ଓଡିଶା

odisha

ETV Bharat / state

କୋରାପୁଟ ମଣ୍ଡଳ କାରାଗାର ପରିଦର୍ଶନ କଲେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାତି, ହେଲେ ଭାବବିହ୍ଵଳ - Death Anniversary Of Laxman Nayak - DEATH ANNIVERSARY OF LAXMAN NAYAK

Shahid Laxman Nayak: ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ପୂର୍ବରୁ ସେ ରହିଥିବା କୋରାପୁଟ ମଣ୍ଡଳ କାରାଗାରର କୋଠରୀ ପରିଦର୍ଶନ କରିଛନ୍ତି ଲକ୍ଷ୍ମଣ ନାୟକଙ୍କ ନାତି । ଅଧିକ ପଢ଼ନ୍ତୁ

ଶହୀଦ ଲକ୍ଷ୍ମଣ ନାୟକ
ଶହୀଦ ଲକ୍ଷ୍ମଣ ନାୟକ

By ETV Bharat Odisha Team

Published : Mar 29, 2024, 9:12 PM IST

କୋରାପୁଟ ମଣ୍ଡଳ କାରାଗାର ପରିଦର୍ଶନ କଲେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାତି

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକଙ୍କ ଆଜି ହେଉଛି ଶ୍ରାଦ୍ଧ ଦିବସ । ମାଥିଲି ଥାନା ଆକ୍ରମଣ ଅଭିଯୋଗରେ ଆଜିର ଦିନରେ ତାଙ୍କୁ ବ୍ରହ୍ମପୁର କାରାଗାରରେ ବ୍ରିଟିଶ ସରକାରଙ୍କ ଦ୍ଵାରା ଫାଶୀ ଦିଆଯାଇଥିଲା । ହେଲେ ବ୍ରହ୍ମପୁରକୁ ନେବା ପୂର୍ବରୁ କୋରାପୁଟ ମଣ୍ଡଳ କାରାଗାରରେ କିଛିଦିନ ଲକ୍ଷ୍ମଣ ନାୟକଙ୍କୁ ରଖାଯାଇଥିଲା । ମଣ୍ଡଳ କାରାଗାରରେ ଶହୀଦ ଲକ୍ଷ୍ମଣ ନାୟକ ରହିଥିବା ସେହି କୋଠରୀକୁ ଆଜି ପର୍ଯ୍ୟନ୍ତ କାରାଗାର କର୍ତ୍ତୃପକ୍ଷ ଅତି ଯତ୍ନର ସହ ସୁରକ୍ଷିତ ରଖିଛନ୍ତି । ଆଜି ତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ସେହି କୋଠରୀର ପରିଦର୍ଶନ କରିଛନ୍ତି ଲକ୍ଷ୍ମଣ ନାୟକଙ୍କ ନାତି ।

ତେବେ ମାଥିଲି ଥାନା ଆକ୍ରମଣ ଅଭିଯୋଗରେ 1943 ମସିହା ମାର୍ଚ୍ଚ 29 ତାରିଖରେ 43 ବର୍ଷ ବୟସରେ ଆଜିର ଦିନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଘଟିଥିଲା । ତେନ୍ତୁଳିଗୁମ୍ମାର ଭୂମିଆ ଜନଜାତିରେ ଜନ୍ମିତ ବୀର ପୁରୁଷ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର କାରାଗାରରେ ବ୍ରିଟିଶ ସରକାରଙ୍କ ଦ୍ଵାରା ଫାଶୀ ଦିଆଯାଇଥିଲା । ତେବେ ତାଙ୍କୁ ଫାଶୀ ଦେବା ପାଇଁ ବ୍ରହ୍ମପୁରକୁ ନେବା ପୂର୍ବରୁ କୋରାପୁଟ ମଣ୍ଡଳ କାରାଗାରରେ କିଛିଦିନ ରଖାଯାଇଥିଲା । ଆଜି ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ 75 ବର୍ଷୀୟ ନାତି ମଧୁ ନାୟକ ତାଙ୍କ ଅଜା ତଥା ଏହି ମାଟିର ବରପୁତ୍ର ଶହୀଦ ଲକ୍ଷ୍ମଣ ନାୟକ ଫାଶୀ ପାଇବା ପୂର୍ବରୁ ଶେଷ କିଛିଦିନ ନିଜ ଜୀବନର ବହୁମୂଲ୍ୟ ସମୟକୁ ଅତିବାହିତ କରିଥିବା ସେହି କୋଠରୀକୁ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଆଜା ଲକ୍ଷ୍ମଣ ନାୟକ ରହୁଥିବା ଅଣ ଓସାରିୟା କ୍ଷୁଦ୍ର କୋଠରୀକୁ ଦେଖିବାର ସୁଯୋଗ ପାଇ ଭାବବିହ୍ଵଳ ହୋଇଉଠିଥିଲେ । ଏହାସହ ସେହି କୋଠରୀରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମଣ୍ଡଳ କାରାଗାରରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ତେବେ କୋରାପୁଟ ମଣ୍ଡଳ କାରାଗାରରେ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବ୍ରିଟିଶ ସରକାର ଯେଉଁଭଳି ଭାବେ ଏକ ଛୋଟ କୋଠରୀରେ ରଖି ଅତ୍ୟାଚାର କରିଥିଲେ ତାହା ଦେଖିବା ପରେ ତାଙ୍କ ହୃଦୟରେ ତାଙ୍କ ଅଜାଙ୍କ ପ୍ରତି ଗୌରବ ବୃଦ୍ଧି ପାଇଥିବା ବେଳେ ନିଜ ମୃତ୍ୟୁ ପୂର୍ବରୁ ଥରେ ତାଙ୍କ ଅଜା ଫାଶୀ ପାଇଥିବା ବ୍ରହ୍ମପୁର ଜେଲକୁ ଦେଖିବାର ଇଚ୍ଛା ଥିବା ମଧୁ ନାୟକ ଜଣାଇଛନ୍ତି । ତେବେ ମଣ୍ଡଳ କାରାଗାର ପରିସରରେ ମଧୁ ନାୟକଙ୍କ ସହ କୋରାପୁଟ ଜେଲ ଅଧିକ୍ଷକ ମନୋରଞ୍ଜନ ପ୍ରତିହାରୀ, କୋର୍ଟର ନିର୍ଦ୍ଦେଶକ ପ୍ରଫୁଲ୍ଲ ମହାପାତ୍ର, ଗବେଷକ ପରେଶ ରଥ ଓ ତେନ୍ତୁଳିଗୁମ୍ମାର କିଛି ଗ୍ରାମବାସୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....କାଲି ଶହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ: ଅବହେଳିତ ଜନ୍ମମାଟି ତେନ୍ତୁଳିଗୁମ୍ମା, କୋରାପୁଟ ନା ମାଲକାନଗିରିରେ ଅସ୍ପଷ୍ଟ - Tentuligumma Village Neglected

ସେପଟେ ଆଜି କୋଟସ ପରିସରରେ ମଧୁ ନାୟକଙ୍କୁ ସମ୍ମାନିତ କରାଯିବା ସହିତ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଓ ସଂଗ୍ରାମ ସମ୍ପର୍କରେ ବିଶିଷ୍ଟ ଗବେଷକ ପରେଶ ରଥଙ୍କ ଦ୍ଵାରା ରଚନା କରାଯାଇଥିବା ଏକ ତଥ୍ୟ ସମ୍ବଳିତ ପୁସ୍ତକକୁ 'କୋରାପୁଟ ଇନଟାକ ଚାପ୍ଟର' ତରଫରୁ ଲୋକାର୍ପିତ କରାଯାଇଛି । ଏହି ଅବସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଡ.ପରେଶ ଜୟପୁର ବିମାନବନ୍ଦରକୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାମରେ ନାମିତ କରିବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details