ରାୟଗଡ଼ା: ଓଡ଼ିଶା ମାଟିରେ ଭରି ରହିଛନ୍ତି କଳାକାର । ଏଠାରୁ ଅନେକ କଳାକାର ବାହାରକୁ ଯାଇ ଖ୍ୟାତି ଅର୍ଜନ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହିପରି କିଛି କଳାକାର ଅଛନ୍ତି, ଯେଉଁମାନେ ବଲିଉଡ, ଟଲିଉଡ ଏବଂ ହଲିଉଡ ଭଳି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଯାଦୁ ଦେଖାଇଛନ୍ତି । ବର୍ତ୍ତମାନ ସେହି ତାଲିକାରେ ଆଉ ଏକ ଓଡ଼ିଆ କଳାକାରଙ୍କ ନାଁ ଯୋଡି ହୋଇଛି । ରାୟଗଡ଼ାର ପୁଅ ମିଲନ କୁମାର ନାୟକ, ଯିଏ ସାଉଥର ରିଲିଜ ହୋଇଥିବା ସୁପରହିଟ୍ ଫିଲ୍ମ 'ହନୁମାନ' ରେ ସହ-ନିର୍ଦ୍ଦେଶକ ଭାବେ କାମ କରି ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମ ବିଶ୍ବ ବକ୍ସ ଅଫିସରେ ୨୭୫ କୋଟିରୁ ଅଧିକ ଆୟ କରିବା ସହ ଲୋକପ୍ରିୟତା ହାସଲ କରିଛି ।
ମିଲନ କୁମାର ନାୟକଙ୍କ କ୍ୟାରିଅର:ରାୟଗଡ଼ା ଜିଲ୍ଲା ଜେକେପୁର ଠାରେ ଜନ୍ମଗ୍ରହଣ କରିଥିବା ମିଲନ ନିଜ ଗାଁରେ ନିଜ ପାଠପଢା ସାରିଥିଲେ । ଏହାପରେ ପାରଳାଖେମୁଣ୍ଡି ଠାରେ ବିଟେକ ଅଧ୍ୟୟନ କରିବା ପରେ ଚାକିରି ପାଇଁ ମୁମ୍ବାଇ ଯାଇଥିଲେ । ସେଠାରେ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ୩ବର୍ଷ ଧରି ଚାକିରି କରିଥିଲେ । ହେଲେ ପିଲା ବେଳୁ ସିନେମାରେ ନିର୍ଦ୍ଦେଶନା ଦେବା ପାଇଁ ତାଙ୍କର ରହିଥିବା ଦୁର୍ବଳତା ତାଙ୍କୁ ସିନେମା ଜଗତକୁ ଟାଣି ନେଇଥିଲା । ମୁମ୍ବାଇରେ ୨ଟି ହିନ୍ଦୀ ଫିଲ୍ମରେ କାମ କରିଥିବା ବେଳେ ପରେ ସେ ୨୦୧୯ ମସିହାରେ ହାଇଦ୍ରାବାଦ ଆସି ସାଉଥ ଇଣ୍ଡଷ୍ଟ୍ରିରେ କାମ କରିଥିଲେ ।
ମିଲନ କୁମାର ନାୟକଙ୍କ ଫିଲ୍ମି କ୍ୟାରିଅର:ମିଲନ ନିଜ କ୍ୟାରିଅରରେ ୪ଟି ଫିଲ୍ମରେ ସହ ନିର୍ଦ୍ଦେଶନା ଦେଇଛନ୍ତି । ଦୁଇଟି ହିନ୍ଦୀ ଏବଂ ଦୁଇଟି ତେଲୁଗୁ ଫିଲ୍ମରେ ସେ ସହ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତିଲାଇଛନ୍ତି । ସିନେମା ଲୁପ୍ତ ଓ ମୋଦି ଜି କି ବେଟି ସହକାରୀ ନିର୍ଦ୍ଦେଶକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ । ଏହାପରେ ସେ ସାଉଥରେ ପାଦ ଦେବା ସହ ଦୁଇଟି ତେଲୁଗୁ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ । ହେଲେ ଚଳିତ ମାସରେ ମୁକ୍ତିଲାଭ କରିଥିବା ତେଲୁଗୁ ସିନେମା 'ହନୁମାନ'ରେ ତାଙ୍କର ଭୂମିକା ସର୍ବାଧିକ ରହିଛି ।
ଏଥିରେ ସେ ସେଟ୍ ହ୍ୟାଣ୍ଡେଲ, ପୋଷ୍ଟ ପ୍ରଡକ୍ସନ ଓ ଷ୍ଟୋରି ଡେଭଲପମେଣ୍ଟ ଦାୟିତ୍ଵ ତୁଲାଇଛନ୍ତି । ଏଥିସହ ବିଭିନ୍ନ ମୂହୁର୍ତ୍ତରେ ତାଙ୍କ ନିର୍ଦ୍ଦେଶନାରେ ଆଗକୁ ବଢିଥିଲା ସିନେମା । ଯାହାକି ଆଜି ଉକ୍ତ ସିନେମାକୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ତେବେ ଆଗକୁ ନିର୍ଦ୍ଦେଶନା କ୍ଷେତ୍ରରେ ଭଲ କାମ କରି ଆଗାମୀ ଦିନରେ ଜଣେ ନିର୍ଦ୍ଦେଶକ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି ମିଲନ । ସୁଯୋଗ ମିଳିଲେ ଓଡ଼ିଆ ଫିଲ୍ମ ପ୍ରସ୍ତୁତ କରିବେ ବୋଲି ସେ ମତ ରଖିଛନ୍ତି ।