ଅନୁଗୋଳ:"ଆମର ପ୍ରାୟ 2 ଶହ ଏକର ଚାଷ ଜମି ଥିଲା । ନିଜେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲୁ । ହେଲେ 2017 ମସିହାରେ ବ୍ୟାଘ୍ର ପ୍ରଳ୍ପ ପାଇଁ ସରକାର ଆମକୁ ରାଇଗୋଡା ଗାଁରୁ ଉଠାଇ ଅନ୍ୟତ୍ର ସ୍ଥାନାନ୍ତରଣ କଲେ । ସରକାର ପ୍ରତିଶ୍ରୁତି ଦେଇଥିଲେ ଆମକୁ ସବୁ ପ୍ରକାର ସହାୟତା କରିବେ । ହେଲେ 4 ଡେସିମିଲି ଜାଗା ଦେଇ ଆମକୁ ଭୁଲି ଗଲେ ।" 7 ବର୍ଷ ପରେ ଏ ହେଉଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ରାଇଗୋଡା ଗ୍ରାମବାସୀଙ୍କ ଦୁଃଖ ।
- ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ରାଇଗୁଡାବାସୀ :
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଆଦିବାସୀ ବହୁଳ ରାଇଗୋଡା ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର ହେବାର 7 ବର୍ଷ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି ହୋଇପାରି ନାହିଁ । ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ ଓ ପାନୀୟ ଜଳ ଭଳି କୌଣସି ମୌଳିକ ସୁବିଧା ମିଳିପାରି ନାହିଁ । ଜଙ୍ଗଲ ଭିତରୁ ଆସି ପୁଣିଥରେ ଜଙ୍ଗଲ ଭିତରେ ଜଙ୍ଗଲୀ ଜୀବନ ଅତିବାହିତ କରୁଛନ୍ତି । ଅନେକ ପ୍ରତିଶ୍ରୁତି ଦେଇ ପ୍ରଶାସନ ଓ ବନ ବିଭାଗ ସେମାନଙ୍କୁ ସ୍ଥାନାନ୍ତର କଲେ । ପରେ ସବୁ ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ରାଇଗୋଡାବାସୀ ।
RAIGODA DISPLACED PROBLEM (ETV Bharat Odisha) - 7 ବର୍ଷ ବିତି ଯାଇଥିଲେ ମଧ୍ୟ ମିଳୁନି ସରକାରୀ ସହାୟତା :
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର ଏରିଆ ଭିତରେ ଥିବା ରାଇଗୋଡା ଗାଁକୁ ଗତ ୨୦୧୭ ଡିସେମ୍ବର ମାସରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ସାରୁଆଳି ନିକଟସ୍ଥ ଏକ ପାହାଡ଼ ତଳେ ଥିବା ମାତ୍ର ୧୭ ଏକର ଜମି ସେମାନଙ୍କୁ ଦିଆ ଯାଇଥିଲା । ସେତେବେଳେ ୭୮ଟି ପରିବାରକୁ ସ୍ଥାନାନ୍ତର କରାଯାଇ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆ ଯାଇଥିଲା । ତେବେ ରାଇଗୋଡା ଗାଁରେ ବେସରକାରୀ ଓ ସରକାରୀ ଜମି ପ୍ରାୟ ୪ଶହ ଏକର ଥିଲା । ସେହି ଜମିରେ ଲୋକଙ୍କ ଘରବାଡି ସମେତ ଗୋଚର, ଚାଷ ଜମି, ଶ୍ମଶାନ ଆଦି ଥିଲା । ସ୍ଥାନାନ୍ତର ବେଳେ ଗ୍ରାମବାସୀଙ୍କୁ ଏସବୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ୧୭ ଏକର ଜମି ଯୋଗାଇ ଦେଇ ଚୁପ ରହିଲେ ବନ ବିଭାଗ ଓ ପ୍ରଶାସନ । ଜମି ଅଭାବରୁ ଏବେ ସୁଦ୍ଧା ସବୁ ପରିବାରକୁ ଆବାସ ଯୋଜନାରେ ଘର ଦିଆଯାଇନାହିଁ ।
RAIGODA DISPLACED PROBLEM (ETV Bharat Odisha)
ଏମିତି କହିଲେ ଗ୍ରାମବାସୀ:
ଏନେଇଗାଁ ସଭାପତି ଦିବ୍ୟସିଂହ ଦେହୁରୀ କହିଛନ୍ତି" ଲୋକଙ୍କ ପାଇଁ ପୋଖରୀ, ଗୋଚର କିଛି ନାହିଁ । ଶ୍ମଶାନ ନଥିବାରୁ ପଡୋଶୀ ଗାଁ ସ୍ମଶାନ ଉପରେ ନିର୍ଭର କରିବାକୁ ପଡୁଛି । ଚାଷବାସ ପାଇଁ ଜମି ଖଣ୍ଡେ ନାହିଁ । ଭିଟାମାଟି ଛାଡି ଆସିଥିଲେ ମଧ୍ୟ ସେମାନଙ୍କୁ କର୍ମ ସଂସ୍ଥାନ ମିଳୁ ନାହିଁ । ସେଠାରେ ଜଙ୍ଗଲରୁ ବିଭିନ୍ନ ଜିନିଷ ସଂଗ୍ରହ କରୁଥିଲୁ । ବର୍ଷରେ ଦୁଇଥର ଧାନ ଫସଲ ହେଉଥିଲା । ପନି ପରିବା ଓ ଡାଲି ଜାତୀୟ ଫସଲ କରି ଖାଉଥିଲୁ । ହେଲେ ଏଠାରେ ଆମେ ହାତ ବାନ୍ଧି ବସିଛୁ ।
RAIGODA DISPLACED PROBLEM (ETV Bharat Odisha) ସେ ଆହୁରି ମଧ୍ୟ କହିଛନ୍ତି," ସେଠାରେ ଆମର ପ୍ରାୟ 2 ଶହ ଏକର ଚାଷ ଜମି ଥିଲା । ନିଜେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲୁ । ହେଲେ 2017 ମସିହାରେ ବ୍ୟାଘ୍ର ପ୍ରଳ୍ପ ପାଇଁ ସରକାର ଆମକୁ ରାଇଗୋଡା ଗାଁରୁ ଉଠାଇ ଅନ୍ୟତ୍ର ସ୍ଥାନାନ୍ତରଣ କଲେ । ସରକାର ପ୍ରତିଶ୍ରୁତି ଦେଇଥିଲେ ଆମକୁ ସବୁ ପ୍ରକାର ସହାୟତା କରିବେ । ହେଲେ 4 ଡେସିମିଲି ଜାଗା ଦେଇ ଆମକୁ ଭୁଲି ଗଲେ ।"
ସେହିପରି ଗାଁର ନରୋତ୍ତମ ପ୍ରଧାନ କହିଛନ୍ତି,"ରୋଜଗାର ନଥିବାରୁ ଯାହା ଆର୍ଥିକ ସହାୟତା ମିଳିଥିଲା ତାହା ମଧ୍ୟ ଶେଷ ହେବାକୁ ବସିଲାଣି । ଏଭଳି ପରିସ୍ଥିତିରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛୁ ଆମେ । ଯାହାକୁ ଗୁହାରି କଲେ ମଧ୍ୟ କେହି ସେମାନଙ୍କ ଦୁଃଖ ବୁଝୁ ନାହାନ୍ତି ।"
RAIGODA DISPLACED PROBLEM (ETV Bharat Odisha) ସେପଟେ ଗାଁର ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ସ୍ବେଚ୍ଛାସେବୀ ପ୍ରସନ୍ନ ବେହେରା କହିଛନ୍ତି,"ରାଇଗୋଡା ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପରେ ନୂତନ ଗାଁ ସ୍ଥାପନ ହୋଇଥିବାରୁ ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ତରଫରୁ ବିଭିନ୍ନ ଜୀବିକା ସମ୍ପର୍କିତ କାର୍ଯ୍ୟକ୍ରମ ହାତକୁ ନେବା କଥା । ଜଙ୍ଗଲ ଅଧିକାର ଆଇନ ବଳରେ ସେମାନଙ୍କୁ ଜଙ୍ଗଲ ଜମି ଯୋଗାଇ ଦେବା କଥା । କିନ୍ତୁ ସେସବୁ କିଛି କରାଯାଇନାହିଁ । ଫଳରେ 7 ବର୍ଷ ହେଲା କାମଧନ୍ଦା ନପାଇ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ । ଯାହା କ୍ଷତିପୂରଣ ମିଳିଥିଲା ସେସବୁ ସରି ଗଲାଣି । ବିସ୍ଥାପନ ନୀତି ଅନୁସାରେ କୌଣସି ଗାଁ ଉଚ୍ଛେଦ ହେଲେ ସେହି ଗାଁର ଯାହା ସବୁ ସୁବିଧା ସୁଯୋଗ ରହିଛି, ସେସବୁ ଯୋଗାଇ ଦିଆଯିବା କଥା । ହେଲେ ରାଇଗୋଡା ଗାଁକୁ କେବଳ ୧୭ ଏକର ଜମି ଛାଡିଦେଲେ ଆଉ କିଛି ଦିଆଯାଇ ନାହିଁ ।"
RAIGODA DISPLACED PROBLEM (ETV Bharat Odisha) ରାଇଗୋଡାକୁ ନାହିଁ ପକ୍କା ରାସ୍ତା :
ନୂଆଖେତାଠାରୁ ନୂଆ ରାଇଗୋଡା ପର୍ଯ୍ୟନ୍ତ ପ୍ରାୟ ଦୁଇ କିମି ମାଟି ରାସ୍ତା ଅତ୍ୟନ୍ତ ଦୁର୍ଗମ । ରାସ୍ତାର ଉଭୟ ପାର୍ଶ୍ଵରେ ଘଞ୍ଚ ଜଙ୍ଗଲ । ଦିନ ଦ୍ବି ପହରେ ବଣୁଆ ହାତୀପଲ ବୁଲୁଛନ୍ତି । ତେଣୁ ସନ୍ଧ୍ୟା ହେଲେ ସେହି ରାସ୍ତାରେ ଯିବା ଆସିବା କରିବା ବିପଦ । ଏଭଳି ପରିସ୍ଥିତିରେ ଗାଁରେ ସ୍କୁଲଟିଏ ନାହିଁ । ପିଲାମାନେ ଜଙ୍ଗଲ ରାସ୍ତା ଦେଇ ଅନ୍ୟ ଗାଁ ସ୍କୁଲକୁ ଯାଇ ପାରୁନାହାନ୍ତି । ତେଣୁ ଶିକ୍ଷାର ଆଲୋକ ଏଠାରେ ପଡିପାରୁନାହିଁ । ଅସମୟରେ ଗୁରୁତର ରୋଗୀକୁ ଡାକ୍ତରଖାନା ନେବା ସମ୍ଭବ ହୋଇପାରୁନାହିଁ । ପାନୀୟ ଜଳ ଯୋଗାଣ ପାଇଁ ଗାଁରେ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ସେହି ପାଣି ପିଇବା ଉପଯୋଗୀ ହୋଇପାରୁନାହିଁ । ଫଳରେ ଏବେବି ପାହାଡ଼ ଝରଣା ପାଣି ପିଉଛନ୍ତି । ସ୍ଥାନାନ୍ତର ସମୟରେ ଗ୍ରାମବାସୀ ସେମାନଙ୍କର ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ପ୍ରଶାସନକୁ ୨୨ ଦଫା ଦାବି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ବନ ବିଭାଗ କି ପ୍ରଶାସନ କାହାର ହେଲେ ନଜର ପଡ଼ୁନଥିବା ଅଭିଯୋଗ କରିଛନ୍ତି ।
- ଏପରି କହିଲେ ଜିଲ୍ଲା ମଙ୍ଗଳ ଅଧିକାରୀ:
ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର କହିଛନ୍ତି ,"ଜିଲ୍ଲାର ଆଦିବାସୀ ଲୋକମାନକୁ ରୋଜଗାରକ୍ଷମ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି, ମହିଳା ଗୋଷ୍ଠୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି । ମୁଁ ଅଧିକାରୀଙ୍କୁ ସେହି ଗ୍ରାମକୁ ପଠାଇବି ଏବଂ ସର୍ଭେ କରିବି । ସେମାନଙ୍କୁ କିପରି କାର୍ଯ୍ୟ ମିଳିପାରିବ ସେନେଇ ବ୍ୟବସ୍ଥା କରିବୁ । "
ନିୟମ ଅନୁସାରେ ସେହି ଆଦିବାସୀ ପରିବାରଗୁଡିକୁ ସେମାନଙ୍କ ଆବଶ୍ୟକ ଚାଷ ଜମି ଏବଂ ଜଣ ପ୍ରତି ୧୦ ଡେଶିମିଲ ଘରଡ଼ିହ ଯୋଗାଇ ଦିଆଯିବା କଥା । ସେମାନଙ୍କ ଜୀବନ ଜୀବିକା ପ୍ରତି ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବା କଥା । କିନ୍ତୁ ବିଭାଗ ତରଫରୁ କୌଣସି କାର୍ଯ୍ୟକ୍ରମ ହାତକୁ ନିଆ ଯାଉନଥିବା ଅଭିଯୋଗ ହୋଇଛି । କେବଳ ଛେଳି ପାଳନ ପାଇଁ ପଶୁସମ୍ପଦ ବିଭାଗ ପକ୍ଷରୁ ଗାଁରେ ୩/୪ଟି ଗୁହାଳ କରି ଦିଆଯାଇଛି । ହେଲେ ସେଥିରେ ଛେଳି ନାହାନ୍ତି । ଗୁହାଳ ସବୁ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି ।
ଇଟିଭି ଭାରତ, ଅନୁଗୋଳ