କଣ୍ଟାମାଳରେ ରୋଚକ ରାଜନୀତି: ଶ୍ବଶୁରଙ୍କ ପ୍ରଚାର ପାଇଁ ମୈଦାନରେ ବୋହୂ - kantamal assembly constituency - KANTAMAL ASSEMBLY CONSTITUENCY
Published : May 16, 2024, 8:29 PM IST
ବୌଦ୍ଧ: କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ସରଗରମ ହୋଇଛି ପ୍ରଚାର ଅଭିଯାନ । ପ୍ରାର୍ଥୀମାନେ ନିଜ ସପକ୍ଷରେ ଜନମତ ସୃଷ୍ଟି ଉଦ୍ଦେଶ୍ୟରେ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ବିଜେପି ପ୍ରାର୍ଥୀଙ୍କ ବୋହୂ ଶ୍ବଶୁରଙ୍କ ପାଇଁ ଭୋଟ ଭିକ୍ଷା କରି ବେଶ୍ ଚର୍ଚ୍ଚାରେ ରହିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗଙ୍କ ବୋହୂ ରିତୁ ଡାଙ୍ଗ ପ୍ରଚାର ମୈଦାନରେ । ଏହି ନିର୍ବାଚନ ମଣ୍ଡଳୀ ଗଠନ ଠାରୁ ଏହା ବିଜେଡି ହାତରେ ରହିଛି । କଣ୍ଟାମାଳରେ ଗତ ଦୁଇ ଥର ବିଧାୟକ ମହୀଧର ରଣାଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ । କହ୍ନେଇ ଚରଣ ଜଣେ ଦକ୍ଷ ରାଜନେତା ତଥା ସଂଗଠନ ହୋଇଥିବା ବେଳେ ଗତ ନିର୍ବାଚନରେ ଅତି ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ।
ତେବେ ଚଳିତ ସାଧାରଣ ନିର୍ବାଚନରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହିଛି । କାରଣ ଶାସକ ବିଜେଡ଼ିର ଶହ ଶହ ନେତା ଓ କର୍ମୀ ବିଧାୟକ ମହୀଧର ରଣାଙ୍କୁ ଉପରେ ଆସ୍ଥା ତୁଟାଇ ବିଜେପି ଦଳରେ ଯୋଗଦେଇଛନ୍ତି । ଫଳରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ଅଧିକ ଶକ୍ତିଶାଳୀ ହେବା ସହିତ ବର୍ତ୍ତମାନ ପ୍ରଚାର ଅଭିଯାନରେ ମଧ୍ୟ ଆଗୁଆ ରହୁଥିବା ଚର୍ଚ୍ଚା ହେଉଛି । କହ୍ନେଇ ଚରଣ ଡାଙ୍ଗଙ୍କ ସପକ୍ଷରେ ଜନମତ ବୃଦ୍ଧି ପାଇବାରେ ଲାଗି ଥିବାବେଳେ ତାଙ୍କ ଶିକ୍ଷିତା ବୋହୁ ବର୍ତ୍ତମାନ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପହଞ୍ଚି ଶ୍ବଶୁରଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ବିଶେଷ ଭାବରେ ବୋହୂ ରିତୁ ମହିଳା ଓ ଯୁବ ବର୍ଗଙ୍କୁ ମୋଦି ଗ୍ୟାରେଣ୍ଟିର ବାର୍ତ୍ତା ନେଇ ନିଜ ଶ୍ବଶୁରଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ।
ଇଟିଭି ଭାରତ, ବୌଦ୍ଧ