ସମ୍ବଲପୁର:ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ l ଏହି ଘଟଣାକୁ ନେଇ ଗତ ଗୁରୁବାର ରାତିରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଶାସନ କମଳ ଛକରେ ଥିବା ଡାକ୍ତର ଅଶୋକ ନନ୍ଦଙ୍କ କ୍ଲିନିକରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକେ ଡାକ୍ତର ନନ୍ଦଙ୍କୁ ଆକ୍ରମଣ କରିବା ସହିତ ତାଙ୍କ କ୍ଲିନିକରେ ବ୍ୟାପକ ଭଙ୍ଗାରୁଜା କରି 2 ଟି ବାଇକ ପୋଡିଦେଇଥିବା ଅଭିଯୋଗ ହୋଇଛି ।
ମିଳିଥିବା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ଲବ କେର୍କେଟା ନାମକ ଜଣେ ସ୍ଥାନୀୟ ଯୁବକ କୌଣସି କାରଣରୁ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ଡାକ୍ତର ଅଶୋକ ନନ୍ଦଙ୍କ କମଳ ଛକ ସ୍ଥିତ କ୍ଲିନିକକୁ ଆଣିଥିଲେ । ସେଠାରେ ଡାକ୍ତର ନନ୍ଦ ଇଞ୍ଜେକ୍ସନ ଦେବା ସହିତ ସାଲାଇନ୍ ଦେଇଥିଲେ । ଏହା ସହିତ ଡାକ୍ତର ନନ୍ଦ ଆଉ ୨/୩ଟି ଇଞ୍ଜେକ୍ସନ ଆଣିବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ କହିଥିଲେ । ସେହି ଇଂଜେକ୍ସନ ଦେବା ପରେ ରୋଗୀ ଲବ କେରକେଟା ରକ୍ତ ବାନ୍ତି କରିଥିଲେ ଓ ଏହାର କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ବୋଲି ଅଭିଯୋଗ ହୋଇଛି ।
ଅନ୍ୟପଟେ ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ, ଲବଙ୍କ ମୃତ୍ୟୁ ସମ୍ପର୍କରେ କହିବା ପୂର୍ବରୁ ଡାକ୍ତର ସେମାନଙ୍କୁ ୧୫ ଶହ ଟଙ୍କା ଫି ମାଗିଥିଲେ । ପରେ ଲବଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଘୋଷଣା କରିଥିଲେ । ଏହାକୁ ନେଇ ମୃତକଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଖବର ପାଇ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ବି ଏକାଠି ହୋଇଥିଲେ । ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିବା ସହ ଜୋରସୋର ପାଟିତୁଣ୍ଡ କରିଥିଲେ ।