ଭୁବନେଶ୍ବର: ‘ଆମ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ ଏହା ଏକ ପ୍ରତିବଦ୍ଧତା । ରାଜ୍ୟର ମହିଳାଙ୍କ ଆଶା, ଆକାଂକ୍ଷା ପୂରଣ କରିବା ପାଇଁ ନୂତନ ସରକାର ଦାୟିତ୍ବ ନେବାର ଏକ ଘଣ୍ଟା ମଧ୍ୟରେ ସୁଭଦ୍ରା ଯୋଜନା ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରାଯାଇଛି ।’ ଆଜି ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭରେ ମହିଳାଙ୍କୁ ନେଇ ସ୍ବତନ୍ତ୍ର ଅଧିବେଶନ ସୁଭଦ୍ରାରୁ ମୁଦ୍ରା ଅବସରରେ ସେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଓଡ଼ିଶା ହେଉଛି ସୁଯୋଗର ଭୂମି:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ 1 କୋଟି 7 ଲକ୍ଷ ଯୋଗ୍ୟ ହିତାଧିକାରୀ ପଞ୍ଜୀକରଣ କରିଛନ୍ତି । ଅଦ୍ୟାବଧି 80 ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟ କିସ୍ତି ପ୍ରଦାନ କରାଯାଇଛି । ଓଡ଼ିଶା ହେଉଛି ସୁଯୋଗର ଭୂମି । ଆଜି ଆମେ ଓଡ଼ିଶାକୁ ମା'ଙ୍କ ପାଇଁ ଏକ ସୁଯୋଗର ଭୂମି କରିବା ପାଇଁ ଏହି ଯୁଗାନ୍ତକାରୀ ଉଦ୍ୟମ ଆରମ୍ଭ କରିଛୁ । ସୁଭଦ୍ରା ଯୋଜନାରେ ଦିଆଯାଉଥିବା ସହାୟତାକୁ ବିନିଯୋଗ କରି ମା’ ମାନେ ଛୋଟ ଛୋଟ ବ୍ୟବସାୟ କରୁଛନ୍ତି । ସଫଳ ଉଦ୍ୟୋଗୀ ହେବା ପାଇଁ ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ କରିବା ପାଇଁ ସେ ମା'ଙ୍କୁ ଆହ୍ବାନ ଦେଇଛନ୍ତି ।
ମହିଳାଙ୍କୁ ଆଧୁନିକ ପ୍ରଣାଳୀରେ ବ୍ୟବସାୟ ଶିଖାଇବା ପାଇଁ ଉଦ୍ୟମ ଆରମ୍ଭ:
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆଜିର ବ୍ୟବସାୟିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ମା'ଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କୁ ଆଧୁନିକ ପ୍ରଣାଳୀରେ ବ୍ୟବସାୟ କରିବାର କୌଶଳ ଶିଖାଇବା ପାଇଁ ଉଦ୍ୟମ ଆରମ୍ଭ କରିଛୁ । ଏଥିପାଇଁ ବିଶ୍ବ ଦକ୍ଷତା କେନ୍ଦ୍ର ଏବଂ ଆଇଆଇଏମ ସମ୍ବଲପୁର ସହଯୋଗର ହାତ ବଢାଇଛନ୍ତି । ଆଗାମୀ ଦିନରେ ଆହୁରି ଅନେକ ସଂସ୍ଥା ଏହି ଉଦ୍ୟମରେ ଯୋଡି ହେବେ । ଆମ ଓଡ଼ିଶାର ମା’ ମାନେ ଦକ୍ଷ ହେବେ । ବ୍ୟବସାୟ କରିବେ । ମାର୍କେଟିଂ କରିବାର କୌଶଳ ମଧ୍ୟ ଶିଖିବେ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ସୁଭଦ୍ରା ଯୋଜନା ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ବ ନାରୀଙ୍କ ଜୀବନକୁ ପ୍ରଭାବିତ କରି ଲିଙ୍ଗ ଭିତ୍ତିକ ସମାନତା ଓ ସଶକ୍ତ ଓଡ଼ିଶା ନିର୍ମାଣରେ ସହାୟକ ହୋଇଛି । ଏହି ଯୋଜନା ଅଧୀନରେ ମହିଳାମାନଙ୍କ ଡିଜିଟାଲ୍ ଓ ଆର୍ଥିକ ସାକ୍ଷରତା, ଉଦ୍ୟମିତାରେ ଉନ୍ନତି ଓ ନେତୃତ୍ୱ ନେବାର ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି ।