ନୂଆଦିଲ୍ଲୀ:ମୋଦି ସାଙ୍ଗିଆକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୁରଟ ସେସନ କୋର୍ଟ ପ୍ରଥମେ ଏହି ମାମଲାରେ ତାଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ଲୋକସଭା ସାଂସଦ ପଦକୁ ରଦ୍ଦ କରାଯାଇଛି । ସଦସ୍ୟତା ରଦ୍ଦ ପରେ ମୋଦି ସରକାର ଗଣତନ୍ତ୍ରକୁ ହତ୍ୟା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହା ଉପରେ ପାଲଟା ଜବାବ ରଖିଛି ବିଜେପି । ରାହୁଲ ଗାନ୍ଧୀ ଉଦ୍ଦେଶ୍ୟମୂଳକ ଭାବେ ପଛୁଆ ବର୍ଗଙ୍କୁ ଅପମାନିତ କରିଆସୁଛନ୍ତି । ତାଙ୍କ ପାଇଁ ଆଇନ ଅଲଗା ହେବ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବରିଷ୍ଠ ନେତା ରବି ଶଙ୍କର ।
ଏନେଇ ରବି ଶଙ୍କର ପ୍ରସାଦ କହିଛନ୍ତି, "ଆପଣଙ୍କ ନିକଟରେ ଅଧିକାର ରହିଛି ସମାଲୋଚନା କରିବାର, ମାତ୍ର ଗାଳି ଦେବା ବା ଅପମାନିତ କରିବାର ଅଧିକାର ନାହିଁ । ହେଲେ ରାହୁଲ ଗାନ୍ଧୀ ମୋଦି ସମ୍ପ୍ରଦାୟକୁ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିଛନ୍ତି । ଏହି ସତ୍ତ୍ବେ ସେ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ପ୍ରସ୍ତୁତ ନୁହେଁ । ରାହୁଲ ଗାନ୍ଧୀଙ୍କ ପୂର୍ବରୁ ୩୨ ଜଣଙ୍କ ସଦସ୍ୟତା ରଦ୍ଦ କରାଯାଇଛି । ତେବେ କଂଗ୍ରେସ ପାଇଁ କଣ ସ୍ବତନ୍ତ୍ର ଆଇନ ଗ୍ରହଣ କରାଯିବ ?" ବୋଲି ସେ ପ୍ରଶ୍ନ କରିଛନ୍ତି । ରାହୁଲ ଗାନ୍ଧୀ ୨୦୧୯ ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ରାଲିରେ ସମ୍ବୋଧିତ କରି କହିଥିଲେ ସମସ୍ତ ଚୋରଙ୍କ ସରନେମ ମୋଦି କାହିଁକି ? ଏହି ମାମଲାରେ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।