ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ହେଉଥିବା ବିଶୃଙ୍ଖଳାକୁ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ବିରୋଧ

Shree Jagannath Surakhya Aviyan: ଶ୍ରୀମନ୍ଦିରରେ ହେଉଥିବା ବିଭିନ୍ନ ବିଶୃଙ୍ଖଳାକୁ ନେଇ ବର୍ଷିଲେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ଅଧିକ ପଢ଼ନ୍ତୁ

ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ
ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

By ETV Bharat Odisha Team

Published : Feb 9, 2024, 7:27 PM IST

ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

ଖୋର୍ଦ୍ଧା: ଶ୍ରୀମନ୍ଦିରରେ ହେଉଥିବା ବିଭିନ୍ନ ବିଶୃଙ୍ଖଳାକୁ ନେଇ ଗର୍ଜିଲେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ଏନେଇ ଆଜି ଖୋର୍ଦ୍ଧା ଗୀତା ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା, ତିନି ଦ୍ବାର ବନ୍ଦ ପ୍ରସଙ୍ଗ, ରତ୍ନ ଭଣ୍ଡାର ଖୋଲିବା ଆଦିରେ କରାଯାଉଥିବା ଅବ୍ୟବସ୍ଥାକୁ ନେଇ ଅଭିଯୋଗ କରାଯାଇଛି । ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ସାରା ଓଡ଼ିଶାରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ଆଜି ଖୋର୍ଦ୍ଧା ଗୀତା ଭବନ ପରିସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସମ୍ମିଳନୀରେ ଶ୍ରୀମନ୍ଦିରରେ ହେଉଥିବା ଅବ୍ୟବସ୍ଥାକୁ ନେଇ ଅଭିଯୋଗ କରାଯାଇଛି । ସେମାନଙ୍କ କହିବା ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁ ସମାଜର ଆରାଧ୍ୟ । କିନ୍ତୁ ବର୍ତ୍ତମାନ କ୍ଷମତାରେ ଥିବା ସରକାର ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାରର ବିଶୃଙ୍ଖଳା କରାଉଛନ୍ତି । ଅଣପାରମ୍ପାରିକ ଭାବରେ ବିଭିନ୍ନ ନୀତିକାନ୍ତି ଠାରୁ ନେଇ ଦର୍ଶନ ପର୍ଯ୍ୟନ୍ତ ଅବ୍ୟବସ୍ଥା କରାଯାଉଛି । ଉତ୍କଳର ପୁରାତନ ଐତିହ୍ୟ କୀର୍ତ୍ତିରାଜକୁ ସୌନ୍ଦର୍ଯ୍ୟ କରଣ ନାମରେ ଧୂଳିସାତ କରାଯାଉଛି । ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଯାଇ ତିନି ଦ୍ବାର ବନ୍ଦ କରାଯାଇଛି । ଫଳରେ ଘଣ୍ଟା ଘଣ୍ଟା ଧରି ଭକ୍ତମାନେ ଧାଡ଼ିରେ ଠିଆ ହୋଇ ରହୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ବଡ ଫାଟ, ଏଏସଆଇ କରିବ ମରାମତି

ଶ୍ରୀଜଗନ୍ନାଥ ସଂସ୍କୃତି ଅଭିଯାନ ସୁରକ୍ଷା ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଭକ୍ତମାନଙ୍କ ଭାବାବେଗ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ଗାଁ ଗାଁରେ ପରିକ୍ରମା ରଥ ବୁଲାଇ ଉଷୁନା ଚାଉଳ ସଂଗ୍ରହ କରାଯାଇଛି । ସେହିପରି ମହାପ୍ରଭୁଙ୍କୁ ଭିକାରୀ ସଜେଇ କାହିଁକି ଡାଲା ଅଟୋରେ ସାରା ଓଡିଶା ବୁଲାଇଲେ ରାଜ୍ୟ ସରକାର ବୋଲି ପ୍ରଶ୍ନ କରାଯାଇଛି । ଅର୍ପଣ ରଥରେ ସଂଗୃହୀତ ହଜାର ହଜାର କୁଇଣ୍ଟାଲ ଚାଉଳକୁ ରୋଷଶାଳାରେ ଖେଚୁଡି ଓ କାନିକା ପ୍ରସାଦ ପ୍ରସ୍ତୁତ ହେବ ବୋଲି କିଏ ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ କରାଯାଇଛି ।

ଏସବୁ ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଖୁବଶୀଘ୍ର ଚାରିଦ୍ଵାର ଖୋଲି ଦର୍ଶନ ବ୍ୟବସ୍ଥାକୁ ସହଜ ଓ ଶୃଙ୍ଖଳିତ କରିବା, ପୂଜ୍ୟ ଶଙ୍କରାଚାର୍ଯ୍ୟ ଏବଂ ଅନ୍ୟ ଅଧିକୃତ ଧର୍ମାଚାର୍ଯ୍ୟ ମାନଙ୍କ ପରାମର୍ଶ କ୍ରମେ ନୀତିକାନ୍ତିର ପରିଚାଳନା କରିବା ଏବଂ ତୁରନ୍ତ ରତ୍ନଭଣ୍ଡାର ଖୋଲି ଉଭୟ ରତ୍ନ ଓ ଭଣ୍ଡାରର ସ୍ଥିତି ସାର୍ବଜନୀନ କରିବା ପାଇଁ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ସାରା ଓଡ଼ିଶାରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଶକ୍ତି ଶଙ୍କର ମିଶ୍ର କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details