ନୟାଗଡ: ଆସନ୍ତାବର୍ଷ (୨୦୨୫) ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ନୟାଗଡରୁ କାଠ ସଂଗ୍ରହ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । କାଠ ସଂଗ୍ରହ ପାଇଁ ଶ୍ରୀମନ୍ଦିରରୁ ପହଞ୍ଚିଛି ମହାପ୍ରଭୁଙ୍କ ଆଜ୍ଞାମାଳ । ପୁରୀରୁ ଯାଇଥିବା ଟିମ୍ ସ୍ଥାନୀୟ ‘ଡିଏଫଓ’ଙ୍କୁ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରଦାନ କରିଛନ୍ତି । ଜିଲ୍ଲା ବନ ବିଭାଗ ଏବେଠାରୁ କାଠ ଚିହ୍ନଟ ଓ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବ । ସରସ୍ବତୀ ପୂଜା ପୂର୍ବରୁ ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚାଯିବ ବୋଲି ‘ଡିଏଫଓ’ କ୍ଷମା ଷଡଙ୍ଗୀ କହିଛନ୍ତି । ଶ୍ରୀକ୍ଷେତ୍ର ପରମ୍ପରା ଅନୁସାରେ, ପ୍ରତିବର୍ଷ ଅକ୍ଷୟ ତୃତୀୟାଠାରୁ ରଥକାଠ ଅନୁକୂଳ ସହ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଆରମ୍ଭ ହୁଏ । ଏହା ପୂର୍ବରୁ ଆବଶ୍ୟକତା ଅନୁସାରେ ନୟାଗଡ ଜିଲ୍ଲାର ଦଶପଲ୍ଲା ଓ ପାର୍ଶ୍ବବର୍ତ୍ତୀ ଜଙ୍ଗଲରୁ ପୁରୀକୁ କାଠ ଯୋଗାଯାଏ ।
- ଶ୍ରୀମନ୍ଦିର ପ୍ରତିନିଧି ଟିମକୁ ସ୍ବାଗତ କଲେ ‘ଡିଏଫଓ’
ଗତକାଲି (ସୋମବାର) ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବଡମୂଳସ୍ଥିତ ବଡରାଉଳ ପୀଠରେ ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିଛି । ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦାର ରବି ଭୋଇ, ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତ୍ତା ରାକେଶ ରାୟ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଅଜ୍ଞାମାଳ, ମହାର୍ଘ ନେଇ ନୟାଗଡ଼ ଅଭିମୁଖେ ବାହାରିଥିଲେ । ଏହି ପ୍ରତିନିଧି ମଣ୍ଡଳୀ ଗତକାଲି (ସୋମବାର) ସଂଧ୍ୟାରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଆଜ୍ଞାମାଳ ପ୍ରଦାନ କରିଛନ୍ତି ।