ଭୁବନେଶ୍ବର:ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଜାତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ୮୫ ବର୍ଷ ବୟସରୁ ଅଧିକ ଓ ଦିବ୍ୟାଙ୍ଗ ମତଦାତାଙ୍କ ଲାଗି ହୋମ ଭୋଟିଂ ବ୍ୟବସ୍ଥା କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଆଜିଠାରୁ ୮୫ ବର୍ଷ ବୟସରୁ ଅଧିକ ଓ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ 'ଭୋଟ୍ ଫ୍ରମ ହୋମ୍' କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଏହି କ୍ରମରେ ୟୁନିଟ ୪ ଅଞ୍ଚଳରେ ରହୁଥିବା ୮୫ ବର୍ଷରୁ ଊର୍ଦ୍ଧ୍ବ ମତଦାତା ବ୍ରଜ ମୋହନ ଚାଟାର୍ଜୀଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।
ବୃଦ୍ଧ ଭୋଟର ବ୍ରଜ ମୋହନ ଚାଟାର୍ଜୀ:- ବୟସର ଅପରାହ୍ନରେ ଉପନୀତ ବ୍ରଜ । ଚମ ଧୁଡୁଧୁଡୁ ସାଙ୍ଗକୁ ଆଖିକୁ ଭଲ ଦିଶୁନାହିଁ । କାନକୁ ଭଲ ଶୁଭୁନି କି ଦି ପାଦ ଚାଲିବାକୁ ସେ ଅକ୍ଷମ । ଚାଲିବା ଲାଗି ଏକମାତ୍ର ସାହାରା ହ୍ବିଲ ଚେୟାର । କିନ୍ତୁ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ପ୍ରତିନିଧି ବାଛିବା ପାଇଁ ତାଙ୍କର ଇଚ୍ଛା ଥିଲା । ୫ ବର୍ଷର ଥରେ ଆସୁଥିବା ଏହି ମହାନ ପର୍ବରେ ଅଂଶଗ୍ରହଣ କରିବା ତାଙ୍କର ଆଶା । କିନ୍ତୁ ତାଙ୍କ ପାଇଁ ବାଧକ ସାଜିଥିଲା ବୟସ ଓ ଶାରୀରିକ ଅକ୍ଷମତା । କିନ୍ତୁ ବୟସ୍କ ଓ ଶାରୀରିକ ଅକ୍ଷମ ଭୋଟରଙ୍କ ଲାଗି ନୂଆ ବ୍ୟବସ୍ଥା କରିଛନ୍ତି ଜାତୀୟ ନିର୍ବାଚନ ଅୟୋଗ ।
ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପର ମୂଳ ବାସିନ୍ଦା ବ୍ରଜ ମୋହନ ଚାଟାର୍ଜୀ ଏବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୟୁନିଟ 4 ଅଞ୍ଚଳର ସ୍ଥାୟୀ ବାସିନ୍ଦା । ୯୧ ବର୍ଷୀୟ ବ୍ରଜ ମୋହନ ଆକାଉଣ୍ଟ ଜେନେରାଲ (A&G) କ୍ଲାସ ୧ ଅଫିସର ଭାବେ ଅବସର ନେଇଛନ୍ତି । ଭୁବନେଶ୍ୱରରେ ରହିବା ଦିନରୁ ସେ ଭୋଟ ଦେଇ ଆସୁଛନ୍ତି । କୌଣସି ବି ଗୋଟେ ନିର୍ବାଚନରେ ଭୋଟ ଦାନରୁ ବିରତ ରହିନାହାନ୍ତି । ସାଧାରଣ ନିର୍ବାଚନ ହେଉ କି ପଞ୍ଚାୟତ ନିର୍ବାଚନ ସେ ସାମିଲ ହୋଇଛନ୍ତି । ବୟସାଧିକ ଓ ଅକ୍ଷମତା କାରଣରୁ ଭୋଟ ଦାନରୁ ସେ ବଞ୍ଚିତ ହେବା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ ହୋଇଛି ଭୋଟ୍ ଫ୍ରମ ହୋମ୍ କାର୍ଯ୍ୟକ୍ରମ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଉପଭୋକ୍ତା ହୋଇଛନ୍ତି ବ୍ରଜ । ବ୍ରଜଙ୍କ ପାଇଁ ଭୋଟ୍ ଫ୍ରମ ହୋମ୍ ବ୍ୟବସ୍ଥା କରିବା ସହ ତାଙ୍କୁ ପ୍ରଶାସନ ସମ୍ବର୍ଦ୍ଧିତ କରାଯାଉଛି ।