ଭୁବନେଶ୍ବର:ଓଡ଼ିଶା ଆସିବେ ଅତିଥୀ । ଆସନ୍ତା 8ରୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଓଡ଼ିଶା ପର୍ଯ୍ୟଟନର ଅନୁଭୂତି ସାଉଁଟିବେ ପ୍ରବାସୀ ଭାରତୀୟ । ନନ୍ଦନକାନନ, ସାତପଡା, ଚିଲିକା ବୁଲିବେ । ଓଡ଼ିଶା ପର୍ଯ୍ୟଟନକୁ ଅତିପାଖରୁ ଦେଖିବେ, ସ୍ମୃତି ସାଉଁଟିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ବନ୍ୟଜନ୍ତୁ ପର୍ଯ୍ୟଟନର ଅନୁଭୂତି ନେବେ ପ୍ରବାସୀ ଭାରତୀୟ:
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି କି, ‘ଓଡ଼ିଶାର ବନ୍ୟଜନ୍ତୁ ପର୍ଯ୍ୟଟନର ଅନୁଭୂତି ନେବେ ପ୍ରବାସୀ ଭାରତୀୟ । ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରବାସୀ ଭାରତୀୟ ମାନେ ବୁଲିବେ ନନ୍ଦନକାନନ ଚିଡ଼ିଆଖାନା । ଏହାସହ ସେମାନେ ସାତପଡ଼ା ଓ ଚିଲିକାର ବରକୁଳ ଯାଇ ବିଭିନ୍ନ ପ୍ରଜାତିର ପକ୍ଷୀ ଓ ଡଲଫିନ ଦେଖିବାର ସୁଯୋଗ ପାଇବେ ।’
ମନ୍ତ୍ରୀ ଆହୁରି କହିଛନ୍ତି, "ଜାନୁଆରୀ ୬ରୁ ଆରମ୍ଭ ହେବ ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ । ଜାନୁଆରୀ ୬ ତାରିଖରେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଉତ୍ସବର ଉଦଘାଟନ କରିବେ । ୭ ଦିନ ଧରି ୧୨ ତାରିଖ ଯାଏଁ ଚାଲିବ ଚିଲିକା ବିହଙ୍ଗ ଉତ୍ସବ । ଏଥିରେ ବହୁ ପରିବେଶବିତ୍, ପରିବେଶ ବିଜ୍ଞାନୀ ଓ ପକ୍ଷୀପ୍ରେମୀ ଅଂଶଗ୍ରହଣ କରିବେ । ୬ରୁ ୮ ତାରିଖ ମଧ୍ୟରେ ୬୦ ଜଣ ଫଟୋଗ୍ରାଫରଙ୍କୁ ନଳବଣ ଓ ମଙ୍ଗଳା ଯୋଡ଼ିରେ ଫଟୋଗ୍ରାଫି କରିବାର ସୁଯୋଗ ମିଳିବ । ସେହିପରି ବିଭିନ୍ନ ଚିତ୍ରକଳା ମହାବିଦ୍ୟାଳୟ ଓ ଅନୁଷ୍ଠାନ ପକ୍ଷରୁ ପାରମ୍ପରିକ ଚିତ୍ରକଳା ପ୍ରଦର୍ଶନୀ ହେବ ।’
ଜାନୁଆରୀ ୧୭-୧୮ରେ ହେବ ପକ୍ଷୀ ଗଣନା:
ଜାନୁଆରୀ ୧୭-୧୮ରେ ହେବ ପକ୍ଷୀ ଗଣନା । ଚଳିତ ବର୍ଷ ଚିଲିକା, ହୀରାକୁଦ, ଅଂଶୁପା, ଭିତରକନିକା ଆଦି ସମସ୍ତ ଜଳାଶୟରେ ଏକକାଳୀନ ହେବ ପକ୍ଷୀ ଗଣନା । ପକ୍ଷୀ ଗଣନାରେ ବ୍ୟବହାର ହେବ ଟେକ୍ନୋଲଜି । ପ୍ରଥମ ଥର ଲାଗି ଚଳିତ ପକ୍ଷୀ ଗଣନା ବେଳେ ସାଟେଲାଇଟ୍ କଲାର ରିଙ୍ଗ ଜରିଆରେ କିଛି ବିଦେଶାଗତ ପକ୍ଷୀଙ୍କ ଉପରେ ରଖାଯିବ ନଜର । ବିଶେଷଜ୍ଞଙ୍କ ସହାୟତାରେ ଫ୍ଲେମିଙ୍ଗୋ, ବାର ହେଡେଡ୍ ଗିଜ୍, ପିନ ଟେଲ, ବ୍ଲାକ ଟେଲଡ୍ ଗଡୱିଟ ଭଳି ୧୦ଟି ପକ୍ଷୀ ଗୋଡ଼ରେ ଲଗାଯିବ ସାଟେଲାଇଟ୍ କଲାର୍ ରିଙ୍ଗ ।
ସୂଚନା ଥାଉକି, ଗତବର୍ଷ ଚିଲିକାକୁ ଆସିଥିଲେ ୧୮୪ ପ୍ରକାର ପ୍ରଜାତିର ୧୧ ଲକ୍ଷରୁ ଅଧିକ ପକ୍ଷୀ । ସେହିପରି ପକ୍ଷୀ ଓ କଇଁଛଙ୍କ ପାଇଁ ଚିଲିକାରେ ସ୍ଥାପନ ହେବ ସ୍ବତନ୍ତ୍ର ରିସର୍ଚ୍ଚ ସେଣ୍ଟର । ଏହା ଜରିଆରେ ପକ୍ଷୀ ଓ କଇଁଛଙ୍କ ଗତିବିଧି ଉପରେ ଲଗାତାର ନଜର ରଖାଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ଏହା ମଧ୍ୟ ପଢନ୍ତୁ: |