ବାଲେଶ୍ବର:ସକାଳର ଜଳଖିଆ ହେଉ କିମ୍ବା ସନ୍ଧ୍ୟାର, ଓଡ଼ିଆ ଘରେ ମହକି ଉଠେ ପିଠା । ବାର ମାସର ତେର ପର୍ବରେ ପିଠାର ପସରା ପ୍ରାୟ ଓଡ଼ିଆଙ୍କ ଘରେ ଦେଖିବାକୁ ମିଳେ । ଓଡ଼ିଆ ଘରର ଏହି ପ୍ରିୟ ଖାଦ୍ୟ ଅତ୍ୟାଧୁନିକ ଯୁଗରେ ସାମାନ୍ୟ ବାସ୍ନା ହରାଇଥିବା ବେଳେ ଏହାକୁ ପୁଣି ଥରେ ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରିଛି ବାଲେଶ୍ୱରର ସାଂସ୍କୃତିକ ଅନୁଷ୍ଠାନ 'ସ୍ନୋ ଫେଷ୍ଟ'। ବାଲେଶ୍ୱର ସହରର ଗାନ୍ଧିସ୍ମୃତି ଭବନ ପରିସରରେ ଓଡ଼ିଆ ଘରର ପିଠାକୁ ନେଇ ଆୟୋଜନ କରାଯାଇଥିଲା ପିଠା ପ୍ରତିଯୋଗିତା ଓ ପ୍ରଦର୍ଶନୀ । ଓଡ଼ିଆ ଘରର ପିଠାର ମହକ ମହକି ଉଠିଥିଲା ପୁରା ସହରରେ ।
ବାଲେଶ୍ବରରେ ପିଠା ପ୍ରଦର୍ଶନୀ:
ବାଲେଶ୍ୱର ସହର ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ 20ରୁ ଅଧିକ ପ୍ରତିଯୋଗୀ ପିଠାର ପସରା ଆଣିଥିଲେ । ପିଠା ପ୍ରଦର୍ଶନୀ ଦେଖିବା ସହ ଏଥିରେ ସାମିଲ ହୋଇଥିବା ଲୋକମାନେ ପିଠା ଖାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପ୍ରାୟ 200ରୁ ଉର୍ଦ୍ଧ୍ଵ ପ୍ରକାରର ପିଠା ଏଥିରେ ସାମିଲ ହୋଇଥିବା ବେଳେ ମହିଳାମାନେ ନିଜ ହାତ ତିଆରି ପିଠାରେ ସମସ୍ତଙ୍କୁ ବାନ୍ଧି ପାରିଥିଲେ ।ତେବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସମେତ ଅନେକ ମହିଳା ଘରୁ ପିଠା ତିଆରି କରି ଆଣି ପ୍ରଦର୍ଶନ କରିଥିଲେ । ଚନ୍ଦ୍ରକାନ୍ତି ପିଠା, ବୋଇତାଳୁ ପିଠା, ଆରିସା, କାକରା, ମୁଗପୁର ପିଠା ଭଳି ଅନେକ ଆକର୍ଷଣୀୟ ଓ ସୁସ୍ୱାଦୁ ପିଠା ପ୍ରଦର୍ଶିତ ହୋଇଥିଲା ।
ଏମିତି କହିଲେ ଆୟୋଜକ:
ପିଠା ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ ହେଲା ପିଠାର ମହକ ସବୁସ୍ତରରେ ପହଞ୍ଚାଇବା ।ଏନେଇ 'ସ୍ନୋ ଫେଷ୍ଟ' ଅନୁଷ୍ଠାନର ସଭାପତି ଶୁଭମ ସାଇ ମହାପାତ୍ର କହିଛନ୍ତି," ଓଡ଼ିଆ ସଂସ୍କୃତି, ଓଡ଼ିଆ ପିଠାକୁ ଆଗେଇ ନେବା ପାଇଁ ଏହା ଏକ ପ୍ରୟାସ । ଦୁଇ ବର୍ଷ ହେଲା ଆମେ ପିଠା କାର୍ଯ୍ୟକ୍ରମ କରୁଛୁ । ମାଆ ମାନେ ବହୁ ସଂଖ୍ୟାରେ ଭାଗ ନେଇଛନ୍ତି । ଓଡ଼ିଆ ପରମ୍ପରା ପିଠା ଯେଉଁ ପିଲାମାନେ ଭୁଲି ଯାଉଛନ୍ତି , ସେମାନେ କେମିତି ଆଉଥରେ ପିଠାକୁ ଭଲ ପାଇବେ ସେଇଥି ପାଇଁ ଆମର ଏହି ପ୍ରୟାସ । ଗତଥର ଆମର ଦୁଇ ଶହରୁ ଊର୍ଦ୍ଧ୍ଵ ପ୍ରକାର ପିଠା ଆସିଥିଲା । ଏଥର ମଧ୍ୟ ୨ଶହରୁ ଊର୍ଦ୍ଧ୍ଵ ପିଠା ଆସିଛି । ଏତେ ପ୍ରକାର ଓଡ଼ିଆ ପିଠା ଥିଲା ବୋଲି ଆମେ କେବେ ଜାଣିନଥିଲୁ । କିପରି ଅଧିକ ମହିଳା ଆଗାମୀ ଦିନରେ ପ୍ରତିଯୋଗିତାରେ ଭାଗ ନେବେ ତାହା ଆମେ ଚେଷ୍ଟା କରୁଛୁ । ପିଠା ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ ହେଲା ପିଠାର ମହକ ସବୁସ୍ତରରେ ପହଞ୍ଚାଇବା ।"