ନୂଆପଡା:ମୃତ ହିତାଧିକାରୀଙ୍କ ନାଁ ରେ ଚାଲିଛି ସରକାରୀ ଚାଉଳ ଚୋରି । ସାଧାରଣ ଲୋକଙ୍କ ଅଧିକାର ହଡପ କରୁଛନ୍ତି ବାହୁବଳୀ । ଆଉ ଏହି ସବୁ କଳା କାରନାମାର କରିତକର୍ମା ସାଜିଛନ୍ତି ସରପଞ୍ଚଙ୍କ ପୁତୁରା । ଏଭଳି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମପଞ୍ଚାୟତରେ । ମଖାପଦର ଗ୍ରାମପଞ୍ଚାୟତରେ ଗରିବ ହିତାଧିକାରୀଙ୍କ ରାସନ କାର୍ଡରେ ବ୍ୟାପକ ଅନିୟମିତତା ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଲିଆଡ଼ ଗ୍ରାମର ମୃତ ରାସନ କାର୍ଡ ହିତାଧିକାରୀଙ୍କ ଭାଇ ପୁଅ ମୋତିଲାଲ ତାଣ୍ଡି ।
ଏହା ମଧ୍ୟ ପଢନ୍ତୁ ...ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା; ମାସକୁ ୨୦୦୦, ୮୦ ବର୍ଷରୁ ଊର୍ଦ୍ଧ୍ବଙ୍କୁ ୨୫୦୦
ମୃତ ହିତାଧିକାରୀଙ୍କ ନାମ ହେଉଛି ତୁଲାରମ ତାଣ୍ଡି ଓ ବୃନ୍ଦାଦେଇ ତାଣ୍ଡି । ସୂଚନା ଅନୁଯାୟୀ ଅଭିଯୋଗକାରୀ ମୋତିଲାଲଙ୍କ ବଡବାପା ତୁଲାରମ ତାଣ୍ଡି,ବଡମାଆ ବୃନ୍ଦାଦେଇ ତାଣ୍ଡି ଆଜକୁ ଦୁଇବର୍ଷ ପୂର୍ବେ ମୃତ୍ୟୁବରଣ କରିଛନ୍ତି । ମୃତ ରାସନକାର୍ଡ଼ ଧାରୀଙ୍କ ନିଜ କୌଣସି ପୁଅ କିମ୍ବା ଝିଅ ନାହାଁନ୍ତି । ଏହାର ସୁଯୋଗ ନେଇ ରାସନକାର୍ଡ ଚଞ୍ଚକତା କରିଥିବା ଜଣାପଡିଛି । ମୃତକ ଜଣକ ଅନ୍ତ୍ୟୋଦୟ ପରିବାରଭୁକ୍ତ ରାସନ କାର୍ଡରେ ସାମିଲ ଥିଲେ । ରାସନକାର୍ଡଧାରୀ ମୃତ୍ୟୁ ବରଣ କଲାପରେ ନିୟମ ଅନୁସାରେ ରାସନକାର୍ଡ ରଦ୍ଦ ହୋଇଯିବା କଥା । କିନ୍ତୁ ମଖାପଦର ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଅବିବାହିତ ପୁତୁରା ଲଳିତ ତାଣ୍ଡି ମୃତ ହିତାଧିକାରୀମାନଙ୍କ ନାଁରେ ରାସନ କାର୍ଡ଼ରୁ ଦୀର୍ଘ ବର୍ଷ ହେବ ଚାଉଳ ହଡପ କରିଚାଲିଛନ୍ତି ।