ପୁରୀ:ମହାପ୍ରଭୁଙ୍କ ବନକଲାଗି ନୀତି ଆଜି(ଶୁକ୍ରବାର) ସମ୍ପନ୍ନ ହେବାକୁ ଯାଉଛି । ଅଣସରର ଚତୁର୍ଦ୍ଦଶୀ ତିଥିରେ ଦତ୍ତ ମହାପାତ୍ର ସେବାୟତଙ୍କ ଦ୍ବାରା ଖଡି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ଏହି ସମୟରେ ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯାଇଥାଏ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୂପା ଥାଳିରେ ଆଣି ଗଜପତି ମହାରାଜାଙ୍କୁ ପ୍ରସାଦ ଅର୍ପଣ କରିବେ। ଏହାପରେ ଦତ୍ତମହାପାତ୍ର ସେବାୟତମାନେ ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ ।
ଚଳିତ ବର୍ଷ ୧୩ ଦିନ ଅଣସର ପଡୁଥିବା ବେଳେ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ଭକ୍ତମାନେ ବଞ୍ଚିତ ରହିବେ। ସେହିପରି ରଥଯାତ୍ରା ଦିନ ମହାପ୍ରଭୁଙ୍କର ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଅନେକ ଗୁଡ଼ିଏ ନୀତିକାନ୍ତି ରହିଛି । ସେପଟେ ଦୁଇଦିନ ପରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରାକୁ ନେଇ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଉଛି ।
ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଏହାକୁ ନେଇ ପୁରୀ ଟାଉନ ହଲଠାରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଗତକାଲି(ଗୁରୁବାର) ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଡିଜି, ଏଡିଜିଙ୍କ ସହ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିଲ୍ ହୋଇଥିଲେ। ତେବେ ଚଳିତ ବର୍ଷ ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ପରିଚାଳନା କରିହେବ ସେନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ ।