ଓଡିଶା

odisha

ETV Bharat / state

ସ୍କୁଲ ସମସ୍ୟା ନେଇ ଜିଲ୍ଲାପାଳ ଅଫିସ ସାମ୍ନାରେ ଛାତ୍ରଛାତ୍ରୀଙ୍କ ଧାରଣା - STUDENTS PROTEST IN BALASORE

ସରକାର ଅବସର ଦେଇଥିବା ଦୁଇ ଶିକ୍ଷକଙ୍କୁ ପୁନଃନିଯୁକ୍ତି ଦେଇଛନ୍ତି ଗ୍ରାମବାସୀ । ଏହାକୁ ସରକାରୀ ଅନୁମୋଦନ ଦେବାକୁ ଦାବି । ଘଟଣାସ୍ଥଳରେ ପହଞ୍ଚି ଦାବିପତ୍ର ଗ୍ରହଣ କଲେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ।

ସ୍କୁଲ ସମସ୍ୟା ନେଇ ଜିଲ୍ଲାପାଳ ଅଫିସ ସାମ୍ନାରେ ଛାତ୍ରଛାତ୍ରୀଙ୍କ ଧାରଣା
ସ୍କୁଲ ସମସ୍ୟା ନେଇ ଜିଲ୍ଲାପାଳ ଅଫିସ ସାମ୍ନାରେ ଛାତ୍ରଛାତ୍ରୀଙ୍କ ଧାରଣା (ETV Bharat Odisha)

By ETV Bharat Odisha Team

Published : Dec 17, 2024, 10:15 AM IST

ବାଲେଶ୍ବର: ସ୍କୁଲ ସମସ୍ୟା ନେଇ ଖରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ । ବ୍ଲକଗ୍ରାଣ୍ଟ ସ୍କୁଲ ବନ୍ଦ ହେବା ନେଇ ସୂଚନା ମିଳିବା ଏବଂ ମଧ୍ୟାହ୍ନ ଭୋଜନ ବନ୍ଦ କରାଯିବାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ସଂଘ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଆନ୍ଦୋଳନକାରୀ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଦାବିପତ୍ର ଗ୍ରହଣ କରିଛନ୍ତି । ସମସ୍ୟା ଓ ଦାବି ସମ୍ପର୍କରେ ସେ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

  • ଶିକ୍ଷକଙ୍କୁ ଅବସର ଦେଲେ ସରକାର, ପୁନଃନିଯୁକ୍ତି ଦେଲେ ଗ୍ରାମବାସୀ ଓ ସ୍କୁଲ କମିଟି

ସୂଚନା ଅନୁସାରେ, ବସ୍ତା ବ୍ଲକ ପେଗରପଡ଼ା ସୁରେନ୍ଦ୍ର ନାଥ ସାମଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ଦୁଇଜଣ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ ସରକାରୀ ସ୍ତରରେ ଅବସର ଦିଆଯାଇଥିବା ବେଳେ ସେମାନଙ୍କୁ ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ପୁନଃନିଯୁକ୍ତି ପ୍ରଦାନ କରାଯାଇଛି । ଏହି ନିଯୁକ୍ତିକୁ ସରକାରୀ ସ୍ତରରେ ସ୍ୱୀକୃତି ଦେବାପାଇଁ ଦାବି କରାଯାଇଛି । 1974 ଧାରା 19 ଅନୁସାରେ, ବିଦ୍ୟାଳୟର ଦୁଇ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଓ ଶମ୍ବୁନାଥ ବିଶ୍ବାଳଙ୍କ ଅବସର ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା ସହ ତାହାକୁ ଅନୁମୋଦନ ଦେବା ପାଇଁ ଦଶ ମାସ ପୂର୍ବରୁ ବସ୍ତା ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ ନିକଟରେ ଦାବି କରିଥିଲେ । ମାତ୍ର ଏହାର କିଛି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ ଓ ସ୍କୁଲ କମିଟି ଅଭିଯୋଗ କରିଛନ୍ତି । ଏହାସହ ଉକ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ କରିଦିଆଯାଇଛି । ଏଥିପାଇଁ ପିଲାମାନେ ମୁଢି ପିଆଜ ଖାଇବାକୁ ବାଧ୍ଯ ହେଉଥିବା ପରି ସଙ୍ଗୀନ ମଧ୍ୟ ଅଭିଯୋଗ ହୋଇଛି । ଏଥିପାଇଁ ଦୁଇଟି ପ୍ରମୁଖ ଦାବି ନେଇ ଗତକାଲି ଧାରଣା ଦିଆଯାଇଥିଲା ।

ସ୍କୁଲ ସମସ୍ୟା ନେଇ ଜିଲ୍ଲାପାଳ ଅଫିସ ସାମ୍ନାରେ ଛାତ୍ରଛାତ୍ରୀଙ୍କ ଧାରଣା (ETV Bharat Odisha)
  • ମଧ୍ୟାହ୍ନ ଭୋଜନ ବନ୍ଦ କରିଦିଆଯାଇଥିବା ଅଭିଯୋଗ:-

ଭୋଗରାଇ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ଅରୁଣ କୁମାର ଦାସ କହିଛନ୍ତି," ଆଜିକୁ ପାଞ୍ଚ, ସାତଦିନ ହେବ ଖାଦ୍ୟ ବନ୍ଦ କରାଯାଇଛି, ପିଲାମାନେ ମୁଢି ପିଆଜ ଖାଉଛନ୍ତି । କୋମଳମତି ପିଲାମାନେ ଆଜି କାହିଁକି ରାଜରାସ୍ତାରେ ବସିବେ, ଖାଦ୍ୟ ପାଇବେ ନାହିଁ । ତାଙ୍କୁ ତୁରନ୍ତ ଖାଦ୍ୟ ଦିଆଯାଉ । ଅବସର ପାଇଁ ଅବଧି ଥିଲା 62 ବର୍ଷ । ବର୍ତ୍ତମାନ ସରକାର ଜାଣିଶୁଣି କିଛି ବେନିୟମ କରିଛନ୍ତି ଏବଂ ଶିକ୍ଷକମାନଙ୍କୁ 60 ବର୍ଷ ବୟସରେ ଅବସର ପ୍ରଦାନ କରିଛନ୍ତି । ତେଣୁ ତାଙ୍କୁ ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି ଦ୍ବାରା ସମ୍ପୃକ୍ତ ଶିକ୍ଷକଙ୍କୁ ମିଳିଥିବା ପୁନଃ ନିଯୁକ୍ତିକୁ ମଧ୍ୟ ପ୍ରଶାସନ ମାନି ନିଅନ୍ତୁ । ଖାଦ୍ୟ ଶୀଘ୍ର ଦିଅନ୍ତୁ । ଉକ୍ତ ସ୍କୁଲରେ 31 ପିଲାଙ୍କ ପାଇଁ ଦୁଇଜଣ ଶିକ୍ଷକ ଅଛନ୍ତି । କିଛି ପିଲା ଖାଦ୍ୟ ନ ପାଇବା ଯୋଗୁଁ ଆସୁନାହାନ୍ତି । କାରଣ ସେମାନେ ଗରିବ ଶ୍ରେଣୀର ପିଲାମାନେ। ସରକାର ଏହି କୋମଳମତି ପିଲାଙ୍କ କଥା ଟିକେ ଚିନ୍ତା କରନ୍ତୁ ଆମେ ଏତିକି ଅନୁରୋଧ କରୁଛୁ ।"

ସ୍କୁଲ ସମସ୍ୟା ନେଇ ଜିଲ୍ଲାପାଳ ଅଫିସ ସାମ୍ନାରେ ଛାତ୍ରଛାତ୍ରୀଙ୍କ ଧାରଣା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ୫୦୦ ଦିବ୍ୟାଙ୍ଗଙ୍କୁ ଇ-ରିକ୍ସା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କହିଲେ 'ଦୃଷ୍ଟିକୋଣରେ ପରିବର୍ତ୍ତନ ଜରୁରୀ' - E RICKSHAWS TO SPECIALLY ABLED

ଆୟୁଷ୍ମାନ ଯୋଜନାର ମିଳିବ କାର୍ଡ, ସାମିଲ ହେବେ ରାଜ୍ୟ ବାହାରେ ଥିବା ଶ୍ରମିକ - AYUSHMAN YOJANA

ମାଲକାନଗିରିରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା: ମୁଖ୍ୟମନ୍ତ୍ରୀ

  • ଦାବି ସମ୍ପର୍କରେ ତର୍ଜମା କରିବାକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିଶ୍ରୁତି

ଅନ୍ୟପଟେ ଧାରଣାସ୍ଥଳରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର ପହଞ୍ଚି ଦାବିପତ୍ର ଗ୍ରହଣ କରିବା ସହ ଧାରଣାରୁ ଉଥିବା ପାଇଁ ନିବେଦନ କରିଥିଲେ । ଏହାକୁ ନେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର ପ୍ରତିକ୍ରିୟାରେ କହିଛନ୍ତି," ତାହା ଏକ ବ୍ଲକ ଗ୍ରାଣ୍ଟ ଉଚ୍ଚ ପ୍ରାଥମିକ ସ୍କୁଲ । ମାଡାମ (ଜିଲ୍ଲା ଶିକ୍ଷାଧିକାରୀ) ମୋତେ ପଠାଇଥିଲେ, ମୁଁ ସେମାନଙ୍କ ଦାବିପତ୍ର ଗ୍ରହଣ କରିଛି । ମାଡାମଙ୍କୁ ମୁଁ ତାହା ପ୍ରଦାନ କରିବି । ଯେହେତୁ ସମ୍ପୃକ୍ତ ସ୍କୁଲକୁ ବନ୍ଦ କରାଯିବା ପାଇଁ ବିଇଓଙ୍କର ନିର୍ଦ୍ଦେଶ ଅଛି, ଆମେ ଯେଉଁ ଦାବିପତ୍ର ନେଲୁ ଆମେ ଉପରିସ୍ଥ ଅଧିକାରୀଙ୍କୁ ପଠାଇବୁ । ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ପାଳନ ହେବ । ମୁଁ ନିଜେ ଆସିକି ଅନୁରୋଧ ରଖିଛି ପିଲାମାନେ ଉଠିଯିବା ପାଇଁ ।

ସ୍କୁଲ ସମସ୍ୟା ନେଇ ଜିଲ୍ଲାପାଳ ଅଫିସ ସାମ୍ନାରେ ଛାତ୍ରଛାତ୍ରୀଙ୍କ ଧାରଣା (ETV Bharat Odisha)

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details