ଓଡିଶା

odisha

6.2 ତୀବ୍ରତାର ଭୂକମ୍ପରେ ଥରିଲା Taiwan, ନାହିଁ କ୍ଷୟକ୍ଷତିର ସୂଚନା

By

Published : Jan 3, 2022, 9:40 PM IST

ତାଇଓ୍ବାନର ପୂର୍ବାଞ୍ଚଳରେ ଶକ୍ତିଶାଳୀ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ 6.2 ତୀବ୍ରତା ରେକର୍ଡ । ନାହିଁ ମୃତାହତଙ୍କ ସୂଚନା । ଅଧିକ ପଢନ୍ତୁ

ତାଇଓ୍ବାନରରେ 6.2 ତୀବ୍ରତାର ଭୂକମ୍ପ
ତାଇଓ୍ବାନରରେ 6.2 ତୀବ୍ରତାର ଭୂକମ୍ପ

ତାଇପେଇ:ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତାଇଓ୍ବାନର ରାଜଧାନୀ ତାଇପେଇରେ ସମେତ ପୂର୍ବ ଉପକୂଳ । ଆଜି (ସୋମବାର) ସନ୍ଧ୍ୟାରେ ପୂର୍ବ ତାଇୱାନର ଉପକୂଳରେ 6.2 ତୀବ୍ରତାର ଭୂକମ୍ପର ଝଟକା ଅନୁଭୂତ ହୋଇଛି । କିନ୍ତୁ ବ୍ୟାପକ କ୍ଷୟକ୍ଷତି କିମ୍ବା ମୃତାହତ ହୋଇଥିବା ନେଇ କୌଣସି ତତ୍କାଳ ସୂଚନା ଆସି ନଥିବା ତାଇଓ୍ବାନ ସରକାର ସ୍ପଷ୍ଟ କରିଛନ୍ତି ।

6.2 ତୀବ୍ରତାର ଭୂକମ୍ପରେ ଥରିଲା ତାଇଓ୍ବାନ

ଅନ୍ୟପଟେ ଯୁକ୍ତରାଷ୍ଟ୍ରର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ( United States Geological Survey USGS)ର ଆକଳନ ଅନୁସାରେ,ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଉପକୂଳବର୍ତ୍ତୀ ସହର ହୁଆଲିଏନ୍‌ରୁ 64 କିଲୋମିଟର ଦୂର ପୂର୍ବ ସମୁଦ୍ରରେ ରହିଥିଲା । ଏହି ଭୂକମ୍ପ ସମୁଦ୍ରର ପ୍ରାୟ ୨୮ କିମି ବା ୧୭ ମାଇଲ ଗଭୀରତାରେ ସୃଷ୍ଟି ହୋଇଛି । ସେହିପରି ତାଇୱାନର ଅଗ୍ନିଶମ ସେବା କହିଛି ଯେ ପ୍ରାରମ୍ଭିକ ସୂଚନା ଅନୁସାରେ ସେପରି କିଛି ବିଶେଷ କ୍ଷୟକ୍ଷତି ନେଇ ସୂଚନା ଆସିନଥିବା ବେଳେ ଏକ ଅଟ୍ଟାଳିକାରେ ଲିଫ୍ଟରେ ଅଟକି ରହିଥିବା କିଛି ଲୋକଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି । ସେହିପରି ଦେଶର କୌଣସି ସ୍ଥାନରୁ ବ୍ୟାପକ ସମ୍ପତ୍ତି ନଷ୍ଟ କିମ୍ବା ଜୀବନହାନୀର ରିପୋର୍ଟ ହସ୍ତଗତ ହୋଇନାହିଁ ।

ଗୌଗଳିକ ଭାବେ ତାଇଓ୍ବାନ ଏକ ଦ୍ବୀପ ହୋଇଥିବା ବେଳେ ଦୁଇଟି tectonics Plate ମିଳନସ୍ଥଳରେ ଅବସ୍ଥିତ ଥିବାରୁ ଏଠାରେ ନିୟମିତ ଭାବରେ ଭୂକମ୍ପ ଅନୁଭୂତ ହୋଇଥାଏ । 6.2 ରୁ ଉର୍ଦ୍ଧ୍ବ ଏହି ତୀବ୍ରତାର କେତେକ ଭୂକମ୍ପ ପ୍ରଭୂତ କ୍ଷତି ଘଟାଇବାର ଆଶଙ୍କା ଥିବା ବିଶେଷଜ୍ଞ କହିଥିବା ବେଳେ ଏଥିରେ ସେପରି କିଛି କ୍ଷୟକ୍ଷତି ନହେବା ତାଇଓ୍ବାନବାସୀଙ୍କୁ ଆଶ୍ବସ୍ତ କରିଛି ।

ତାଇଓ୍ବାନରେ ଭୂକମ୍ପର ତାଣ୍ଡବ ଲୀଳା:-

ତାଇଓ୍ବାନରେ 2018 ମସିହାରେ 6.4 ତୀବ୍ରତାର ଏକ ଭୂକମ୍ପରେ ହୁଆଲିଏନ୍ ନାମକ ଏକ ପର୍ଯ୍ୟଟନ ସ୍ଥଳୀରେ ଅନୁଭୂତ ହୋଇଥିଲା । ଏଥିରେ 17 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 300 ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ବହୁ ଅଟ୍ଟାଳିକା ମଧ୍ୟ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସେହିପରି 1999 ମସିହା ସେପ୍ଟେମ୍ବରରେ 7.6 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ତାଇଓ୍ବାନରେ ତାଣ୍ଡବ ଲୀଳା ରଚିଥିଲା । ଏଥିରେ ଅତିକମରେ 2400 ତାଇଓ୍ବାନବାସୀ ପ୍ରାଣ ହରାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା ।

କେନ୍ଦ୍ରୀୟ ପାଣିପାଗ ବ୍ୟୁରୋର ଭୂକମ୍ପ କେନ୍ଦ୍ରର ମୁଖ୍ୟ ଚେନ୍ କୁଓ-ଚାଙ୍ଗ କହିଛନ୍ତି ଯେ ତାଇୱାନରେ ବର୍ଷକୁ ହାରାହାରି ୨.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୁଏ ଯାହା ୬.୦ କିମ୍ବା ତଦୁର୍ଦ୍ଧ୍ୱ ଅଟେ । ତେବେ ଗତବର୍ଷ (୨୦୨୧) ତାଇୱାନରେ 6.0 ତୀବ୍ରତାରୁ ଉର୍ଦ୍ଧ୍ବରେ ୫ଟି ଭୂକମ୍ପ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଆରମ୍ଭରୁ ପୁଣି ଭୂକମ୍ପର ଝଟକା ଅନୁଭବ କରିଛି ତାଇଓ୍ବାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details