ପାଟନା:ଗ୍ରୀଷ୍ମର ପ୍ରଭାବରେ ସାରା ଜଗତ ଡାକୁଛି ତ୍ରାହି ତ୍ରାହି । ସୂର୍ଯ୍ୟ ଦେବଙ୍କ ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଏହି କ୍ରମରେ ବିହାରରେ ମଧ୍ୟ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପରିଲିଖିତ ହେଉଛି(Heat in bihar) । ଲୋକଙ୍କ ବଞ୍ଚିବା ମଧ୍ୟ ମୁସକିଲ ହୋଇପଡିଲାଣି । ତାତିରୁ ରକ୍ଷା ପାଇବା ପାଇଁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି ଲୋକେ । ତେବେ ଧାର୍ମିକ ସହର ଗୟା କଥା କହିବାକୁ ଗଲେ ତାପମାତ୍ରା ପାଖାପାଖି ୩୭ ଡିଗ୍ରୀ ରହୁଛି (Gaya temperature) । ଏହି ସହରରେ ଅନେକ ମନ୍ଦିର ରହିବା ସହ ଅନେକ ଦେବିଦେବତା ପୂଜା ପାଉଛନ୍ତି । ଭଗବାନକୁ ଗ୍ରୀଷ୍ମର ଦାଉରୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଗୟାରେ ଏକ ଇସ୍କନ ମନ୍ଦିର ରହିଛି(ISKCON Temple Gaya) । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଏଠାରେ ଭଗବାନଙ୍କୁ ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପରୁ ରକ୍ଷା କରିବା ପାଇଁ ୨୪ ଘଣ୍ଟା ଏସି ଏବଂ ଫ୍ୟାନର ବ୍ୟବସ୍ଥା କରାଯାଇଛି ।
ଭଗବାନ କୃଷ୍ଣ, ରାଧା ଏବଂ ଅନ୍ୟ ଦେବତାମାନଙ୍କୁ ପ୍ରଚଣ୍ଡ ଉତ୍ତାପରୁ ରକ୍ଷା କରିବା ଏବଂ ସେମାନଙ୍କୁ ଶିତଳତା ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ମୁଖ୍ୟତଃ ଭଗବାନଙ୍କୁ ଚନ୍ଦନର ଲେପ ପ୍ରୟୋଗ କରାଯାଇଥାଏ । ଏହା ସହିତ ମନ୍ଦିରର ଗର୍ଭ ଗୃହରେ ଭଗବାନଙ୍କ ମୂର୍ତ୍ତି ଚାରିପାଖରେ ଅତ୍ୟାଧୁନିକ ଏସି ଲଗାଯାଇଛି । ଯାହା ଦେବୀଦେବତାଙ୍କୁ ଶୀତଳତା ପ୍ରଦାନ କରୁଛି । ମନ୍ଦିରରେ କୌଣସି ଭକ୍ତ ନଥିଲେ ମଧ୍ୟ ଭଗବାନଙ୍କ ନିମନ୍ତେ ୨୪ ଘଣ୍ଟିଆ ଏସି ଏବଂ ଫ୍ୟାନର ବ୍ୟବସ୍ଥା କରାଯାଉଛି ।
ସହରର ଗେୱାଲବିଗହା ମୋଡ ନିକଟରେ ଇସ୍କନ ମନ୍ଦିର ଅବସ୍ଥିତ । ଏଠାରେ ଭଗବାନଙ୍କୁ ଉତ୍ତାପରୁ ରକ୍ଷା କରିବା ପାଇଁ ଏକ ଏୟାର କଣ୍ଡିସନର ସୁବିଧା କରାଯାଇଛି ଏବଂ ସେହି ମନ୍ଦିରରେ ଅବସ୍ଥିତ ମାତା ତୁଲସିଙ୍କୁ ଉତ୍ତାପରୁ ମୁକ୍ତି ଦେବା ପାଇଁ ଜଳଦାନ କରାଯାଉଛି । ଏକ ପିତ୍ତଳ ନିର୍ମିତ ପାତ୍ର ଦ୍ବାରା ବୁନ୍ଦା ବୁନ୍ଦା ଜଳ ପକାଇ ଦେବୀଙ୍କୁ ଗ୍ରୀଷ୍ମ ଦାଉରୁ ରକ୍ଷା କରାଯାଉଛି ।