ବାଲେଶ୍ବର:ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚୁଥିଲେ ବରଯାତ୍ରୀ । ବର ସଜବାଜ ହୋଇ ପାଲିଙ୍କିରେ ବସି କନିଆଁ ଘର ଅଭିମୁଖେ ବାହାରିଥିଲା । ବାଣ ରୋଷଣୀ ସାଙ୍ଗକୁ ନାଚ ଗୀତରେ ଦୁଲୁକି ପଡୁଥିଲା ବାଲେଶ୍ୱର ସହର । ସମସ୍ତେ ଭାବୁଥିଲେ କେହି ଜଣେ ମଣିଷର ବାହାଘର ହେଉଛି । ମାତ୍ର ଏହି ବାହାଘର ଶୋଭାଯାତ୍ରା କଣ୍ଢେଇର ଚାଲିଥିଲା । ଜଉ କଣ୍ଢେଇ ବାହାଘର କମିଟି ପକ୍ଷରୁ ଏମିତି ଶୋଭାଯାତ୍ରା କରି ବିବାହ ପାଇଁ କନିଆଁ ଘରକୁ ଯାଇଥିଲେ ବରଘର ପକ୍ଷ ।
କାହିଁକି ହୁଏ କଣ୍ଢେଇ ବିବାହ ?
2003 ମସିହା ପାଖରୁ ଜଉ କଣ୍ଢେଇର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା । ସେବେ ଠାରୁ ଜଉ କଣ୍ଢେଇ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓ ସେମାନଙ୍କୁ ତାଲିମ ପ୍ରଦାନ କରିବା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଯେଉଁଥିରେ ବହୁ ଜଉ କଣ୍ଢେଇ ଶିଳ୍ପୀ ସାମିଲ ହୋଇଥିଲେ । ଧୀରେଧୀରେ ନୂଆ ନୂଆ ଶିଳ୍ପୀମାନେ ଜଉ କଣ୍ଢେଇ ଗଢିବା ପାଇଁ ମନସ୍ଥ କରି ଯୋଡି ହୋଇଥିଲେ । 2011 ମସିହାରେ ବାଲେଶ୍ଵରର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନେଇ ଜଉ କଣ୍ଢେଇ କମିଟି ଗଠନ କରାଯାଇ କଣ୍ଢେଇ ବିବାହ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେବେଠାରୁ ପ୍ରତିବର୍ଷ ଜଉ କଣ୍ଢେଇ ବାହାଘର ହୋଇ ଆସୁଛି ।
କିପରି ହୁଏ କଣ୍ଢେଇ ବିବାହ ?
ପ୍ରତିବର୍ଷ ବର ଓ କନିଆଁମାନଙ୍କ ନାମକରଣ କରାଯାଉଛି । ବର ପିତା ଏବଂ କନ୍ୟା ପିତାମାନଙ୍କୁ ଚୟନ ପରେ ଲଗ୍ନଧରା କାର୍ଯ୍ୟକ୍ରମ କରାଯାଇଥାଏ । ଏହାପରେ କଣ୍ଢେଇମାନଙ୍କ ମଙ୍ଗନ, ହଳଦୀ ରସମ ଆଦି କାର୍ଯ୍ୟକ୍ରମ କରାଯାଇ ବରଧରା କରାଯାଇଥାଏ । ପରେ ବର ସଜେଇ ହୋଇ ଶୋଭାଯାତ୍ରାରେ କନିଆଁ ଘରେ ଯାଇ ପହଞ୍ଚିଥାଏ । ସେଠାରେ ବରକୁ କନିଆଁ ଘର ପକ୍ଷରୁ ପାଛୋଟି ନିଆଯାଇଥାଏ। ବେଦିରେ ହୋମ ନିଆଁ ଆଗରେ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ଦୁଇ କଣ୍ଢେଇଙ୍କ ହାତଗଣ୍ଠି ପଡ଼ିଥାଏ । ଯେମିତି ଜଣେ ମଣିଷ ବିବାହ ହୋଇଥାଏ ଠିକ ସେମିତି କଣ୍ଢେଇ ବିବାହ ପରେ ସମୁଦି ମିଳନ କରାଯାଇଥାଏ । ସେହିପରି ଚଳିତ ବର୍ଷ ମଧ୍ୟ ଜଉ କଣ୍ଢେଇ ବାହାଘର ଅଗଷ୍ଟ ୩ ତାରିଖରେ ସମ୍ପନ୍ନ ହୋଇଛି । ଏଥର ଜଉ କଣ୍ଢେଇଙ୍କ ନାଁ ଓଡ଼ିଆ କଥା ସାହିତ୍ୟର ଜନକ ଫକୀର ମୋହନ ସେନାପତିଙ୍କ ପ୍ରସିଦ୍ଧ ଗଳ୍ପ ପେଟେଣ୍ଡ ମେଡିସିନର ଚରିତ୍ର ଅନୁସାରେ ଚନ୍ଦ୍ରମଣି ଏବଂ ସୁଲୋଚନା ରଖାଯାଇଛି । ବର ପିତା ମାତା ଭାବେ କାଳୀଶଙ୍କର ଦାସ ଓ ସୌଭାଗିନୀ ମିଶ୍ର ଏବଂ କନ୍ୟା ପିତାମାତା ଭାବେ ପଙ୍କଜ ଜେନା ଓ ସୁଚିତ୍ରା ଜେନା ଉଭୟ କଣ୍ଢେଇଙ୍କ ବିବାହ କରାଇଛନ୍ତି । ବୈଦିକ ରୀତିନୀତିରେ କୁଳ-ପୁରୋହିତ ନଣ୍ଡା ଗୋସେଇଁ ମଠରେ ଏହି ବିବାହ ସମ୍ପନ୍ନ କରିଥିଲେ ।