ବରଗଡ଼: ଆଜିଠାରୁ ଦ୍ବାପର ଯୁଗକୁ ଫେରିଯିବ ବରଗଡ଼ । ମଥୁରାନଗରୀରେ ପୁଣି ଶୁଭିବ କଂସ ମହାରାଜାଙ୍କ ଅଟ୍ଟହାସ୍ୟ । ଆରମ୍ଭ ହେବ ୭୭ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ୧୧ ଦିନ ଧରି ଚାଲିବ କଂସର ରାଜୁତି । ଧନୁଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ବିଶ୍ଵ ଦରବାର ଓ ରଙ୍ଗମହଲର ସାଜସଜ୍ଜା କାମ ସମ୍ପୂର୍ଣ୍ଣ ହୋଇଛି । କଳାକାରଙ୍କ ଅଭ୍ୟାସ ମଧ୍ୟ ଶେଷ ହୋଇଯାଇଛି । ଆଜି ଠାରୁ ବରଗଡ଼ ପାଳଟିଯିବ ମଥୁରା ନଗରୀ, ଅମ୍ବାପାଲି ପାଲଟିଯିବ ଗୋପପୁର ଏବଂ ଚିର ପ୍ରବାହିତ ଜୀରାନଦୀ ପାଳଟିବ ଯମୁନା ନଦୀ । ଏହା ସହିତ ବରଗଡ଼ର ଆବାଳ ବୃଦ୍ଧ ବନୀତା ପାଲଟିଯିବେ ଏହି ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର ।
77th Bargarh Dhanu Yatra (ETV Bharat Odisha) ୭୭ତମ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା:
ଆଜି ଉଦ୍ଘାଟିତ ହେବ ୭୭ତମ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏନେଇ ସାରା ବରଗଡ଼ ସହର ଏବେ ଚଳଚଞ୍ଚଳ ହୋଇଉଠିଥିବା ବେଳେ ମଥୁରାଠାରୁ ଆରମ୍ଭ କରି ଗୋପପୁର ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇସାରିଛି । ବିଶ୍ଵ ଦରବାରର ଏହି ମହାମଞ୍ଚ ପାଇଁ କଳାକାରମାନେ ନିଜ ନିଜର ଅଭ୍ୟାସ ଶେଷ କରିଛନ୍ତି । ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ସାଜୁଥିବା କଂସ ମହାରାଜ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ବର ପ୍ରଧାନ ମଧ୍ୟ ନିଜର ଉଚ୍ଚ କୋଠିର ସଂଳାପ ସହିତ ସଂପୂର୍ଣ୍ଣ ପ୍ରସ୍ତୁତ କରିଛନ୍ତି । ସେହିପରି ଗୋପପୁରର ମୁଖ୍ୟ ଆକର୍ଷଣ କୃଷ୍ଣ, ବଳରାମ ଓ ରାଧା ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ହାତୀ, ଘୋଡା, ଓଟ ସହିତ ସମସ୍ତ କଳାକାର ପ୍ରସ୍ତୁତ ରହିରହିଛନ୍ତି ।
77th Bargarh Dhanu Yatra (ETV Bharat Odisha) ୧୧ ଦିନ କଂସ ରାଜୁତି:
ଅନ୍ୟପକ୍ଷରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆ ଠାରେ ଭିନ୍ନ ଭିନ୍ନ ଧରଣର ଝୁଲା ସହିତ ମୀନା ବଜାର ଓ ବ୍ୟବସାୟୀମାନେ ଆସି ପହଞ୍ଚିଛନ୍ତି । ଆଜିଠାରୁ ୧୧ ଦିନ ପର୍ଯ୍ୟନ୍ତ ବରଗଡରେ ଜିଲ୍ଲାପ୍ରଶାସନ ବଦଳରେ ଚାଲିବ ମହାରାଜା କଂସଙ୍କ ରାଜୁତି ଚାଲିବ । ବରଗଡ ହୋଇଯିବ ମହାରାଜା କଂସଙ୍କର ମଥୁରାନଗରୀ ଏବଂ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ବରଗଡ ସହରରେ ଜିଲ୍ଲାପାଳ କିମ୍ବା ପୋଲିସ ପ୍ରଶାସନର ନୁହେଁ ବରଂ ଏଠାରେ କଂସ ମହାରାଜାଙ୍କର ଆଦେଶ ଚାଲିବ । ସେହିପରି ଅମ୍ବାପାଲି ଗୋପପୁର ହୋଇଥିବାବେଳେ କୃଷ୍ଣ ଲୀଳାରେ ସମସ୍ତେ ହୋଇଯିବେ ବିଭୋର । ଏବେଠାରୁ ଆମ୍ବାପାଲି ବାସିନ୍ଦା ଭଗବାନ କୃଷ୍ଣଙ୍କୁ ପାଇବା ଅପେକ୍ଷାରେ ରହିଛନ୍ତି ଏବଂ ଅମ୍ବାପାଲିକୁ ଗୋପପୁର ପରି ସଜାଡି ଦେଇ ଖୁସିରେ ଧନୁଯାତ୍ରାର ଆରମ୍ଭକୁ ଅପେକ୍ଷା କରିଛନ୍ତି ।
77th Bargarh Dhanu Yatra (ETV Bharat Odisha)
ବରଗଡ଼ ପୋଲିସର ପ୍ରସ୍ତୁତି:
ସେପଟେ ପୋଲିସ ପ୍ରଶାସନ ମଧ୍ୟ ଧନୁଯାତ୍ରାକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଯାତ୍ରା ସମୟରେ ଯେପରି ଟ୍ରାଫିକ ସମସ୍ୟା ନହେବ ସେନେଇ ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୁତୟନ କରାଯିବା ସହିତ ବିଭିନ୍ନ ରାସ୍ତାକୁ ୱାନ ୱେ କରାଯାଇଛି । ଚୋରୀ ଡକାୟତି ସହିତ କିପରି ଅସାମାଜିକ କାର୍ଯ୍ୟକଳାପ ରୋକାଯାଇପାରିବ ସେନେଇ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବରଗଡ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ଚୋରମାନଙ୍କର ଗତିବିଧି ଲକ୍ଷ୍ୟ କରାଯିବ । ଯାତ୍ରା ସମୟରେ ଯେପରି ମହିଳାଙ୍କ ବେକରୁ ଚେନଲୁଟ ନହେବ ସେନେଇ ଅନେକ ମହିଳା ପୋଲିସମାନଙ୍କୁ ଯାତ୍ରା ଭିତରେ ନିୟୋଜିତ ସହିତ କିପରି ଲୁଟପାଟ ନହେବ ଏବଂ ଶାନ୍ତି ଶୃଙ୍ଖଳାର ସହିତ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ସମାପନ ହେବ ସେନେଇ ପୋଲିସ ବିଭାଗ ପୂର୍ବରୁ ଅଣ୍ଟା ଭିଡି ସାରିଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ବ୍ୟାପକ ଫୋର୍ସ ସହିତ ପୋଲିସ ଅଫିସରମାନଙ୍କୁ ମୁତୟନ କରାଯାଇଛି ।
ଏନେଇ ବରଗଡ଼ ଏସପି ପ୍ରହଲ୍ଲାଦ ସହାୟି ମୀନା କହିଛନ୍ତି, "ଧନୁଯାତ୍ରା ପାଇଁ ବରଗଡ଼ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ସବୁ ଜାଗାରେ ପୋଲିସ ମୁତୟନ କରାଯିବ । ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ଭଲରେ କରାଯାଇଛି । ସହରର ସବୁଠି ସିସିଟିଭି ଲାଗିଛି । ଶାନ୍ତିଶୃଙ୍ଖଳାରେ କିଭଳି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଶେଷ ହେବ ସେ ଉପରେ ଧ୍ୟାନ ଦିଆଯାଉଛି ।"
ଗୋଟିଏ ବର୍ଷର ଅପେକ୍ଷା ପରେ ପୁଣି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାକୁ ଉପଭୋଗ କରିବା ପାଇଁ ବରଗଡବାସୀ ଶୁଭ ମୁହୁର୍ତ୍ତକୁ ଅନାଇ ବସିଛନ୍ତି । ବିଗତ ବର୍ଷମାନଙ୍କରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ସରକାରୀ ଅନୁଦାନ ମାତ୍ର ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଚଳିତ ଥର କିନ୍ତୁ ନୂତନ ସରକାର ୧ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଯାହାଫଳରେ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉନ୍ନତ, ବ୍ୟାପକ, ଆକର୍ଷଣୀୟ ଏବଂ ଉଚ୍ଚ କୋଟିର ହେବାକୁ ଯାଉଛି । ଯାହାକୁନେଇ ଦର୍ଶକଙ୍କ ମଧ୍ୟରେ ଧନୁଯାତ୍ରାକୁ ନେଇ ଉତ୍ସାହ ବଢିଚାଲିଛି । ତେବେ ଆଜି ଅପରାହ୍ନରେ ସ୍ଥାନୀୟ ଗାନ୍ଧିଛକ ଠାରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସମଲେଇ ମନ୍ଦିର ପାଖରେ ପହଞ୍ଚିବ । ସେଠାରେ ପୂଜାର୍ଚ୍ଚନା କରାଯାଇ ହାଟପଦା ସ୍ଥିତ କଂସ ଦରବାର ପର୍ଯ୍ୟନ୍ତ ଶୋଭାଯାତ୍ରା ପହଞ୍ଚିବା ପରେ ସନ୍ଧ୍ୟା ୭ଟା ସମୟରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରର ଶୁଭାରମ୍ଭ ହେବ ।
ଇଟିଭି ଭାରତ, ବରଗଡ଼