କଟକ: ଗିରଫ ହେଲେ ଦୁଇ ନିଶା ଦିଆ ଲୁଟେରା । କଟକ ସଦର ଥାନା ପୋଲିସ ହାର୍ଡକୋର ଲୁଟେରା ଅଜୟ କୁମାର ବେହେରା ଓ ବିକ୍ରମ ବିଶ୍ୱାଳକୁ ଗିରଫ କରିଛନ୍ତି । ତେବେ ଆଜି ସେ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଦୁଇ ଅଭିଯୁକ୍ତ ସହରର ବିଭିନ୍ନ ବ୍ୟବସାୟୀଙ୍କୁ ଚା’ ଓ ଥଣ୍ଡାରେ ନିଶା ଦେଇ ଲୁଟ କରୁଥିବା ପୋଲିସ କହିଛନ୍ତି । ଦୁଇ ଲୁଟେରାଙ୍କ ନାମରେ ପଚିଶରୁ ଊର୍ଦ୍ଧ୍ବ ମାମଲା ଥିବା ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ମୁତବାକ, ଗତ ୨୯ ତାରିଖରେ କଟକ ଜିଲ୍ଲା ଗୋପାଳପୁର ଅଞ୍ଚଳରେ ମଧ୍ୟାହ୍ନ ସମୟରେ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମଟନ କିଣିବା ପାଇଁ କହିଥିଲେ । ଏହାପରେ ବ୍ୟବସାୟୀଙ୍କୁ ଗୁଟଖା ଖାଇବାକୁ ଦେଇଥିଲେ । ଯେଉଁଥିରେ ସେମାନେ ଆଗରୁ ନିଶା ଔଷଧ ମିଶାଇ ଥିଲେ । ଫଳରେ ସେ ଦୋକାନୀ ବେହୋସ ହୋଇଯାଇଥିଲେ ପରେ ଉକ୍ତ ଦୋକାନରୁ ଟଙ୍କା, ମୋବାଇଲ ଓ ଜରୁରୀ କାଗଜପତ୍ର ଲୁଟ କରି ଫେରାର ହୋଇଯାଇଥିଲେ ଦୁଇ ଲୁଟେରା । ଲୁଟର ଶିକାର ହୋଇଥିବା ବ୍ୟବସାୟୀ ହେଉଛନ୍ତି ନିଆଳି ଅଞ୍ଚଳର ବାସିନ୍ଦା ମେହେରବାନ ଶାହା । ଏହି ଘଟଣା ଘଟିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବ୍ୟବସାୟୀକୁ ମେଡିକାଲ ସ୍ଥାନାନ୍ତର କରିଥିଲା । ଆଜି ଏହି ଦୁଇ ହାର୍ଡକୋର ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଲୁଟେରାଙ୍କ ପାଖରୁ ତିନୋଟି ମୋବାଇଲ ସମେତ ଟଙ୍କା ଏବଂ ନିଶା ଔଷଧ ଜବତ କରାଯାଇଛି ।