ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପୁନାମା ଗେଟ ରେଳ ଟ୍ରାକରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ । ମୃତକ ହେଲେ ସ୍ବରାଜ ବେହେରା । ଥାନା ବିବାଦକୁ ନେଇ ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ନହୋଇପାରି ପଡିରହିଛି । ଖବର ଲେଖାଯିବା ସୁଦ୍ଧା ପୋଲିସର ତଦନ୍ତ ଆରମ୍ଭ ପାରିନାହିଁ । ସେପଟେ ସ୍ବରାଜଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସାଙ୍ଗ ଅଭିଯୋଗ ଆଣିଛନ୍ତି ।
ରେଳଟ୍ରାକରୁ ମିଳିଲା ମୃତଦେହ:
ଆଜି ପୁନାମା ଗେଟ ରେଳ ଟ୍ରାକରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ମୃତକ ହେଲେ ଓଲଡ ଟାଉନ ଗୋଷାଗୋରେଶ୍ୱେର କୁଞ୍ଜ ପାଟଣାର ସ୍ୱରାଜ ବେହେରା । ନୂଆବର୍ଷରେ ଭୋଜି ଖାଇବାକୁ ଯାଇଥିଲେ । ଆଜି ସକାଳେ ରେଳଧାରଣାରୁ ତାଙ୍କ ମୃତଦେହ ମିଳିଛି ।
ଦ୍ବନ୍ଦ୍ବରୁ ବ୍ୟବଚ୍ଛେଦ ହୋଇପାରୁନି ମୃତଦେହ:
ରେଳଧାରଣାରୁ ମୃତଦେହ ମିଳିଥିବା ବେଳେ ଜିଆରପି ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଛି । ହେଲେ ମାମଲାଟି କେଉଁଠି ରୁଜୁ ହେବ ତାହାକୁ ନେଇ ଦେଖାଦେଇଛି ଦ୍ବନ୍ଦ୍ବ । ଏୟାରଫିଲଡ ଥାନା ଓ ଜିଆରପିକୁ ନେଇ ଦ୍ବନ୍ଦ୍ବ ଦେଖାଦେବାରୁ ଖବର ଲେଖାଯିବା ସୁଦ୍ଧା ବ୍ୟବଚ୍ଛେଦ ହୋଇପାରିନାହିଁ । ଫଳରେ କ୍ୟାପିଟାଲ ଥାନାରେ ପଡିରହିଛି ମୃତଦେହ । ଥାନା ଦ୍ୱନ୍ଦ୍ୱ ଓ ବିବାଦ ଭିତରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାରଲୋକେ ।
ସାଙ୍ଗ ଆଣିଲେ ହତ୍ୟା ଅଭିଯୋଗ:
ସ୍ବରାଜଙ୍କ ମୃତଦେହ ରେଳ ଧାରଣାରୁ ମିଳିବା ପରେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ବରାଜଙ୍କ ସାଙ୍ଗ ଓ ପରିବାର । ଏହାକୁ ହତ୍ୟା ବୋଲି ସେମାନେ ଅଭିଯୋଗ କରିଛନ୍ତି । ମୃତ ସ୍ବରାଜଙ୍କ ସାଙ୍ଗଙ୍କ ଅଭିଯୋଗ ଅନୁଯାୟୀ, ‘ରେଳ ଲାଇନରୁ ସ୍ୱରାଜଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ପିଠିରେ ଛାତିରେ ବିଭିନ୍ନ ପ୍ରକାର ଦାଗ ଦେଖିବାକୁ ମିଳିଛି । ଯାହାକି ଛୁରୀରେ କରାଯାଇଛି । ତାଙ୍କୁ କେହି ମାରିକି ସେଠାରେ ଫିଙ୍ଗିଦେଇଛି । କାରଣ ପାରିପାର୍ଶ୍ବିକ ସ୍ଥିତି ଓ ଶରୀରରେ ଟ୍ରେନ ଦୁର୍ଘଟଣାର କୌଣସି ଚିହ୍ନ ନାହିଁ । ତେଣୁ କେହି ତାଙ୍କୁ ମାରି ପିଙ୍ଗି ଦିଆଯାଇଛି ।’
ଭୋଜି କରିବାକୁ ଯାଇ ଫେରିଲେନି:
ଗତକାଲି ନୂଆବର୍ଷ ଥିବାରୁ ଭୋଜି ହେଉଥିବା କହି ଘରୁ ବାହାରିଥିଲେ ସ୍ବରାଜ । ହେଲେ ଆଉ ଫେରିନଥିଲେ । ଆଜି ତାଙ୍କ ମୃତଦେହ ରେଳଧାରଣାରୁ ମିଳିଛି । ତାଙ୍କୁ ହତ୍ୟା କରି ପିଙ୍ଗି ଦିଆଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି ।