ନିମାପଡ଼ା:ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ । କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ବିଶ୍ବରେ ଅଦ୍ବିତୀୟ । ଏହାର ପରିଦର୍ଶନ ପାଇଁ ପ୍ରତିଦିନ ଦେଶ ବିଦେଶରୁ ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । କିନ୍ତୁ ଏହି ବିଶ୍ବ ଐତିହ୍ୟସ୍ଥଳୀ ଏବେ ବୁଲା ଗାଈଗୋରୁଙ୍କ କବ୍ଜାରେ । କୋଣାର୍କ ମୁଖ୍ୟ ରାସ୍ତାରେ ମାଳ ମାଳ ଗାଈଗୋରୁ ରାତି ଦିନ ବିଚରଣ କରୁଛନ୍ତି । ଫଳରେ ଗୁରୁତର ଟ୍ରାଫିକ ସମସ୍ୟା ଉପୁଜିବା ସହିତ ଅନେକ ସମୟରେ ଦୁର୍ଘଟଣା ଘଟୁଛି । କେତେବେଳେ ଗାଡି ଧକ୍କାରେ ଗାଈଗୋରୁଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ଏହି ଗୋରୁପଲଙ୍କୁ ଯୋଗୁଁ ଦୁର୍ଘଟଣା ଘଟି ପର୍ଯ୍ୟଟକମାନେ ମୃତାହତ ହେଉଥିବା ଦେଖାଯାଉଛି ।
କୋଣାର୍କରେ ଗାଈଗୋରୁଙ୍କ ରାଜ୍:
ପୁରୀ-କୋଣାର୍କ, କୋଣାର୍କ-ଭୁବନେଶ୍ବର, କାକଟପୁର-କୋଣାର୍କ ମୁଖ୍ୟ ରାସ୍ତାରେ ଏହି ବୁଲା ଗୋରୁ ସମସ୍ୟା ଦେଖିବାକୁ ମିଳୁଛି । ଲୋକମାନେ ଗାଈଗୋରୁ ଓ ଅନ୍ୟ ଗୃହପାଳିତ ପଶୁଙ୍କ ରାସ୍ତା ଉପରେ ଛାଡି ଦେଉଛନ୍ତି । ଫଳରେ ରାତି ଦିନ କୋଣାର୍କର ବିଭିନ୍ନ ଛକରେ ଏହି ଗୃହପାଳିତ ଚଲାବୁଲା କରୁଥିବାବେଳେ ଚାରି ଚକିଆ ଯାନ ଓ ବସ୍ ଆଗରେ ପଡି ଦୁର୍ଘଟଣାର ଶିକାର ହେଉଛନ୍ତି । ବେଳେବେଳେ ଗାଈଗୋରୁମାନେ ହଠାତ୍ ଗାଡି ଆଗକୁ ଆସିଯାଉ ଥିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ବାଟଚଲା ଲୋକଙ୍କୁ ଧକ୍କା ଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏ ଦିଗରେ ତୁରନ୍ତ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେଇ ଏହି ଗାଈଗୋରୁଙ୍କ ପାଇଁ କାଞ୍ଜିଆ ହୁଦା ଏବଂ ଗୋଶାଳା ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।