ରାଉରକେଲା:ଆପଣ ଟ୍ରେନ ସଦୃଶ ଘର କେବେ ଦେଖିଛନ୍ତି କି ? ସେଭଳି କିଛି ଚିତ୍ର ଦେଖିବାକୁ ମିଳିଛି ରାଉରକେଲା ଉପକଣ୍ଠ ଲାଠିକଟା ବ୍ଲକ ଜାହିର ଟୋଲା ଗ୍ରାମରେ । ଏଠାରେ ଏମିତି ଏକ ନିଆରା ଘର ଅଛି, ଯାହାକି ଦୂରରୁ ଅବିକଳ ଟ୍ରେନ ଭଳି ଦିଶୁଛି । ଗାଁ ଭିତରେ ଏହି ଘରଟିକୁ ଦେଖିଲେ କେହି ବି କିଛି ସମୟ ପାଇଁ ଭ୍ରମରେ ପଡିଯିବ ତାହା ଘର କି ଟ୍ରେନ ! କିଛି ନୂଆ କରିବାର ଚିନ୍ତାକରି ନିଜ ଖପରା ଛପର ମାଟିଘରକୁ ଟ୍ରେନ ଭଳି ରଙ୍ଗ ଦେଇ ସଜାଇଛନ୍ତି ଏହି ଗ୍ରାମର ଶ୍ୟାମ ଚରଣଙ୍କ ପରିବାର । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତାଙ୍କର ଘର ଜାହିର ଟୋଲା ଗ୍ରାମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି ।
ଦୂରରୁ ଦେଖି ଲାଗୁଛି ଯେମିତି ଗାଁ ଭିତରେ ଟ୍ରେନ ଛିଡା ହୋଇଛି । କିନ୍ତୁ ପାଖକୁ ଆସିଲେ ଏହା କୌଣସି ଟ୍ରେନ ବା ବଗି ନୁହେଁ ବରଂ ଗୋଟିଏ ମାଟି ଘର ବୋଲି ଜଣାପଡୁଛି । ସମସ୍ତେ ନିଜ ନିଜ ଘରକୁ ଆକର୍ଷଣୀୟ ଭାବେ ସଜାଇବାକୁ ଭଲ ପାଆନ୍ତି । କିଏ ସୁନ୍ଦର ରଙ୍ଗ ବେରଙ୍ଗର ଚିତ୍ର ଆଙ୍କିଛି ତ କିଏ ବିଭିନ୍ନ ପ୍ରକାର ସାଜସଜ୍ଜା ସାମଗ୍ରୀରେ ନିଜ ଘରକୁ ଆକର୍ଷଣୀୟ ଓ ସୁନ୍ଦର କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଜାହିର ଟୋଲା ଗ୍ରାମର ଶ୍ୟାମଚରଣଙ୍କ ପରିବାର ଭିନ୍ନ ଧରଣର ଘର ସାଜସଜ୍ଜା କରିଛନ୍ତି । ଏହି ପରିବାରର ସବୁ ସଦସ୍ୟମାନେ ମିଳିମିଶି ସମ୍ପୂର୍ଣ୍ଣ ଘରକୁ ଟ୍ରେନର ରୂପ ଦେଇଛନ୍ତି । ଟ୍ରେନର ଝରକା ଭଳି ଏହାର ଝରକା ଅଙ୍କା ଯାଇଛି । ଏହି ଟ୍ରେନ ହାଉସର ନାମକରଣ ମଧ୍ୟ କରାଯାଇଛି । ଏହାର ନାମ ଟାଟା-ଅଲ୍ଲେପି ଏକ୍ସପ୍ରେସ ରହିଛି । ସେହିପରି ଏଥିରେ ଟ୍ରେନ ସଂଖ୍ୟା 18189/18190 ଏବଂ ଦକ୍ଷିଣ ପୂର୍ବ ରେଳବାଇର ସିରିଏଲ ନମ୍ବର ମଧ୍ୟ ଅଙ୍କା ଯାଇଛି ।
ଏହା ମଧ୍ୟ ପଢନ୍ତୁ: ଇସ୍ପାତ ସହରରେ କାଗଜ ଫୁଲର ସମ୍ଭାର, ବାଟୋଇଙ୍କ ମନ ମୋହୁଛି