ଭୁବନେଶ୍ବର:କେନ୍ଦ୍ର ଫୋକସରେ ଓଡ଼ିଶା । ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା 28ରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ । ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ମାନସ ମନ୍ଥନ ହୋଇପାରେ । କାର୍ଯ୍ୟକ୍ରମ ଚୂଡାନ୍ତ ହେବା ପରେ ସୂଚନା ଦିଆଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
28ରୁ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ:
28ରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସମ୍ବଲପୁର କାର୍ଯ୍ୟକ୍ରମରେ ଯୋଗ ଦେବେ । ମା’ ସମଲେଇଙ୍କ ଦର୍ଶନ ସହ ବଳିଦାନ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ କାର୍ଯ୍ୟକ୍ରମ ରହିଛି । ଏହା ପରେ ପୁଣି ଜାନୁଆରୀରେ 2 ଥର ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ କାର୍ଯ୍ୟକ୍ରମ ସମ୍ପର୍କରେ ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ । ଚୂଡାନ୍ତ ହେବା ପରେ ସୂଚନା ଦିଆଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ।
ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ହୋଇପାରେ ମାନସ ମନ୍ଥନ:
ତେବେ ବର୍ତ୍ତମାନ ସୁଦ୍ଧା ଅମିତ ଶାହଙ୍କ ଗସ୍ତ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇନାହିଁ । କିନ୍ତୁ ଚର୍ଚ୍ଚା ହେଉଛି ରାଜ୍ୟରେ ବିଜେପି ସରକାର ଗଠନ ପରଠାରୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇନାହିଁ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବାବେଳେ ଅମିତ ଶାହାଙ୍କ ଗସ୍ତ ଗୁରୁତ୍ଵ ବହନ କରୁଛି । ରାଜ୍ଯରେ ବିଜେପି ସରକାରକୁ 6 ମାସ ବିତିଯାଇଥିଲେ ମଧ୍ୟ ଏବେବି 6ଟି ମନ୍ତ୍ରୀ ପଦ ଖାଲି ପଡିଛି । କିଏ ନୂଆ ମନ୍ତ୍ରୀ ହେବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ସେପଟେ ନୂଆ ମନ୍ତ୍ରୀ ପାଇଁ କିଛି ବିଧାୟକଙ୍କ ନାମ ଚର୍ଚ୍ଚା ହେଉଛି । ସେସବୁ ଉପରେ ମୋହର ବାଜିପାରେ । ଏହା ସହିତ ବିଭିନ୍ନ ନିଗମର ଅଧ୍ୟକ୍ଷ ଖାଲି ପଡିଛି 6 ମାସ ହେଲାଣି । ନିଗମ ନିଯୁକ୍ତି ନେଇ ବାଟ ଫିଟିବ ବୋଲି ଚର୍ଚ୍ଚା ଚାଲିଛି ।
ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ:
ତେବେ ଜାନୁଆରୀ 8 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ହେବାକୁ ଯାଉଛି । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ଯୋଗଦେବେ । ତେଣୁ ପ୍ରବାସୀ ଭାରତୀୟ ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଓଡିଶା ଆସୁଛନ୍ତି ଶାହ । ଏହାସହିତ ଏକାଧିକ ସରକାରୀ ଏବଂ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ।