“ଉଇ ଦ ପିପୁଲ ଅଫ୍ ଇଣ୍ଡିଆ”, ଯେଉଁ ଗୋଷ୍ଠୀରେ ଆପଣ ବି ଅଛନ୍ତି, ଜାତୀୟ ଜନଗଣନା ରେଜିଷ୍ଟରକୁ ବର୍ଜନ କରିବାକୁ ଆହ୍ବାନ ଦେଇଛି । ସରକାର ଏହାକୁ ଏକ ନିୟମିତ କାର୍ଯ୍ୟଧାରା ବୋଲି କହୁଛନ୍ତି । ଦୟାକରି ଆପଣ ବିଶଦ ଭାବେ ବର୍ଣ୍ଣନାକରିବେ କି ?
ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଜାତୀୟ ଜନଗଣନା ରେଜିଷ୍ଟର- NPR- ବର୍ଜନ କରିବାକୁ ଆମେ ଆହ୍ବାନ ଦେଇଛୁ । ଏ ଆହ୍ବାନ କାହିଁକି ? କାରଣ ପରବର୍ତ୍ତୀ ସମୟରେ ଏକ ପ୍ରସ୍ତାବିତ ଜାତୀୟ ନାଗରିକ ରେଜିଷ୍ଟର ଆଣିବାକୁ ସରକାରଙ୍କ ଅନ୍ୟାୟପୂର୍ଣ୍ଣ ଏବଂ ବିଭାଜନକାରୀ ଯୋଜନାକୁ ପ୍ରତିହତ କରିବା ଲାଗି ଏହା ଏକମାତ୍ର ଉପାୟ । ସମସ୍ତ ନାଗରିକଙ୍କର ଏକ ତାଲିକା ରଖିବାକୁ ସରକାରଙ୍କ ଇଚ୍ଛାକୁ ଆମେ ବିରୋଧ କରୁନାହୁଁ । ଏମିତି ଏକ ତାଲିକା ଆଗରୁ ରହିଛି, ଯାହାକୁ ଭୋଟର ତାଲିକା ବୋଲି କୁହାଯାଉଛି । ଏହା ବାଦ୍, ଆଧାର କାର୍ଡ ଏବଂ ଖାଉଟି କାର୍ଡ ରହିଛି ଏବଂ ନାଗରିକତା ସଂପର୍କରେ ଜାଣିବାକୁ ଆହୁରି ଅନେକ ଉପାୟ ରହିଛି । କାହିଁକି କିଛିଟା ସରଳ ଭାବରେ କରାଯାଉନାହିଁ ? ଭୋଟର ତାଲିକାକୁ ଜାତୀୟ ନାଗରିକତା ରେଜିଷ୍ଟରର ଟିଠା ରୂପେ ଗ୍ରହଣ କରାଯାଉ । ଯେଉଁ ଲୋକମାନେ ବାଦ୍ ପଡ଼ିଛନ୍ତି ସେମାନଙ୍କୁ ପାଞ୍ଚ କି ଛଅ ମାସ ଭିତରେ ଆବେଦନ ଦାଖଲ କରିବାକୁ ଆମନ୍ତ୍ରଣ କରାଯାଉ । ସରକାର ଯଦି ଭାବୁଛନ୍ତି ସେଥିରେ କେହି ଭୁଲ ଲୋକ ଅଛନ୍ତି, ତେବେ ସେ ଆପତ୍ତି ଦାଖଲ କରିପାରିବେ । ତା ବଦଳରେ, ସରକାର ଏହାକୁ ସଂପୂର୍ଣ୍ଣ ନୂଆ ଭାବରେ କରିବା ଲାଗି ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହୁଁଛନ୍ତି । ଏହା କ’ଣ ଆବଶ୍ୟକ ? ଏବଂ ଯଦି ଦଲିଲ ଦସ୍ତାବିଜ ଭିତ୍ତିରେ ଏହା କରାଯାଏ ତେବେ ଏହା ପକ୍ଷପାତମୂଳକ ହେବ ନାହିଁ କି ? ପୂର୍ବରୁ ଆସାମରେ କାର୍ଯ୍ୟକାରୀ ହୋଇଥିବା ଅନୁରୂପ ଜାତୀୟ ନାଗରିକ ରେଜିଷ୍ଟରକୁ ଉଦାହରଣ ରୂପେ ନେଲେ, ଏହା ସଂପୂର୍ଣ୍ଣ ବିପର୍ଯ୍ୟୟକୁ ଡାକି ଆଣିବ ନାହିଁ କି । ଆମର ଧାରଣା ଯେଜାତୀୟ ଜନସଂଖ୍ୟା ରେଜିଷ୍ଟର ଏବଂ ଜାତୀୟ ନାଗରିକତା ରେଜିଷ୍ଟର ଆମ ସମାଜ ପ୍ରତି ତାହା ହିଁ କରିବ, ଯାହା ଆମଅର୍ଥନୀତି ପ୍ରତି ବିମୁଦ୍ରୀକରଣ କରିଥିଲା । ତେଣୁ ଆମେ ଏହାକୁ ବିରୋଧ କରୁଛୁ ।
ଆପଣ କାହିଁ କହିଆସୁଛନ୍ତି ଯେ NRC ଶାସକ ବିଜେପିର ଏକ ଗୁପ୍ତ କାର୍ଯ୍ୟସୂଚୀ ?
ବାସ୍ତବରେ, ବିଜେପିର କାର୍ଯ୍ୟସୂଚୀ ଗୋପନ ନୁହେଁ । ସୁପ୍ରିମ କୋର୍ଟଙ୍କ ତଦାରଖରେ ଆସାମରେ ହୋଇଥିବା ଜାତୀୟ ନାଗରିକତା ରେଜିଷ୍ଟର କାର୍ଯ୍ୟକ୍ରମ ବିଜେପିକୁ ଆଶାନୁରୂପ ଫଳ ଦେଇ ନଥିଲା । ସେମାନେ ଭାବିଥିଲେ ପ୍ରବାସୀ ମୁସଲମାନ ନାଗରିକମାନଙ୍କୁ ବାହାର କରିବା ଲାଗି ଏବଂ ହିନ୍ଦୁମାନଙ୍କୁ ରଖିବା ଲାଗି NRC ଏକ ଉପକରଣ ହେବ । ସ୍ପଷ୍ଟ ଭାବରେ ଏହା ହୋଇପାରି ନଥିଲା । କାରଣ ସର୍ବୋଚ୍ଚ ନ୍ୟାୟାଳୟ ଏହି କାର୍ଯ୍ୟକ୍ରମର ତଦାରଖ କରୁଥିଲେ । ଯେତେବେଳେ ଆସାମରେ NRC କାମ ସରିଗଲା, 19 ଲକ୍ଷ ବିଦେଶୀ ଥିବା ଜଣାପଡ଼ିଲା ଏବଂ ଏଥିରେ ସଂଖ୍ୟାଧିକ ହିନ୍ଦୁ ରହିଥିଲେ । ଏବେ. ଯେହେତୁ ଆସାମରେ ବଙ୍ଗାଳୀ ହିନ୍ଦୁମାନେ ହିଁ ବିଜେପିର ଭୋଟ୍ ବ୍ୟାଙ୍କ, ତେଣୁ ସେମାନେ ଏହି NRCକୁ ରଦ୍ଦ କରାଯାଉ ବୋଲି କହିଲେ । ଏଥର ସୁପ୍ରିମ କୋର୍ଟ ଆଉ ଆଗକୁ ତଦାରଖ କରୁ ନଥିବାରୁ ଏହାକୁ ଯେ କୌଣସି ଉପାୟରେ କରିବା ଲାଗି ସେମାନେ କହୁଛନ୍ତି । ଏବଂ ସେମାନେ ଏକ ନାଗରିକତା ସଂଶୋଧନ ଆଇନକୁ ବି ପାଖରେ ରଖିସାରିଛନ୍ତି, ଯେଉଁଥିରେ ହିନ୍ଦୁ ଓ ମୁସଲମାନଙ୍କୁ ଅଲଗା କରି ବିଚାର କରାଯାଉଛି । ଯଦି କେହି ହିନ୍ଦୁ ଧରାପଡ଼େ, ତେବେ ଆମେ ତାକୁ ନାଗରିକତା ସଂଶୋଧନ ଆଇନ (CAA) ବଳରେ ରଖିବୁ । ଏହା ହିଁ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଉପାୟ । କେବଳ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ କିଛି ଅଧିକ ହିନ୍ଦୁ ଭୋଟ୍ ପାଇବା ପାଇଁ ଆପଣ ସାରା ଦେଶର ନାଗରିକତା ପ୍ରସଙ୍ଗ ସହିତ ଖେଳ ଖେଳୁଛନ୍ତି ।
ତା’ହେଲେ କେଉଁମାନେ ଅସୁବିଧା ଭୋଗିବେ ?
ଦେଶରେ ପ୍ରତି ତିନି ଜଣରେ ଜଣେ ଲୋକ NRC ଦ୍ବାରା ପ୍ରଭାବିତ ହେବେ । ଏହା ସବୁ ଆଦିବାସୀ, ଦଳିତ ଓ ଗରିବ,ଯେଉଁମାନଙ୍କ ପାଖରେ ଦଲିଲ କି ଦସ୍ତାବିଜ ନାହିଁ, ସେମାନଙ୍କୁ ପ୍ରଭାବିତ କରିବ ଏବଂ ସମସ୍ତଙ୍କୁ ଖଣ୍ଡାଧାର ତଳେରହିବାକୁ ବାଧ୍ୟ କରିବ ।