଁ ମଣ୍ଡପ ପ୍ରସ୍ତୁତ ଥିଲା । ବରଯାତ୍ରୀଙ୍କ ସ୍ବାଗତ ମଧ୍ୟ ଧୁମଧାମରେ ହୋଇସାରିଥିଲା । ହେଲେ ହାତଗଣ୍ଠି ପଡ଼ିଲା ବେଳକୁ ଛୁ ମାରିଥିଲା କନ୍ୟା । ଯୁବତୀ ଜଣକ ମେକଅପ ନେବା ଲାଗି ନିଜ ବନ୍ଧୁମାନଙ୍କ ସହି ବ୍ୟୁଟିପାର୍ଲରରେ ପହଞ୍ଚିଥିଲେ । ହେଲେ ଏହାପରେ ଆଉ ଘରକୁ ଫେରିନଥିଲେ । ଗତ ୪ ଦିନ ଧରି ପରିବାର ଯୁବତୀଙ୍କୁ ଖୋଜୁଥିବା ବେଳେ ତାଙ୍କ ପତ୍ତା ମିଳିନାହିଁ । ଏ ନେଇ ପରିବାର ଥାନାର ଦ୍ବାରସ୍ଥ ହୋଇଛି । ଉତ୍ତରପ୍ରଦେଶ ମହାନଗର ଥାନା ଅଧୀନ ମହାନଗର ସେକ୍ଟର 'ଏ'ରେ ଘଟିଛି ଏପରି ଘଟଣା ।
ଏହି ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଝିଅର ବିବାହ ଗତ ୫ ତାରିଖରେ ହେବାର ଥିଲା । ବିବାହ ପାଇଁ ସମସ୍ତ ସାଜସଜ୍ଜା ସରିଥିଲା । ବିବାହ ଦିନ ମଣ୍ଡପ ନିକଟରେ ବରଯାତ୍ରୀ ମଧ୍ୟ ପହଞ୍ଚିଥିଲେ । ବିବାହ ପାଇଁ ସମ୍ପର୍କୀୟଙ୍କ ଭିଡ ମଧ୍ୟ ଜମିଥିଲା । ସମସ୍ତେ ବିବାହକୁ ନେଇ ଖୁସିଥିବା ବେଳେ ଏପଟେ ହୁଏତ ନାରାଜ ଥିଲେ ବିବାହ କରୁଥିବା ଯୁବତୀ । ସେ ବଧୂବେଶରେ ସଜେଇ ହେବା ଲାଗି ବ୍ୟୁଟିପାର୍ଲର ଯିବେ ବୋଲି କହି ନିଜ ବନ୍ଧୁମାନଙ୍କ ସହିତ ବାହାରକୁ ଯାଇଥିଲେ । ହେଲେ ଏପଟେ ଶୁଭ ମୁହୂର୍ତ୍ତି ଗଡ଼ି ସାରିଥିଲା । ହେଲେ ଯୁବତୀଙ୍କ ଦେଖାନଥିଲା ।