ଭୁବନେଶ୍ବର:ପୁରୁଷଙ୍କ ସୁଭଦ୍ରା ଟଙ୍କା ଲୋଭ ! ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନା ଟଙ୍କା ପାଇବାକୁ ଆବେଦନ କରିଛନ୍ତି 157 ପୁରୁଷ । ଯାଞ୍ଚ ବେଳେ ଜଣାପଡ଼ିଲା ଏହି ତଥ୍ୟ । ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।
ସୁଭଦ୍ରା ଟଙ୍କା ପାଇବାକୁ ପୁରୁଷଙ୍କ ଆବେଦନ :
ସୁଭଦ୍ରା ଯୋଜନାରେ ଆସିଲା ସାଂଘାତିକ ତଥ୍ୟ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି, "ମହିଳାଙ୍କ ପାଇଁ ହୋଇଥିବା ଏହି ସ୍କିମରେ ଆବେଦନ କରିଛନ୍ତି ପୁରୁଷ । ଫର୍ମ ସର୍ଟିଂ ବେଳେ ଜଣାପଡ଼ିଲା ଏହି ତଥ୍ୟ । ସୁଭଦ୍ରା ପାଇଁ ୧୫୭ ଜଣ ପୁରୁଷ ଆବେଦନକାରୀ ଆବେଦନ କରିଛନ୍ତି । ସେମାନଙ୍କୁ ବାଦ ଦିଆଯାଇଛି । ଆଧାର କାର୍ଡର ବ୍ୟାଙ୍କ ଲିଙ୍କ ଡାଟା ଆସିବା ପରେ ଜଣାପଡିଛି । " ସେପଟେ ପ୍ରବାସୀ ମହିଳା ବି ଏଥର ପାଇବେ ସୁଭଦ୍ରା ଟଙ୍କା । ଆବେଦନ କରିବାକୁ ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ।
ବ୍ୟାଙ୍କ ଲିଙ୍କ ଧରା ପକାଇ ଦେଲା:
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ‘ଯେତେବେଳେ ସଟିଂ ହେଲା ଜଣାପଡିଲା 157 ଜଣ ପୁରୁଷ ସୁଭଦ୍ରା ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି । ସେମାନଙ୍କୁ ବାଦ୍ ଦିଆଯାଇଛି । ଆଧାର କାର୍ଡ ବ୍ୟାଙ୍କ୍ ଲିଙ୍କ ଡାଟା ଯେତେବେଳେ ଆସିଲା ତାହା ଜଣାପଡ଼ିଲା ।'
ନାଁକୁ ନେଇ ଦ୍ବନ୍ଦ୍ବ କି ?
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ବେଳେ ବେଳେ ପୁଅ ଓ ଝିଅଙ୍କ ନାଁ ଏକା ଭଳି ଥାଏ । ନାଁର ସ୍ପେଲିଂ ମଧ୍ୟ ଏକା ହୋଇଥାଏ । ତ୍ରୁଟିରେ ଆବେଦନ କରିଥାଇ ପାରନ୍ତି । ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ।’
ସୁଭଦ୍ରା ଯୋଜନାରେ କେତେ ହେଲାଣି ଆବେଦନ ?
ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ପାଇଁ ୧ କୋଟି ସାତ ଲକ୍ଷ ଆବେଦନ ହୋଇଛି । ସେଥିରୁ ଏମପିସିଆଇ ପେଣ୍ଡିଂ ୨ ଲକ୍ଷରୁ ଅଧିକ ଥିଲା ।
କାହା ପାଖକୁ ପହଞ୍ଚି ପାରୁନି ସୁଭଦ୍ରା ?
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆହୁରି କହିଛନ୍ତି, ‘ଯେଉଁମାନେ ବାହାରକୁ କାମ ପାଇଁ ପଳାଇଛନ୍ତି । ସେମାନଙ୍କ ଫଟୋ ଉଠିବା ଦରକାର । ସେଥିପାଇଁ ସେମାନଙ୍କୁ ସୁଭଦ୍ରା ଦିଆଯାଇପାରୁନି । ଗଞ୍ଜାମ, ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟରେ ଅଧିକ ଅଛନ୍ତି ପେଣ୍ଡିଂ । ପ୍ରବାସୀ ବିଭିନ୍ନ କାମ ପାଇଁ ବାହାରକୁ ଯାଇଛନ୍ତି । ସେମାନେ କମିତି ପାଇବେ ଚେଷ୍ଟା ଚାଲିଛି ।'
ରାଜ୍ୟ ବାହାରେ ରହୁଥିଲେ ବି ମିଳିବ ସୁଭଦ୍ରା ଟଙ୍କା:
ତେବେ ଯେଉଁମାନେ ରାଜ୍ୟ ବାହାରେ ରହୁଛନ୍ତି । ସୁଭଦ୍ରା ଟଙ୍କା ପାଇବାକୁ ଚାହୁଁଛନ୍ତି କିନ୍ତୁ ପାଇପାରୁନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ସେ କହିଛନ୍ତି ଯେ 'ଏଣିକି ପ୍ରବାସୀ ମହିଳା ବି ସୁଭଦ୍ରା ଟଙ୍କା ପାଇବା ପାଇଁ ଆବେଦନ କରିପାରିବେ ।'