ଓଡିଶା

odisha

ETV Bharat / state

ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ ପୁରୀ, ଉତ୍ତମ ଆତିଥ୍ୟ ଉପରେ ଗୁରୁତ୍ବ - PRAVASI BHARATIYA DIVAS

ପ୍ରବାସୀ ଭାରତୀୟ ଦିବସ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ହୋଟେଲ ଆସୋସିଏସନର ମିଳିତ ପ୍ରସ୍ତୁତି । ଉତ୍ତମ ଆତିଥ୍ୟ ଉପରେ ଦିଆଯିବ ଗୁରୁତ୍ବ ।

Pravasi Bharatiya Divas 2025
Pravasi Bharatiya Divas 2025 (ETV Bharat Odisha)

By ETV Bharat Odisha Team

Published : Jan 3, 2025, 1:06 PM IST

ପୁରୀ:ଆସନ୍ତା ୮ରୁ ୧୦ ତାରିଖ ଯାଏଁ ଭୁବନେଶ୍ବରରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ଏହି କାର୍ଯ୍ୟକ୍ରମରେ ସାରା ବିଶ୍ବରୁ ପ୍ରବାସୀ ଭାରତୀୟମାନେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡ଼ିଶା ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଏହି ଅବସରରେ ପ୍ରବାସୀ ଭାରତୀୟମାନେ ପୁରୀର ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ କୋଣାର୍କ, ରାମଚଣ୍ଡୀ, ସାତପଡ଼ା, ଐତିହ୍ୟ ଗ୍ରାମ ରଘୁରାଜପୁର ଏବଂ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବେ । ତେବେ ପୁରୀକୁ ପ୍ରବାସୀ ଭାରତୀୟମାନେ ଆସୁଥିବାରୁ ସେମାନଙ୍କୁ ଭଲ ଅତିଥି ସେବା ଯୋଗାଇଦେବାକୁ ପୁରୀ ଜିଲ୍ଲା ପ୍ରଶାସନ ଓ ହୋଟେଲ ଆସୋସିଏସନ ମିଳିତ ଭାବରେ ଏବେ ପ୍ରସ୍ତୁତି କରିଛନ୍ତି । ପୁରୀରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Pravasi Bharatiya Divas 2025 (ETV Bharat Odisha)


'ପ୍ରବାସୀ ଭାରତୀୟଙ୍କୁ ଉତ୍ତମ ଆତିଥ୍ୟ ପ୍ରଦାନ କରାଯିବ':
"ପ୍ରବାସୀ ଭାରତୀୟ ଦିବସ ଆଗାମୀ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ରହିଛି । ଏ ବିଷୟରେ ପ୍ରଶାସନ ସହ ଆମର ଆଲୋଚନା ହୋଇଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଓଡ଼ିଶାକୁ ଏକ ଉପହାର । ଓଡ଼ିଶା ପାଇଁ ଏକ ଗୌରବ କଥା । ପ୍ରବାସୀ ଭାରତୀୟମାନେ ଆସିଲେ ଆମର ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିବ । ଏହାଦ୍ବାରା ଆଗାମୀ ଦିନରେ ବିଦେଶରୁ ବହୁତ୍ ପର୍ଯ୍ୟଟକ ଆମ ପାଖକୁ ଆସିବେ । ପୁରୀରେ ସବୁ ହୋଟେଲକୁ ଅନୁରୋଧ କରିଛୁ ଯେ, ବିଦେଶରେ ରହୁଥିବା ଭାରତୀୟମାନେ ପୁରୀ ସହରର ବିଭିନ୍ନ ନାମିଦାମୀ ହୋଟେଲରେ ରହିବାକୁ ଥିବାରୁ ହୋଟେଲ ଗୁଡ଼ିକୁ ରଙ୍ଗୀନ୍ ଆଲୋକମାଳାରେ ସଜାଯିବ । ଏହାସହ ପରିଷ୍କାର ପରିଚ୍ଛନ୍ନ ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବେ । ସେହିପରି ପ୍ରବାସୀ ଭାରତୀୟମାନେ ଯେଭଳି ଓଡିଆ ପାରମ୍ପରିକ ଖାଦ୍ୟର ମଜା ନେଇପାରିବେ ସେଥିପାଇଁ ପୁରୀର ନାମିଦାମୀ ହୋଟେଲ ଗୁଡ଼ିକରେ ଓଡିଶାର ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପ୍ରବାସୀ ଭାରତୀୟଙ୍କୁ ଦିଆଯିବ । ପାରମ୍ପରିକ ଢଙ୍ଗରେ ପ୍ରବାସୀଙ୍କୁ ହୋଟେଲ ଗୁଡିକରେ ସ୍ବାଗତ କରାଯିବ ।" ବୋଲି କହିଛନ୍ତି ପୁରୀ ହୋଟେଲ୍ ଆସୋସିଏସନର ଉପସଭାପତି ରାଜ କିଶୋର ପାତ୍ର

Pravasi Bharatiya Divas 2025 (ETV Bharat Odisha)

'ପ୍ରବାସୀ ଭାରତୀୟଙ୍କ ଆଗମନ, ପର୍ଯ୍ୟଟନ ଶିଳ୍ପର ହେବ ଅଭିବୃଦ୍ଧି':

ପୁରୀ ହୋଟେଲ ଆସୋସିଏସନ ସଭାପତି ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, "ପ୍ରବାସୀ ଭାରତୀୟମାନେ କିଭଳି ଭଲ ଆଥିତ୍ୟ ପାଇବେ ତାହା ଆମେ ଗୁରୁତ୍ଵ ଦେଉଛୁ । ଏନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ପ୍ରବାସୀମାନେ ଭଲ ଆଥିତ୍ୟ ପାଇଲେ ପୁରୀରୁ ଏକ ଭଲ ବାର୍ତ୍ତା ଯିବ । ଆଗାମୀ ଦିନରେ ଆହୁରି ଅନେକ ପ୍ରବାସୀ ପୁରୀକୁ ଆସିବେ । ଏହାଦ୍ବାରା ପର୍ଯ୍ୟଟନ ଶିଳ୍ପ ଲାଭବାନ ହେବ ।

Pravasi Bharatiya Divas 2025 (ETV Bharat Odisha)
ପ୍ରବାସୀ ଭାରତୀୟଙ୍କ ମନୋରଞ୍ଜନ ପାଇଁ ବିଚ୍ ଫେଷ୍ଟିଭାଲ:ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, "ପ୍ରବାସୀ ଭାରତୀୟମାନେ ପୁରୀରେ ଏକ ନିଆରା ଅନୁଭୂତି ପାଇବା ପାଇଁ ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ବେଳାଭୂମିରେ ପୁରୀ 'ବିଚ୍ ଫେଷ୍ଟିଭାଲ' ଅନୁଷ୍ଠିତ ହେବ । ଏହି ବିଚ୍ ଫେଷ୍ଟିଭାଲରେ ଓଡିଶାର ପାରମ୍ପରିକ ନୃତ୍ୟକଳା ସହିତ ବିଭିନ୍ନ ଲୋକପ୍ରିୟ ସଂଗୀତ ପରିବେଷଣ କରାଯିବ । ବଲିଉଡ଼ର ନାମିଦାମୀ କଣ୍ଠଶିଳ୍ପୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ରହିଛି । ବିଚ୍ ଫେଷ୍ଟିଭାଲରେ ୫ ହଜାର ଦର୍ଶକ ବସି କାର୍ଯ୍ୟକ୍ରମକୁ ଉପଭୋଗ କରିବାର ବ୍ୟବସ୍ଥା କରାଯିବ। ଫୁଡ୍ ଫେଷ୍ଟିଭାଲରେ ୮୦ଟି ଫୁଡ୍ କୋଟ ଖୋଲିବାକୁ ଥିବାବେଳେ ଏଥିରେ ବିଭିନ୍ନ ଜିଲ୍ଳାର ପ୍ରସିଦ୍ଧ ଖାଦ୍ୟ ଉପଲବ୍ଧ ହେବ । ଏହା ମଧ୍ୟରେ ୧୫୦ଟି ଷ୍ଟଲ୍ ଥିବା ହସ୍ତଶିଳ୍ପ ଏବଂ ହସ୍ତକଳା ସାମଗ୍ରୀର ଷ୍ଟଲ୍ ଖୋଲାଯିବ । ପ୍ରବାସୀ ଭାରତୀୟମାନେ ଓଡ଼ିଶାର କଳା ସାମଗ୍ରୀ ଠାରୁ ନେଇ ହସ୍ତତନ୍ତ ଆଦି କିଣିବାର ସୁଯୋଗ ପାଇବେ । ବିଚ୍ ଫେଷ୍ଟିଭାଲକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହିତ ‌ବିଭିନ୍ନ ଡିଜାଇନର ଗୁଡ଼ି ଉଡା ପର୍ବ ମଧ୍ୟ ଅନୁଷ୍ଠିତ ହେବ । ଏଥିସହିତ ପିଲାମାନଙ୍କ ପାଇଁ ପେଣ୍ଟିଂ ପ୍ରତିଯୋଗିତା ସହିତ ମ୍ୟାଜିକ ସୋ' ଏବଂ ବିଭିନ୍ନ ଖେଳ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ଆକର୍ଷଣୀୟ ଡ୍ରୋନ୍ ଏବଂ ଲେଜର ସୋ' ସହ ଆତସବାଜି ପ୍ରଦର୍ଶନ ହେବ । ସମଗ୍ର ବିଶ୍ୱରୁ ଆସିବାକୁ ଭାରତୀୟମାନେ ଯେପରି ସୁଖଦ ଅନୁଭବ ସହ ଉତ୍ତମ ଆତିଥ୍ୟ ନେଇ ଫେରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ପହଞ୍ଚିଲା ଡବଲ-ଡେକର ବସ, ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଲାଣି ରାଜଧାନୀ

ଏହା ମଧ୍ୟ ପଢ଼ନ୍ତୁ...‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ


ପ୍ରବାସୀଙ୍କ ଆଗମନକୁ ନେଇ ଉତ୍ସାହିତ ହୋଟେଲିୟର :

ପୁରୀକୁ ପ୍ରବାସୀ ଭାରତୀୟମାନଙ୍କ ଆଗମନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ହୋଟେଲିୟର । ପ୍ରବାସୀ ଭାରତୀୟଙ୍କ ଆଗମନ ଫଳରେ ଓଡ଼ିଶା ଏବଂ ପୁରୀର‌ ପର୍ଯ୍ୟଟନ ଶିଳ୍ପ ସାରା ବିଶ୍ବରେ ଆହୁରି ବ୍ୟାପକ ପ୍ରଚାର ପ୍ରସାର ହେବ । ଏହାଦ୍ବାରା ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଏବଂ ପୁରୀ ଆସିବା ଫଳରେ ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହେବା ସହିତ ସ୍ଥାନୀୟ ଲୋକଙ୍କର ଜୀବନଜୀବିକା ସହ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ । ତେଣୁ ପୁରୀରେ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୁରୀ ହୋଟେଲ ଆସୋସିଏସନ୍ ସମସ୍ତେ ଏବେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details