ରାଇରଙ୍ଗପୁର: ଟ୍ରକ ଡ୍ରାଇଭର ବେପରୁଆ ଗାଡି ଚାଳନା ହେଲା କାଳ । ସିରିଜ ଦୁର୍ଘଟଣାରେ ଗଲା ୪ ଜଣ ଜୀବନ । ଏଭଳି ବଡ଼ ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲାରେ । ୨୨୦ ନଂ ଜାତୀୟ ରାଜପଥରେ ସିରିଜ ସଡ଼କ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମଳିଛି । ତେବେ ଟ୍ରକ ଡ୍ରାଇଭର ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ଅଟୋକୁ ଧକ୍କା ଦେଲା ଟ୍ରକ:
ଆଜି (ଶନିବାର) ଭୋର୍ ସକାଳ ସମୟରେ ମୟୂରଭଞ୍ଜ ଜିଲ୍ଲାର ତିରିଂରୁ ଏକ ଟ୍ରକ ରାଇରଙ୍ଗପୁର ଆଡ଼କୁ ଆସୁଥିଲା । ଏହି ସମୟରେ ପ୍ରଥମେ ତିରିଂ ଥାନା ଅନ୍ତର୍ଗତ ଡାଳିମାରେ ମର୍ଣ୍ଣିଂୱାକରେ ଯାଉଥିବା ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିଲା । ସେଠାରୁ ଦ୍ରୁତ ଗତିରେ ଟ୍ରକଟି ଫେରାର ହେଉଥିବା ବେଳେ ବହଳଦା ଥାନା ଅର୍ନ୍ତଗତ ବାଗଡେଗା ଛକ ନିକଟରେ ଏକ ଅଟୋକୁ ଧକ୍କା ଦେଇଥିଲା । ଯାହାଫଳରେ ଅଟୋ ଚାଳକଙ୍କ ସମେତ ଅଟୋରେ ଥିବା ଜଣେ ଦମ୍ପତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।
ଭାରସାମ୍ୟ ହରାଇ ଓଲଟିଲା ଟ୍ରକ:
ତେବେ ମୃତ ଦମ୍ପତି କଟକ ନିଜ ଘର ଭଗାବନ୍ଦିକୁ ଫେରୁଥିଲେ । ଉକ୍ତ ଟ୍ରକ୍ ଧକ୍କାରେ ଅନ୍ୟ ତିନି ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ପରେ ଟ୍ରକଟି ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ବେଳେ ଭାରସାମ୍ୟ ହରାଇ ବହଳଦାରେ ରାସ୍ତା କଡକୁ ଓଲଟି ପଡ଼ିଥିଲା । ଫଳରେ ଉକ୍ତ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହେବାରୁ ତାଙ୍କୁ ମଧ୍ୟ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।