ରାଇରଙ୍ଗପୁର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ । କେନ୍ଦୁଝର ଜିଲ୍ଲା ଗସ୍ତ ପୂର୍ବରୁ ରାଇରଙ୍ଗପୁର ପ୍ରଜାପିତା ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଭଉଣୀମାନଙ୍କୁ ଓ କିଛି ସମ୍ପର୍କୀୟଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେ ନିଜ ବାସଭବନରେ ଜଳଖିଆ କରିଛନ୍ତି । ମହାମହିମଙ୍କ ପାଇଁ ସୁସ୍ବାଦୁ ଖାଦ୍ୟ ଆଣିଥିଲେ ପ୍ରଜାପିତା ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଭଉଣୀମାନେ । ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରା ଯାଇଛି। ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି।
ମହାମହିମଙ୍କ କାରକେଡକୁ ତନ୍ନତନ୍ନ କରି ସନ୍ଧାନୀ କୁକୁର ଓ ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଉଛି । ଆଜି ସକାଳ ସମୟରେ ଖୋର୍ଦ୍ଧା ଜିଲ୍ଲାରୁ ପ୍ରଭାତି ବୈରିଗଞ୍ଜନ ନାମକ ଜଣେ ଅସହାୟ ମହିଳା ଆସି ରାଷ୍ଟ୍ରପତିଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି । ତାଙ୍କ ପୁଅର ହାତ ନ ଥିବାରୁ ଚାକିରି ନିମନ୍ତେ ରାଷ୍ଟ୍ରପତିଙ୍କ ନିକଟରେ ସୁରକ୍ଷା କର୍ମୀଙ୍କ ଜରିଆରେ ଏକ ଦାବି ପତ୍ର ଦେଇଛନ୍ତି । ବର୍ତ୍ତମାନ ରାଷ୍ଟ୍ରପତି କେନ୍ଦୁଝର ଜିଲ୍ଲାରେ ପହଞ୍ଚିଛନ୍ତି । ସେଠାରେ ଗୋନାସିକା ଗ୍ରାମକୁ ଯାତ୍ରା କରି ଉତ୍ପାଦିକା ସଂଘ ସହ ଆଲୋଚନା କରିବାର କାର୍ଯ୍ଯକ୍ରମ ରହିଛି। ପରେ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ଧରଣୀଧର ବିଶ୍ବବିଦ୍ୟାଳୟରରେ କେନ୍ଦୁଝର ଜନଜାତି ସଂସ୍କୃତି ଉପରେ ଆୟୋଜିତ ଜାତୀୟ ପାଠ୍ୟଚକ୍ର ରେ ରାଷ୍ଟ୍ରପତି ସାମିଲ ହେବେ । ସେହିପରି ଭୁବନେଶ୍ବର ଗସ୍ତ କରି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।