ରାୟଗଡା:ଯୁବତୀଙ୍କୁ ଲାଞ୍ଚ ଟଙ୍କା ଫେରାଇଲେ ଜନ ସୂଚନା ଅଧିକାରୀ । ଲାଞ୍ଚ ନେଇ ମଧ୍ୟ କାର୍ଯ୍ୟରେ ଅନିୟମିତତା । ଏହିଭଳି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା ସଦର ବ୍ଲକ କାରୁବାଇ ପଞ୍ଚାୟତରୁ । ଗତ ୨୦୧୮ ମସିହାରେ ରାୟଗଡା ଜିଲ୍ଲା ସଦର ବ୍ଲକ କାରୁବାଇ ପଞ୍ଚାୟତରେ ଏମବିକେ ଭାବେ ଅର୍ପଣା ଗ୍ରାମର ଆଦିବାସୀ ଗରିବ ଯୁବତୀ ଶାନ୍ତି କଲକା ନିଯୁକ୍ତି ପାଇଥିଲେ । ସେ ନିଯୁକ୍ତି ପାଇବା ବେଳେ ଏମବିକେଙ୍କ ମାସିକ ଦରମା ତିନି ହଜାର ରହିଥିବା ବେଳେ ତାଙ୍କ ବ୍ୟାଙ୍କ ଖାତାରେ ୨ ହଜାର ଟଙ୍କା ହିସାବରେ ସେ ୫ ମାସ ଦରମା ପାଇଥିଲେ । ସେ କାର୍ଯ୍ୟରେ ଯୋଗଦେବାର ୫ ମାସ ପରେ ତାହା ୬ ହଜାର ହୋଇଥିଲା । ହେଲେ ୬ ହଜାର ହେବା ପରେ ମଧ୍ୟ ସେ ମାସିକ ୧୮ଶହ ଟଙ୍କା ହିସାବ ପାଉଥିଲେ । ଏହିଭଳି ଭାବେ ତାଙ୍କର କଷ୍ଟ ଅର୍ଜିତ ମଜୁରିରୁ ମୋଟ ୭୨୨୦୦ ଟଙ୍କା ଚଳୁ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ଦରମାରେ ଏଭଳି ଅନିୟମିତତା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ଏମବିକେ ଶାନ୍ତି କଲକା । ଅନ୍ୟାୟ ବିରୁଦ୍ଧରେ ଅଭିଯୋଗ କରିବାରୁ ବିପିଏମ (ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର) କମଳିନୀ ପଡିହାରି ତାଙ୍କ ଠାରୁ ସମସ୍ତ କାଗଜ ପତ୍ର ମାଗିନେଇଥିଲେ । ତା ସହିତ ଗୋଟିଏ କାଗଜରେ ଆଜି ଠାରୁ ମୁଁ ଏମବିକେ ଭାବେ କାମ କରିବି ନାହିଁ ବୋଲି ଲେଖି ଦେବାକୁ କହିଥିଲେ । ହେଲେ ଏଥିପାଇଁ ମନା କରିଥିଲେ ଶାନ୍ତି । ତେଣୁ କୌଣସି କାରଣ ନଦର୍ଶାଇ ତାଙ୍କୁ ଉକ୍ତ କାମରୁ ବହିଷ୍କାର କରି ଦିଆଗଲା । ତାଙ୍କୁ ଚାକିରିରୁ ବାହାର କରିଥିବା ନେଇ ସୂଚନା ଅଧିକାର ଆଇନ ବଳରେ କିଛି ତଥ୍ୟ ପାଇବାକୁ ରାୟଗଡା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ । ତେବେ ସେ ଦରଖାସ୍ତ ମାଗଣାରେ ଦେବାର ନିୟମ ରହିଛି । ହେଲେ ଲଜ୍ଜାର ବିଷୟ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ଅତିରିକ୍ତ ଜନ ସୂଚନା ଅଧିକାରୀ ଦେବଦତ୍ତ ଧୀବର ତାଙ୍କ ଠାରୁ ୫ ଶହ ଟଙ୍କା ଲାଞ୍ଚ ଆକାରରେ ଦାବି କରି ନେଇଥିଲେ ।