ଭୁବନେଶ୍ବର:ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଟି ଶାନମୁଗରତ୍ନମ । ଆସନ୍ତାକାଲି(ଜାନୁଆରୀ 14)ଠୁ 5 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ସେ । ଭାରତ-ସିଙ୍ଗାପୁର ଦ୍ବିପାକ୍ଷିକ ସମ୍ପର୍କ 60 ବର୍ଷ ପୂରଣ କରିଥିବା ବେଳେ ଶାନମୁଗରତ୍ନମଙ୍କ ଭାରତ ଗସ୍ତ ବେଶ ଗୁରୁ୍ତ୍ବବହନ କରୁଛି । ତେବେ ଶାନମୁଗରତ୍ନମ ଏହି 5 ଦିନିଆ ଗସ୍ତରେ ଫୋକସରେ ରହିଛି ଓଡ଼ିଶା । ଏହି ଅବସରରେ ଆସନ୍ତା 17 ଓ 18 ଜାନୁଆରୀ ସେ ଓଡ଼ିଶା ଗସ୍ତରେ ରହିବେ । ଓଡ଼ିଶାର କଳାସଂସ୍କୃତିକୁ ପାଖରୁ ଦେଖିବେ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସେ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ପୁରୀର ପଟ୍ଟଚିତ୍ର ଓ କଳାକୃତିର ଗାଁ ରଘୁରାଜପୁର ଯିବାର କାର୍ଯ୍ୟକ୍ରମ ରହିଛି ।
2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି:
ବିଶ୍ୱବାସୀଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ଐତିହ୍ୟ । ସୁଦୂର ସିଙ୍ଗାପୁରରୁ ଆକୃଷ୍ଟ କରିଛି ରଘୁରାଜପୁର ଗାଁ ଆଉ କୋଣାର୍କର ସୂର୍ଯ୍ୟ ମନ୍ଦିର । ବିଶ୍ବ ଦରବାରରେ ଚର୍ଚ୍ଚିତ ଓଡ଼ିଶାର ଐତିହ୍ୟ ଗାଁ ଦେଖିବାକୁ ଓଡ଼ିଶା ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଟି ଶାନମୁଗରତ୍ନମ । ପୁରୀର ପଟ୍ଟଚିତ୍ର ଓ କଳାକୃତ୍ତିର ଗାଁ ରଘୁରାଜପୁର ଗାଁ ବୁଲିବାକୁ ଓ କୋଣାର୍କର ସୂର୍ଯ୍ୟମନ୍ଦିର ଦେଖିବାକୁ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ଏନେଇ ଓଡ଼ିଶାର ଦୁଇ ଦିନିଆ କାର୍ଯ୍ୟକ୍ରମରେ ଏମିତି କିଛି ରହିଛି କାର୍ଯ୍ୟକ୍ରମ ।
ଜାନୁଆରୀ 17 ଓ 18ରେ ବୁଲିବେ ଓଡ଼ିଶା:
ଆସନ୍ତା ୧୭ରୁ ୧୮ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଟି ଶାନମୁଗରତ୍ନମ । ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁସାରେ ଭାରତ ଗସ୍ତରେ ଆସନ୍ତା ୧୪ରୁ ଆସୁଥିବା ସିଙ୍ଗାପୁର ରାଷ୍ଟ୍ରପତିଙ୍କର ଆସନ୍ତା ୧୭ରୁ ୧୮ତାରିଖ ଦୁଇ ଦିନ ଧରି ଓଡିଶା ଗସ୍ତ ରହିବ । ଯେଉଁଠି ଅନେକ କାର୍ଯ୍ୟକ୍ରମରେ ଯୋଗଦେବା ସହ ବୁଲିବା କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶାରେ ରହିଛି ଏସବୁ କାର୍ଯ୍ୟକ୍ରମ:
ଏନେଇ କମିସନରେଟ ପୋଲିସ ପକ୍ଷରୁ ଏନେଇ ସୁରକ୍ଷା ପ୍ରସ୍ତୁତି ଆରମ୍ଭ କରାଯାଇଛି । କାରଣ ଭୁବନେଶ୍ୱରରେ ଆସନ୍ତା ୧୭ରେ ପହଁଚିବା ପରେ ଏକ ତାରକା ହୋଟେଲରେ କାର୍ଯ୍ୟକ୍ରମ ସହ ସେଠାରେ ତାଙ୍କ ସହ ଓଡ଼ିଶାର ଅର୍ଥନୈତିକ ଓ ବ୍ୟବସାୟିକ କାରବାରର ସୁଯୋଗ ଆଦି ଦିଗରେ ଅନେକ ବ୍ୟବସାୟିକ ପ୍ରତିନିଧିଙ୍କ ସହ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହା ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଭେଟଘାଟ କାର୍ଯ୍ୟକ୍ରମ ସହ ମୁଖ୍ୟମନ୍ତ୍ରୀଙ୍କ ସହ ରାତ୍ରଭୋଜନର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେହିପରି ଭୁବନେଶ୍ବରରେ ସ୍ଥାପିତ ସିଙ୍ଗାପୁର ITEES( ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ସର୍ଭିସେସ) ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଭ୍ୟାକସିନ ପ୍ରସ୍ତୁତକାରି କମ୍ପାନୀ ଭାରତ ବାୟୋଟେକର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଭୁବନେଶ୍ୱର ସ୍ଥିତ ରାଜଭବନରେ ମଧ୍ୟ କାର୍ଯ୍ୟକ୍ରମ ରହିଛି ।
- ବ୍ୟବସାୟିକ ପ୍ରତିନିଧିଙ୍କୁ ଭେଟିବେ ସିଙ୍ଗାପୁର ରାଷ୍ଟ୍ରପତି
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରହିଛି ସାକ୍ଷାତ କାର୍ଯ୍ୟକ୍ରମ
- ମୁଖ୍ୟମନ୍ତ୍ରୀଙ୍କ ସହ ରାତ୍ରୀଭୋଜନ କାର୍ଯ୍ୟକ୍ରମ
- ମଞ୍ଚେଶ୍ବର ସ୍ଥିତ ୱାର୍ଲଡ ସ୍କିଲ ସେଣ୍ଟରରେ ସିଙ୍ଗାପୁର ITEES ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି
- ଭାରତ ବାୟୋଟେକର କାର୍ଯ୍ୟକ୍ରମରେ ଯୋଗଦାନ କାର୍ଯ୍ୟକ୍ରମ
ବୁଲିବେ ରଘୁରାଜପୁର:
କେବଳ ସେତିକି ନୁହେଁ ପୁରୀ ସ୍ଥିତ ବିଶ୍ବ ପ୍ରସିଦ୍ଧ ହସ୍ତଶିଳ୍ପ ଗ୍ରାମ ରଘୁରାଜପୁର ଗାଁରେ ମଧ୍ୟ ବୁଲାବୁଲି କାର୍ଯ୍ୟକ୍ରମ ରହିଛି । ରଘୁରାଜପୁରରେ ରଙ୍ଗତୁଳୀରେ କାରୁକାର୍ଯ୍ୟ,ରଙ୍ଗୀନ ମୁଖା,କାଠ କଣ୍ଢେଇ,କାଚ ବୋତଲ ଅତ୍ୟାଧୁନିକ କାରୁକାର୍ଯ୍ୟ ସହ ତାଳପତ୍ରରେ ତିଆରି ପଟ୍ଟଚିତ୍ର ଯାହାକି ବିଶ୍ବପ୍ରସିଦ୍ଧ କାରିଗରୀର ଝଲକ ଦେଖିବା ସହ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଚିତ୍ରକଳା ମ୍ୟୁଜିୟମ ମଧ୍ୟ ବୁଲିବାର କାର୍ଯ୍ୟକ୍ରମ ରହିଛି ।
କେଉଁଠି ଅବସ୍ଥିତ ରଘୁରାଜପୁର ଗାଁ ?