ଖୋର୍ଦ୍ଧା:ଜଙ୍ଗଲ ମୁହାଁ ବ୍ରାଉନସୁଗାର ବେପାରୀ ।ବ୍ରାଉନସୁଗାର ବେପାରର ନୂଆ ଆଡ୍ଡାସ୍ଥଳୀ । ଘଞ୍ଚ ଜଙ୍ଗଲ ମଧ୍ୟରେଗଛ ଉପରେ ମଞ୍ଚା ବାନ୍ଧି ଚାଲିଥିଲା ବ୍ରାଉନସୁଗାର । ମାଡି ବସିଲା ପୋଲିସ୍ । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପାଇକତିଗିରିଆ ଓ ତରତୁଆ ନିକଟରେ ଥିବା ଜଙ୍ଗଲର ଗଛ ଉପରେ ମଞ୍ଚା କରି ରହୁଥିବା ନିଶା ବେପାରୀଙ୍କ ଆଡ୍ଡା ସ୍ଥଳକୁ ଖୋର୍ଦ୍ଧା ପୋଲିସି ଭାଙ୍ଗିବା ସହିତ ମାରଣାସ୍ତ୍ରକୁ ଜବତ କରିଛି ।
ସୂଚନା ଅନୁସାରେ, କିଛି ଦିନ ଧରି ଖୋର୍ଦ୍ଧା ପୋଲିସ ପକ୍ଷରୁ ଖୋର୍ଦ୍ଧା ସହର ସମେତ ଆଖପାଖ ଅଞ୍ଚଳରେ ବ୍ରାଉନ ସୁଗାର ବେପାର ଓ ବେପାରୀଙ୍କ ଉପରେ ଚଢାଉ କରାଯାଉଛି । ବ୍ରାଉନସୁଗାର ଶୂନ୍ୟ ଲକ୍ଷ୍ୟ ରଖିଛି ଖୋର୍ଦ୍ଧା ପୋଲିସ । ସେହିପରି କେତେକ ଅଭିଯୁକ୍ତଙ୍କୁ ଜେଲରୁ ରିମାଣ୍ଡରେ ଆଣି ପଚରାଉଚରା କରିବା ସହିତ ଖୋର୍ଦ୍ଧାକୁ କେଉଁ କେଉଁ ଅଞ୍ଚଳକୁ ଏହି ଚେର ଲମ୍ବିଛି ତାହାର ତଦନ୍ତ ଜାରି ରଖିଥିଲା । ଫଳରେ ବ୍ରାଉନ ସୁଗାର ବେପାରୀଙ୍କ ଏବେ ନିଦ ହଜିଯାଇଥିବା ବେଳେ ଖୋର୍ଦ୍ଧା ସହର ଓ ଗ୍ରାମାଞ୍ଚଳ ଛାଡି ଏବେ ନିଶା ବେପାରୀ ଜଙ୍ଗଲ ମୁହାଁ ହୋଇଛନ୍ତି । ଶିଳ୍ପାଞ୍ଚଳ ଥାନା ଅଧୀନ ପାଇକତିଗିରିଆ ଓ ତରତୁଆ ଜଙ୍ଗଲ ମଝିରେ କିଛି ନିଶା ବେପାରୀମାନେ ଗଛ ଉପରେ କାଠ ବାଉଁଶରେ ମଞ୍ଚ କରିଥିବା ସ୍ଥାନୀୟ ଗ୍ରାମବାସୀଙ୍କ ଛାରୁ ଖବର ପାଇଥିଲା ପୋଲିସ । ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓ ଦିଲ୍ଲୀପ କୁମାର ଦାସ, ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ, ଶିଳ୍ପାଞ୍ଚଳ ଥାନା ଅଧିକାରୀ ଗାୟତ୍ରୀ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଚଢାଉ କରିଥିଲେ ।