ପୁରୀ:ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପରେ ଏହାର ମାନ ଯାଞ୍ଚ ହେବ । ମାନ ପରୀକ୍ଷା ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ନିଯୁକ୍ତ ହେବେ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଭଳି କହିବା ପରେ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରାଯାଇଛି । ମହାପ୍ରସାଦର ମାନ ଯାଞ୍ଚ ନିଷ୍ପତ୍ତି ହେଉଛି ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ବିରୋଧି । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଆଦୋ ଗ୍ରହଣ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ କହିଛି ।
ମହାପ୍ରସାଦ ମାନ ଯାଞ୍ଚକୁ ବିରୋଧ:
ଶ୍ରୀମନ୍ଦିର ରୋଷଘରେ ପ୍ରସାଦ ପ୍ରସ୍ତୁତି ପରେ ଏହା ମହାପ୍ରଭୁଙ୍କ ଠାରେ ଲାଗି ହୋଇଥାଏ । ଏହି ପ୍ରସାଦ ଶ୍ରୀମହାପ୍ରସାଦରେ ପରିଣତ ହୋଇଯାଏ । ମହାପ୍ରଭୁଙ୍କ ମହାପ୍ରସାଦ କାଣିଚାଏ ମିଳିଗଲେ ମହାପୂଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ମହାପ୍ରସାଦ ହେଉଛି କୋଟି କୋଟି ଜଗନ୍ନାଥ ପ୍ରୀମୀଙ୍କ ଆସ୍ଥା ଓ ଭକ୍ତିର ପ୍ରତୀକ । ମହାପ୍ରଭୁଙ୍କ ଠାରେ ଲାଗି ହୋଇଥିବା ମହାପ୍ରସାଦର ମାନ ଯାଞ୍ଚ ନେଇ ଚିନ୍ତା କରିବା ମହାପାପ । ତେଣୁ ମହାପ୍ରସାଦର ମାନ ଭଲ ରହିବା ପାଇଁ ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ଶ୍ରୀମନ୍ଦିରକୁ ଯାଉଥିବା ଚାଉଳ, ପନିପରିବା, ଘିଅ ଏବଂ ଅନ୍ୟାନ୍ୟ ସାମଗ୍ରୀର ଯାଞ୍ଚକୁ କଡ଼ାକଡ଼ି କରାଯାଉ । ଅତୀତରେ ଗଜପତି ମହାରାଜାଙ୍କ ଦ୍ଵାରା ମହାପ୍ରସାଦ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ଯାଞ୍ଚ ପାଇଁ ସ୍ବତନ୍ତ୍ର ସେବାୟତମାନଙ୍କୁ ନିଯୁକ୍ତି ଦିଆଯାଇଛି । ତେଣୁ ମହାପ୍ରସାଦର ମାନ ଖରାପ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସୁଆର ମହାସୁଆର ନିଯୋଗ କହିଛି । ସେହିପରି ମହାପ୍ରସାଦର ମାନ ଯାଞ୍ଚକୁ ଅନ୍ୟ ସେବାୟତ ଓ ଭକ୍ତ ମଧ୍ୟ ବିରୋଧ କରୁଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ଭକ୍ତ ଓ ସେବାୟତ କହିଛନ୍ତି ।
ଶ୍ରୀମନ୍ଦିରକୁ ଯାଉଥିବା ସାମଗ୍ରୀର ମାନ ଯାଞ୍ଚ ହେଉ:
ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆରକହିଛନ୍ତି, "ଶ୍ରୀମନ୍ଦିରରେ ମହାପ୍ରସାଦର ମାନ ଯାଞ୍ଚ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗଜପତି ମହାରାଜାଙ୍କ ପୂର୍ବରୁ ରହିଆସିଛି । ବିଭିନ୍ନ ସେବାୟତଙ୍କୁ ଏଥିପାଇଁ ନିଯୁକ୍ତି ଦିଆଯାଇଛି । ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ହେଉଥିବା ସମସ୍ତ ସାମଗ୍ରୀ ଚାଉଳ, ଡାଲି, ଘିଅ, ପରିବାକୁ ଯାଞ୍ଚ କରାଯାଇଥାଏ । ଏହାକୁ ସରକାର କଡ଼ାକଡ଼ି ଯାଞ୍ଚ କରିପାରିବେ । ଉତ୍ତମ ଗୁଣବତ୍ତା ଥିବା ସାମଗ୍ରୀ ଗଲେ ଭଲ ମାନର ମହାପ୍ରସାଦ ଭକ୍ତମାନେ ପାଇପାରିବେ । ମହାପ୍ରଭୁଙ୍କୁ ଲାଗି ପରେ ମହାପ୍ରସାଦର ଯାଞ୍ଚ କଦାପି ଗ୍ରହଣୀୟ ନୁହେଁ । ମହାପ୍ରସାଦ ହେଉଛି କୈବଲ୍ୟ । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରତୀକ । ମହାପ୍ରସାଦ ହେବା ପରେ ଏହାର ମାନ ଯାଞ୍ଚ କରିବା କୌଣସି ଆବଶ୍ୟକତା ନାହିଁ । ମହାପ୍ରସାଦ ପ୍ରସ୍ତୁତି ପାଇଁ ଯାଉଥିବା ପ୍ରତ୍ୟେକ ସାମଗ୍ରୀର ଯାଞ୍ଚ ସରକାର କରିବା ଉଚିତ ।"
ମହାପ୍ରସାଦକୁ ଯାଞ୍ଚ ନିଷ୍ପତ୍ତି ହାସ୍ୟାସ୍ପଦ କଥା:
ସେହିପରି ବରିଷ୍ଠ ସେବାୟତ ଶରତ ମହାନ୍ତିକହିଛନ୍ତି, "ମହାପ୍ରସାଦକୁ ଯାଞ୍ଚ କରିବା ନିଷ୍ପତ୍ତି ଏକ ହାସ୍ୟାସ୍ପଦ କଥା । ଯେଉଁ ମହାପ୍ରସାଦ ଉଚ୍ଚାରଣରେ ହିଁ ମନୁଷ୍ୟ ସାଯୁଜ୍ୟ ଲାଭ କରେ, ସେହି ମହାପ୍ରସାଦର ଦୋଷ ଦୁର୍ବଳତା ବାଛିବା ମୂର୍ଖତାର କାର୍ଯ୍ୟ । ଏହା ଭାବିବା ହିଁ ପାପ । ଯଦି ଯାଞ୍ଚ କରିବାର ଅଛି ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ଶ୍ରୀମନ୍ଦିରକୁ ଯାଉଥିବା ସାମଗ୍ରୀର ମାନ ଯାଞ୍ଚ ହେଉ । ମହାପ୍ରସାଦ ଯାଞ୍ଚ ନିଷ୍ପତ୍ତି ଅଧିକାର କିଏ ଦେଲା । ଯେଉଁ ମହାପ୍ରସାଦ ପାଇବା ପାଇଁ ଶଙ୍କର ଭଗବାନ, ମା' ବିମଳା ଚାହିଁ ବସିଥାନ୍ତି । ସେହି ମହାପ୍ରସାଦକୁ କ'ଣ ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ କରିବ ?"
ମହାପ୍ରସାଦକୁ ଯାଞ୍ଚ ଗ୍ରହଣୀୟ ନୁହେଁ: