ବ୍ରହ୍ମପୁର/ରାଉରକେଲା:ଭାରତୀୟ ରେଳସେବାରେ ଯୋଡି ହେଲା ଆଉ 6ଟି ଅତ୍ୟାଧୁନିକ ସେମି-ସ୍ପିଡ ଟ୍ରେନ୍ ‘ବନ୍ଦେ ଭାରତ ଏକ୍ସପ୍ରେସ’ । ଝାଡଖଣ୍ଡର ଟାଟାନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ମୋଡରେ ସବୁଜ ପତାକା ଦେଖାଇ ଏହି 6ଟି ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରେ ଓଡିଶାର 3ଟି ଟ୍ରେନ ରହିଛି । ବ୍ରହ୍ମପୁର ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସାମିଲ ହୋଇଛନ୍ତି । ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଆଜି ଶୁଭାରମ୍ଭ ହୋଇଥିବା ‘ବନ୍ଦେ ଭାରତ ଏକ୍ସପ୍ରେସ’ ବ୍ରହ୍ମପୁର ଷ୍ଟେସନରୁ ଗଡିଛି । ଏହା ସହ ରାୟପୁର-ବିଶାଖାପାଟନମ ଓ ହାଓ୍ବଡା-ରାଉରକେଲା ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ମଧ୍ୟ ଆଜି ଶୁଭାରମ୍ଭ ହୋଇଛି । ଓଡିଶାରେ ପୂର୍ବରୁ 3ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଥିବା ବେଳେ ଆଜିକୁ ମିଶାଇ ଏହି ସଂଖ୍ୟା 6ରେ ପହଞ୍ଚିଛି ।
- ବ୍ରହ୍ମପୁରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ:-
ଟାଟାନଗରରୁ ପ୍ରଧାନମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିଥିବା ବେଳେ ବ୍ରହ୍ମପୁର ରେଳଷ୍ଟେସନରେ ଏହାକୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ବ୍ରହ୍ମପୁର ରେଳଷ୍ଟେସନରେ ଆୟୋଜିତ ସମାରୋହରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସକାଳ ସମୟରେ ସହରର ଗୋଷାଇଁ ନୂଆଗାଁ ସ୍ଥିତ କେ.ସି ହାଇସ୍କୁଲ ଖେଳପଡ଼ିଆରେ ହେଲିକପ୍ଟରରେ ଓହ୍ଲାଇବା ପରେ ବ୍ରହ୍ମପୁର ରେଳବାଇ ଷ୍ଟେସନର ଚାରି ନମ୍ବର ପ୍ଳାର୍ଟଫର୍ମରେ ଆୟୋଜିତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ସମାରୋହରେ ଯୋଗ ଦେଇଥିଲେ । ଭିଡିଓ କନଫରେନ୍ସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ରହି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିବା ବେଳେ ବ୍ରହ୍ମପୁର ଠାରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ପତକା ଦେଖାଇ ଟ୍ରେନ୍ର ଶୁଭାରମ୍ଭ କରିଥିଲେ ।
- କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ବୃନ୍ଦ:-
ବ୍ରହ୍ମପୁରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶନୀ,ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍, ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର, ଆସିକା ବିଧାୟକ ସରୋଜ ପାଢ଼ୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜର୍ ପରମେଶ୍ଵର ଫୁଙ୍କଲ, ଖୋର୍ଦ୍ଧାରୋଡ ସ୍ଥିତ ଡିଆର୍ଏମ୍ ଏଚ୍ଏସ୍ ବାଜୱା ପ୍ରମୁଖଙ୍କ ସମେତ ରେଳବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।