ନିମାପଡ଼ା: ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା ଅଭିଯୋଗ । ଯାହାର ପ୍ରତିବାଦରେ ଗତକାଲି ନିମାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଯେପର୍ଯ୍ୟନ୍ତ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି, ପୂର୍ବତନ କଲେଜ ଅଧ୍ୟକ୍ଷ ତଥା ବର୍ତ୍ତମାନ କଲେଜ ଡିନ ଆସି ଛାତ୍ର ଛାତ୍ରୀଙ୍କ ସମ୍ମୁଖରେ ସ୍ପଷ୍ଟୀକରଣ ନଦିଅନ୍ତି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।
ସୂଚନା ଅନୁଯାୟୀ, କଲେଜ ପରିଚାଳନା କମିଟି ସଭାପତିଙ୍କ ସମସ୍ତ କାର୍ଯ୍ୟରେ ଅନାବଶ୍ୟକ ହସ୍ତକ୍ଷେପ, ପାନୀୟ ଜଳ ପ୍ରକଳ୍ପ ନହୋଇ 19 ଲକ୍ଷ ଟଙ୍କା ଆତ୍ମସାତ କରିବା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ଆସିଥିବା 18 ଲକ୍ଷ ଟଙ୍କାରେ ବ୍ୟାପକ ଅର୍ଥ ହେରଫେର କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ହେରଫେର ତଥା କଲେଜ ଅଧକ୍ଷଙ୍କ ଦରମା ଆକ୍ରୋଶ ମୂଳକ ଭାବେ ବନ୍ଦ କରିବା ପ୍ରତିବାଦରେ କଲେଜ ଗେଟ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ପ୍ରତିବାଦ କରିବା ସହିତ ଧାରଣା ଦେଇଛନ୍ତି ।
ରାଜ୍ୟର ସର୍ବପୁରାତନ ଉତ୍କଳ ୟୁନିଭର୍ସିଟିର ଛାତ୍ରଛାତ୍ରୀ ସଂଖ୍ୟା ୪୦୦୦ ଏବଂ ଜିଲ୍ଲାର ସର୍ବପୁରାତନ ଏସସିଏସ କଲେଜର ଛାତ୍ରଛାତ୍ରୀ ସଂଖ୍ୟା ୬୦୦୦ ଥିବା ବେଳେ ନିମାପଡ଼ା କଲେଜର ଛାତ୍ରଛାତ୍ରୀ ସଂଖ୍ୟା ୭୦୦୦ରୁ ଊର୍ଦ୍ଧ୍ବ । ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ଥିବାରୁ ନିମାପଡ଼ା କଲେଜର ଛାତ୍ରଛାତ୍ରୀ ସଂଖ୍ୟା ସବୁଠୁ ଅଧିକ । ବ୍ୟାପକ ଅନିୟମିତତା, ପରିଚାଳନା କମିଟି ସଭାପତିଙ୍କର ସମସ୍ତ କାର୍ଯ୍ୟରେ ଅନାବଶ୍ୟକ ହସ୍ତକ୍ଷେପ, କର୍ମଚାରୀଙ୍କ ଉପରେ ଅଯଥା ଚାପ ପ୍ରୟୋଗ ସହ ଆର୍ଥିକ ଘୋଟାଲା ପ୍ରଭୃତି ଅନେକ ଅଭିଯୋଗ ଆସିଛି ।