ଓଡିଶା

odisha

ETV Bharat / state

କମଳା ମାଉସୀଙ୍କ ହାତ ତିଆରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ମୋଦି - Kamala send Rakhi to Modi

Kamala Kamala sent rakhi to PM Modi: କମଳା ମାଉସୀଙ୍କ ହାତ ତିଆରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ମୋଦି । ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଦିଲ୍ଲୀରେ ମୋଦିଙ୍କ ନିକଟକୁ ସ୍ନେହରେ ରାକ୍ଷୀ ପଠାଇଛନ୍ତି କମଳା । ପଢନ୍ତୁ ପୁରା ଖବର

କମଳା ମାଉସୀଙ୍କ ହାତ ତିଆରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ମୋଦି
କମଳା ମାଉସୀଙ୍କ ହାତ ତିଆରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ମୋଦି (ETV Bharat Odisha)

By ETV Bharat Odisha Team

Published : Aug 17, 2024, 4:56 PM IST

Updated : Aug 17, 2024, 7:02 PM IST

କେନ୍ଦ୍ରାପଡା:କେନ୍ଦ୍ରାପଡା ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ଆବାସକୁ ଗଲା ରାକ୍ଷୀ । କମଳା ମାଉସୀଙ୍କ ହାତ ତିଆରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ରାକ୍ଷୀ ପୂର୍ଣ୍ଣିମାର ଯଥେଷ୍ଟ ଦିନ ପୂର୍ବରୁ ସେ ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ଆବାସକୁ ସ୍ନେହରେ ରାକ୍ଷୀ ପଠାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କର ହାତ ତିଆରି ରାକ୍ଷୀ ପିନ୍ଧିବେ ବୋଲି ଆଶା ରଖିଛନ୍ତି । କମଳା ହେଉଛନ୍ତି ସେହି ମହିଳା, ଯାହାଙ୍କୁ ଦିନେ ନିଜର ରେଡ଼ିଓ କାର୍ଯ୍ୟକ୍ରମରେ ଭୂରି ଭୂରି ପ୍ରଶଂସା କରିଥିଲେ ମୋଦି । ଏଥିସହ ସେ ନିର୍ବାଚନ ପ୍ରଚାରରେ କେନ୍ଦ୍ରାପଡା ଆସିଥିବା ବେଳେ ତାଙ୍କୁ ଆଣ୍ଠୁ ମାଡି ପ୍ରଣାମ କରିଥିଲେ ।

କମଳା ମାଉସୀଙ୍କ ହାତ ତିଆରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ମୋଦି (ETV Bharat Odisha)

କମଳାଙ୍କ ହାତରେ ସୁନ୍ଦର ରୂପ ନିଏ ଅଲୋଡା ଜିନିଷ:

ଆବର୍ଜନା ଓ ଅଲୋଡା ଜିନିଷରୁ ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ ତିଆରି କରିବାର କମଳାଙ୍କ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ପରେ ସେ ହଠାତ୍ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଥିଲେ । କେନ୍ଦ୍ରାପଡା ଜିଲ୍ଲା ଗୁଲନଗର ପଞ୍ଚାୟତ ଖଇରାବାଦ ଗାଁରେ କମଳା ମହାରଣାଙ୍କ ଘର । ବୟସ ୬୫ ଛୁଇଁଲାଣି । ବୟସାଧିକ କାରଣରୁ ଆଉ ଆଖିକୁ ଠିକ ଭାବେ ଦେଖାଯାଉନି । ହେଲେ କମଳା ଏଣେତେଣେ ପଡିଥିବା ପଲିଥିନକୁ ପୁନଃ ବ୍ୟବହାର କରି ସେଥିରୁ ଡାଲା, ଚାଙ୍ଗୁଡ଼ି, ଶିକା, ଟୋପି ଇତ୍ୟାଦି ଘର ସଜାଇବା ଭଳି ବିଭିନ୍ନ ସାମଗ୍ରୀ ତିଆରି କରିଥାନ୍ତି । ଯାହାକୁ ନେଇ ସେ ସମଗ୍ର ରାଜ୍ୟରେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି ।

ଆମେ ପ୍ରତିଦିନ ବଜାରରୁ ଛୋଟ ବଡ଼ ସାମଗ୍ରୀକୁ ପଲିଥିନ ମାଧ୍ୟମରେ ଆଣିଥାଉ । ଆଉ ପରେ ସେହି ପଲିଥିନକୁ ଏଣେତେଣେ ଫୋପାଡ଼ି ଦେଇଥାଉ । ଯେଉଁଥିପାଇଁ ପରିବେଶ ଦୂଷିତ ହେବା ସହ ଗାଈଗୋରୁ ପଲିଥିନକୁ ଖାଇ ମୃତ୍ୟୁବରଣ କରିଥାନ୍ତି । ତେବେ ସେହି ପଲିଥିନରୁ ଭଳିକି ଭଳି ଘରକରଣା ଓ ସାଜସଜ୍ଜା ସାମଗ୍ରୀ ତିଆରି କରି ଏବେ ଚର୍ଚ୍ଚାରେ କମଳା ମାଉସୀ । ଫାଙ୍କା ସମୟରେ ନିଜ ଘରୁ ତଥା ଘର ବାହାରେ ପଡ଼ିଥିବା ବିଭିନ୍ନ ପ୍ରକାରର ପଲିଥିନକୁ ଗୋଟାଇ ଆଣନ୍ତି କମଳା । ସେସବୁକୁ ସଫା କରିବା ପରେ ସେଗୁଡିକୁ କାଟି ବସିପଡନ୍ତି ବୁଣାବୁଣି ଧନ୍ଦାରେ । ଏହି ବୁଣାବୁଣି କାମରେ ବ୍ୟବହୃତ ବେରୁହାଁ ଓ ଜୁଣକୁ ଧାନ କଟା ସମୟରେ ବିଲରୁ ଆଣିକି ରଖିଥାନ୍ତି । କଟା ଯାଇଥିବା ଜରି ଭିତରେ ଜୁଣ ଓ ବେରୁହାଁକୁ ଦେଇ ସୂତାରେ ଗୁଡ଼ାଇ ସେ ତିଆରି କରିଥାନ୍ତି ବିଭିନ୍ନ ପ୍ରକାରର ସାମଗ୍ରୀ ।

ପ୍ରଧାନମନ୍ତ୍ରୀ ପିନ୍ଧିବେ କମଳାଙ୍କ ରାକ୍ଷୀ:

ନିଜର ଏହି କାମ ସମ୍ପର୍କରେ କମଳା କହିଛନ୍ତି, "ଆଗରୁ ଜରି ଗୋଟାଇ ଆଳୁ ଅଖାର ଜରି ସୁତୁଲୀରେ ମୁଁ ବିଭିନ୍ନ କିସମର ଜିନିଷ ତିଆରି କରୁଥିଲି । ଏବେ ବାର ବନ୍ଧା ସୁତୁଲୀରେ ବିଭିନ୍ନ ଜିନିଷ ବୁଣୁଛି । ଏଣେତେଣେ ପଡିଥିବା ଜରିକୁ ମୁଁ ଲୁଚାଇ ସଂଗ୍ରହ କରେ ଓ ସେଥିରୁ ବିଭିନ୍ନ ଘରକରଣା ଓ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରେ । ୨୦୨୩ ଫେବୃଆରୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯୮ତମ "ମନ କି ବାତ୍"ରେ ମୋତେ ଭଉଣୀ ବୋଲି ସମ୍ବୋଧନ କରି ସ୍ୱଚ୍ଛ ଭାରତ ଅଭିଯାନର ଅଂଶ କହିବା ପରେ ଚାରିଆଡେ ମୋ ନାଁ ବିଖ୍ୟାତ ହୋଇଗଲା । ଏବେ ଲୋକମାନେ ମୋତେ ଜରି ଯାଚିକି ଆଣି ଦେଇ ଯାଉଛନ୍ତି, ମୁଁ ବି ଆଉ ଲୁଚାଇ ନ ଆଣି ସମସ୍ତଙ୍କ ସାମ୍ନାରେ ଜରି ଆଣୁଛି ।''

ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ବହୁତ ଇଚ୍ଛା ଥିଲା ହେଲେ ଭେଟି ପାରିନଥିଲି । ଚଳିତ ବର୍ଷ ମେ ୨୯ ତାରିଖରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡା ବାରୋ ପଡ଼ିଆକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ବେଳେ ମୋତେ ଡାକିଥିଲେ ଆଉ ମୁଁ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର କରିବାରୁ ସେ ମୋତେ ଆଣ୍ଠୁମାଡି ନମସ୍କାର କଲେ ଯାହାକି ମୋତେ କଷ୍ଟ ଦେଇଥିଲା । ଗତବର୍ଷ ମୁଁ ରାକ୍ଷୀ ପଠାଇଥିଲି ହେଲେ ତାହା ମିଳିଥିଲା କି ନାହିଁ ଜଣାନାହିଁ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଆଗରୁ ମୁଁ ରାକ୍ଷୀ ପଠାଇଛି ଓ ଆଶା କରୁଛି ସେ ରାକ୍ଷୀ ପାଇ ବାନ୍ଧିବେ" ବୋଲି କମଳା କହିଛନ୍ତି ।

ଏମିତି କହିଲେ କମଳାଙ୍କ ଶାଶୁ:

କମଳାଙ୍କ ଶାଶୁ ରେବତୀ ମହାରାଣା କହିଛନ୍ତି, "ସେ ଯୁଆଡେ ଯାଏ ରାସ୍ତାଘାଟରୁ ଲୁଚିକି ଜରି ଗୋଟାଇ ଘରକୁ ଆଣିଥାଏ । କାହିଁକି ଜରି ଆଣୁଛୁ ପଚାରିଲେ ସେ ବିଭିନ୍ନ କଥା ଭୁଲାଉଥିବାରୁ ମୁଁ ତାକୁ ଗାଳି କରେ । ଏବେ ମୋ ବୋହୂର ରାକ୍ଷୀକୁ ଦେଶର ପ୍ରଧାନମନ୍ତ୍ରୀ ନିଜ ହାତରେ ବାନ୍ଧିବେ, ସେଥିପାଇଁ ଆମେ ବହୁତ ଖୁସି ।'' ଏସବୁ ପରେ କମଳା ମହାରାଣା ନିଜ କାମକୁ ଆହୁରି ଗତିଶୀଳ କରିବାକୁ ଏବଂ ଗୋଷ୍ଠୀର ୨୩ ଜଣ ମହିଳାଙ୍କୁ କାର୍ଯ୍ୟ ଯୋଗାଇ ଦେବା ପାଇଁ ଏକ ଘରର ଆବଶ୍ୟକତା ଥିବା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ଏନେଇ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ସମ୍ପର୍କରେ ଏନେଇ ଗଣମାଧ୍ୟମରୁ ଅବଗତ ହେଲେ । ସେମାନଙ୍କୁ ଯାହା ସୁବିଧା ସୁଯୋଗ ଯୋଗାଇବା କଥା ସେଥିପାଇଁ ଜିଲ୍ଲା ପ୍ରଶାସନ ଅନୁଧ୍ୟାନ କରିବ ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Aug 17, 2024, 7:02 PM IST

ABOUT THE AUTHOR

...view details