ଭୁବନେଶ୍ବର:ରାଜ୍ୟରୁ ଉଭାନ ଶୀତ । ସେପଟେ ପିଛା ଛାଡୁନି ବର୍ଷା । ଡିସେମ୍ବର ମାସ ୮ ତାରିଖ ହେଲାଣି କିନ୍ତୁ ଚଳିତ ବର୍ଷ ଅଧିକ ଶୀତ ନାହିଁ । ସବୁ ବର୍ଷ ଏହି ସମୟରେ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହୋଇଥାଏ । କିନ୍ତୁ ବଙ୍ଗୋପସାଗରରେ ବାରମ୍ବାର ସିଷ୍ଟମ ପାଇଁ ଏ ବର୍ଷ ହାଡଭଙ୍ଗା ଜାଡ ନଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ସେପଟେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି ।
୨ ରୁ ୪ ଡିଗ୍ରୀ କମିବ ତାପମାତ୍ରା:
Odisha weather update (ETV Bharat Odisha) ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ସ୍ବାଭାବିକ ତୁଳନାରେ ୨ ରୁ ୩ ଡିଗ୍ରୀ ଉପରେ ରହୁଛି ପାରଦ । ସେପଟେ ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଦୁଇ ଦିନ ପରେ ସର୍ବାଧିକ ତାପମାତ୍ରାରେ ହ୍ରାସ ଘଟିବ । ବିଶେଷ କରି ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । କିନ୍ତୁ ଶୀତ ଅଧିକ ହେବନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
କୁହୁଡି ପାଇଁ ସତର୍କତା:
Odisha weather update (IMD) ଆଜି ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଆସନ୍ତାକାଲି (୯ ତାରିଖରେ) ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା ଜିଲ୍ଲା ଗୁଡ଼ିକରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆସନ୍ତା ୨୪ ଘଣ୍ଟାରେ ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡା ଓ କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି । ଯାହାକୁ ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଏହା ବି ପଢନ୍ତୁ...ଫସଲ ଉଜାଡି ଦେଲା ଅଦିନିଆ ବର୍ଷା, ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ
ଏହା ବି ପଢନ୍ତୁ...୨୪ ଘଣ୍ଟାରେ ୧୨ ଜିଲ୍ଲାରେ ବର୍ଷା, ଡିସେମ୍ବରରେ ଓଡ଼ିଶାରୁ ଶୀତ ଉଭାନ
ସର୍ବନିମ୍ନ ତାପମାତ୍ରା:
Odisha weather update (IMD) ଗତ ୨୪ ଘଣ୍ଟାରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ ରେକର୍ଡ କରାଯାଇଛି । ପାହାଡିଆ ଅଞ୍ଚଳରେ ଜି. ଉଦୟଗିରିରେ ୧୩.୪ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୨୧. ୬ ଓ କଟକରେ ୧୯.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କିଛି କିଛି ସ୍ଥାନରେ ବର୍ଷା ହୋଇଥିବାବେଳେ ଗତ ୨୪ ଘଣ୍ଟାରେ କୋରାପୁଟ କୋଟପାଡ଼ରେ ୧୯ ମିମି ବର୍ଷା ରେକର୍ଡ ହୋଇଛି କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର