ସମ୍ବଲପୁର:ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡି଼ଶାରେ ପ୍ରବଳ ଗରମ ଅନୁଭୂତ ହୋଇଛି । ଗତକାଲି (ଗୁରୁବାର) ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ 47 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ 46.2 ଡିଗ୍ରୀ ରେକର୍ଡ ହୋଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକେ ଦିନ 10ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଜରୁରୀ କାମ ଥିଲେ ଲୋକେ ଛତା, ଗାମୁଛା ଧରି ବାହାରୁଛନ୍ତି । ଖରାରୁ ବଞ୍ଚିବା ପାଇଁ ଲୋକେ ଲସି, ସର୍ବତ ଦୋକାନରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି ।
ସମ୍ବଲପୁରରେ ପ୍ରବଳ ଗରମ ଜାରି ରହିଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଥିରେ ପୁଣି ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ କାଟ୍ । ଗତକାଲି ସମ୍ବଲପୁରରେ 8 ଜଣ ବ୍ୟକ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବାବେଳେ ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରାଯାଇଛି l ତେବେ ସମ୍ବଲପୁର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, "କାହାର ବି ଅଂଶୁଘାତ ଜନିତ ମୃତ୍ୟୁ ହୋଇନାହିଁ । ଯେଉଁ ଅଞ୍ଚଳରୁ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି ସେହି ଅଞ୍ଚଳର ତହସିଲଦାରମାନଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବାର 48 ଘଣ୍ଟା ପରେ ପୋଷ୍ଟମର୍ଟମ ରିପୋର୍ଟ ଆସିଥାଏ । ରିପୋର୍ଟ ଆସିଲା ପରେ ଅଂଶୁଘାତ ଜନିତ ମୃତ୍ୟୁ ହୋଇଛି ନା ନାହିଁ ତାହା ସ୍ପଷ୍ଟ ହେବ ।"