ହାଇଦ୍ରାବାଦ:ହୋଣ୍ଡା ଆକ୍ଟିଭା ପରେ ବର୍ତ୍ତମାନ ହୋଣ୍ଡା ମୋଟରସାଇକେଲ୍ ଏହାର କମ୍ୟୁଟର ବାଇକ୍ ହୋଣ୍ଡା ଏସପି 125 (Honda SP 125)କୁ ମଧ୍ୟ ଅପଡେଟ୍ କରିଛି । ଆକ୍ଟିଭା ପରି ବାଇକକୁ OBD2B ନିର୍ଗମନ ନିୟମ ମାନିବା ପାଇଁ ଅପଡେଟ କରାଯାଇଛି ଏବଂ ମୋଟର ସାଇକେଲରେ ଅନ୍ୟାନ୍ୟ ସୂକ୍ଷ୍ମ ଅପଡେଟ ମଧ୍ୟ କରାଯାଇଛି । ନୂଆ ଅପଡେଟେଡ ବାଇକରେ କମ୍ପାନୀ କଣ ନୂଆ ଫିଚର ଆଣିଛି ଓ ଏହାର ଦାମ କେତେ ନିମ୍ନରେ ଜାଣିବା ।
କେଉଁ ଭାରିଏଣ୍ଟର କେତେ ଦାମ ?
କମ୍ପାନୀ 2025 ହୋଣ୍ଡା ଏସପି 125 ବାଇକକୁ ଅପଡେଟ କରିବା ପରେ ଏହାର ମୂଲ୍ୟ ସଂଶୋଧନ କରିଛି । ଏହାର ଡ୍ରମ୍ ବ୍ରେକ୍ ଭାରିଏଣ୍ଟର ମୂଲ୍ୟ 91,771 ଟଙ୍କା ଏବଂ ଡିସ୍କ ବ୍ରେକ୍ ଏଡିସନର ମୂଲ୍ୟ 1,00,284 ଟଙ୍କା (ଏକ୍ସ-ଶୋ'ରୁମ୍) ରଖାଯାଇଛି । ଡ୍ରମ୍ ବ୍ରେକ୍ ଭାରିଏଣ୍ଟ ପ୍ରାୟ 4,000 ଟଙ୍କା ମହଙ୍ଗା ହୋଇଥିବା ବେଳେ ଡିସ୍କ ବ୍ରେକ୍ ଭାରିଏଣ୍ଟ 8,816 ଟଙ୍କା ବଢିଛି ।
କଣ ହୋଇଛି ପରିବର୍ତ୍ତନ ?
ହୋଣ୍ଡା ମୋଟରସାଇକେଲ ଏହି ବାଇକର ଡିଜାଇନରେ ସାମାନ୍ୟ ପରିବର୍ତ୍ତନ ଆଣିଛି, ଯେଉଁଥିରେ ଆଗ ଏବଂ ପଛ ଭାଗ ପୂର୍ବାପେକ୍ଷା ଅଧିକ ସାର୍ପ ହୋଇଛି ଏବଂ ଏହାକୁ ଫୁଲ୍-ଏଲଇଡି ଲାଇଟ୍ ଯୋଗାଇ ଦିଆଯାଇଛି । ଏହା ସହିତ ବ୍ଲୁଟୁଥ୍ କନେକ୍ଟିଭିଟି ଏବଂ ହୋଣ୍ଡା ରୋଡ୍ ସିନ୍ ଆପ୍ ସୁସଙ୍ଗତତା ସହିତ 4.2-ଇଞ୍ଚ୍ TFT ସ୍କ୍ରିନ୍ ରହିଛି, ଯାହାକି ଟେକ୍ନୋଲୋଜି ଦୃଷ୍ଟିରୁ ଏହାକୁ ଆହୁରି ଉନ୍ନତ କରିଛି ।
ମୋଟରସାଇକେଲ ଆରୋହୀ ବର୍ତ୍ତମାନ ଏହି ସ୍କ୍ରିନରେ ଟର୍ଣ୍ଣ-ଟୁ-ନେଭିଗେସନର ଲାଭ ଉଠାଇ ପାରିବେ । ଏହା ବ୍ୟତୀତ USB ଟାଇପ୍-ସି ଚାର୍ଜିଂ ପୋର୍ଟ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ନୂଆ OBD2B ନିର୍ଗମନ ନିୟମ ଅନୁଯାୟୀ ଏହାର ଇଞ୍ଜିନରେ ହୋଇଥିବା ପରିବର୍ତ୍ତନ ସତ୍ତ୍ବେ ଏହା ଏକ 124cc, ଏୟାର-କୁଲ୍ଡ ଇଞ୍ଜିନ ବ୍ୟବହାର କରିଛି, ଯାହାକି 10.7bhp ଶକ୍ତି ଏବଂ 10.9Nm ଟର୍କ ପ୍ରଦାନ କରିଥାଏ ।
ଏହି ଇଞ୍ଜିନ ବିଷୟରେ କହିବାକୁ ଗଲେ ଏଥିରେ ଏକ 5-ସ୍ପିଡ୍ ଗିଅରବକ୍ସ ଯୋଡି ହୋଇଛି । ମୋଟର ସାଇକେଲର ହାର୍ଡୱେର୍ ପ୍ୟାକେଜରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ବାଇକ୍ 17 ଇଞ୍ଚ୍ ହ୍ବିଲ ବ୍ୟବହାର କରିଛି । ମୋଟର ସାଇକେଲର ଓଜନ 116 କିଲୋଗ୍ରାମ ଏବଂ ଇନ୍ଧନ ଟ୍ୟାଙ୍କର କ୍ଷମତା 11.2 ଲିଟର ରହିଛି । 2025 ହୋଣ୍ଡା ଏସପି 125 5ଟି ନୂଆ କଲର ଅପସନ ସହିତ ଆସିଛି - ପର୍ଲ ଇଗ୍ନିସ୍ ବ୍ଲାକ୍, ମ୍ୟାଟ୍ ଆକ୍ସିସ ଗ୍ରେ ମେଟାଲିକ୍, ପର୍ଲ ସାଇରନ୍ ବ୍ଲୁ, ଇମ୍ପେରିଆଲ୍ ରେଡ୍ ମେଟାଲିକ୍ ଏବଂ ମ୍ୟାଟ୍ ମାର୍ଭେଲ ବ୍ଲୁ ମେଟାଲିକ୍ ।