ବାଲେଶ୍ବର: ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ । ଶିକାରୀ ଗୁଳିମାଡରେ ଜଣେ ବନ କର୍ମଚାରୀ ଆହତ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟ ବିଟ୍ ନୀଳଗିରି କୁଲଢିଆ ଅଭୟାରଣ୍ୟରେ । ଏହି ଘଟଣାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ପ୍ରଥମେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗତକାଲି (ସୋମବାର) ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା ।
ଏହା ମଧ୍ୟ ପଢନ୍ତୁ-ଶିମିଳିପାଳ ଅଭୟାରଣ୍ୟରୁ ୫ ଜଣ ଶିକାରୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ
ସୋମବାର ରାତିରେ ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟ ବିଟ ଅଞ୍ଚଳରେ ଫରେଷ୍ଟ ଗାର୍ଡ ସିଂ ରାୟଙ୍କ ସହିତ ଦୁଇ ସବୁଜ ବାହିନୀ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାରୀମାନେ ବନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ଜଣେ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ତିନି ଜଣଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ 2 ଜଣଙ୍କ ଅବସ୍ଥା ସଙ୍ଗୀନ ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ କୁଳଢିଆ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଘଟଣାସ୍ଥଳରୁ ଦୁଇ ଶିକାରୀ ଗିରଫ ହୋଇଥିବା ଜଣାପଡ଼ିଛି । ଉଭୟଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ କରାଯାଇନାହିଁ ।