ପୁରୀ:ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଯାହାକୁ ନେଇ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଏଥିପାଇଁ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି । ଗତକାଲି ତିନି ରଥର ଚାରି ନାହାକା ଗୁଡ଼ିକର ଅଗ ଓ ମୂଳ ସାଲ ସହ ତିନି ରଥର ମୋଟ ୨୫ ଗୋଟି ଦଣ୍ଡାର ନିର୍ମାଣ ଶେଷ ହୋଇ ଦଣ୍ଡା ଗୁଡ଼ିକର ଦୁଇ ମୁଖ ସାଲ କାର୍ଯ୍ୟ ଶେଷ ହୋଇଥିଲା । ଆଜି ତିନି ରଥର ଦଣ୍ଡା ଫ୍ରେମ ପ୍ରସ୍ତୁତି ଶେଷ ହୋଇଛି ।
3 ରଥର ପାଞ୍ଚ ଦଣ୍ଡାରେ ମୁହାଁଟି ସଂଯୋଗ ପରେ ଆଗ ଓ ପଛ ନିରାଡ଼ି ଉଠି ପାର୍ଶ୍ୱ ଦଣ୍ଡାରେ କୁଡୁକା ଲାଗି ହୋଇ ପାର୍ଶ୍ଵ ନିରାଡି ପଡ଼ିଛି । ଏହାର ଆଗ ଆଣି ମୁହାଁଟରେ ପାଞ୍ଚୋଟି ସାଲ ଗୁଜ ଏବଂ ପଛ ଆଣି ମୁହାଁଟରେ ତିନୋଟି ଜଳଯନ୍ତ୍ର ଏବଂ ଦୁଇ ପାର୍ଶ୍ୱରେ ଗୋଟିଏ ଗୋଟିଏ କୋଣ ଗୁଜ ଉଠି ସେହି ଗୁଜ ଉପରେ ବିରାଡ଼ି ସଂଯୋଗ ହୋଇ ଦଣ୍ଡାଫ୍ରେମ୍ ପ୍ରସ୍ତୁତି ଶେଷ ହୋଇଛି । ଏହି ଦଣ୍ଡା ପ୍ରେମ ପ୍ରସ୍ତୁତି କାର୍ଯ୍ୟ ମୁଖ୍ୟ ମହାରଣାମାନଙ୍କ ତତ୍ତ୍ୱାବଧାନରେ ସହିଯୋଗୀ ମହାରଣା ସେବକ ଏବଂ ଭୋଇ ସେବକମାନଙ୍କ ଦ୍ଵାରା ସମ୍ପନ୍ନ ହୋଇଛି । 3 ରଥର ଆଗ ଆଣି ପଛ ଆଣି ଢ଼ମକ ଚଉପଟ ଶେଷ ହୋଇଛି । ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ଦୁଇଟି ଲେଖାଏଁ ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି ।