ନିମାପଡା:ପାଠ ପଢା ବୟସରେ ଜୀବନ ମରଣ ଲଢେଇ । ମାରାତ୍ମକ ରକ୍ତ କର୍କଟ ରୋଗ ସହ ସଂଘର୍ଷ କରୁଛି ୧୬ ବର୍ଷୀୟା ଲିଜା । ଏକମାତ୍ର ଝିଅର ଜୀବନ ବଞ୍ଚାଇବା ପାଇଁ ପରିବାର ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଆର୍ଥିକ ସାହାଯ୍ୟ କରିବାକୁ ଆକୁଳ ଅନୁରୋଧ କରିଛନ୍ତି ରକ୍ତ କର୍କଟ ପୀଡିତାଙ୍କ ମାଆ ବାପା ।
ରକ୍ତ କର୍କଟରେ ପୀଡିତ ଲିଜା:
ପୁରୀ ଜିଲ୍ଲା ପିପିଲି ରୂପଦେଇପୁର ପଞ୍ଚାୟତର ଶ୍ୟାମ ସୁନ୍ଦର ଦାସ । ଦିନ ମଜୁରିଆ ଭାବେ କାମ କରି ଦୁଃଖେ କଷ୍ଟେ ପରିବାର ପ୍ରତିପୋଷଣ କରନ୍ତି । ସ୍ତ୍ରୀ ଗୀତା ଦାସ ଓ ଏକମାତ୍ର ଝିଅ ଲିଜା ଦାସଙ୍କୁ ନେଇ ତାଙ୍କ ପରିବାର । ରୋଜଗାରରେ ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା ପରିବାର ଉପରେ ଦାଉ ସାଜିଲା ଦଇଦ । ହଠାତ ଅସୁସ୍ଥ ହୋଇପଡିଲେ ଶ୍ୟାମ ସୁନ୍ଦରଙ୍କ ୧୬ ବର୍ଷୀୟା ଝିଅ ଲିଜା । ହସ୍ପିଟାଲ ନେଇ ଦେଖାଇବାରୁ ଜଣାପଡିଲା ରକ୍ତ କର୍କଟରେ ପୀଡିତ ଲିଜା । ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିବା ପରିବାର ପାଇଁ ରକ୍ତ କର୍କଟ ଭଳି ରୋଗ ସହ ଲଢିବା ସହଜ ନୁହେଁ ।
ଚିକିତ୍ସାରେ ଅର୍ଥ ସାଜିଛି ବାଧକ:
ଯଦିଓ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଲିଜାର ଚିକିତ୍ସା ଆରମ୍ଭ ହୋଇଥିଲା କିନ୍ତୁ କାର୍ଡରେ ନିର୍ଦ୍ଧାରିତ ଅର୍ଥ ସରିଯିବାରୁ ଏବେ ଚିକିତ୍ସା ଅଧାରେ ଅଟକିଯାଇଛି । ଏକମାତ୍ର ଝିଅର ଜୀବନ ବଞ୍ଚାଇବାକୁ ଏବେ ମାଆବାପାଙ୍କ ପାଖରେ କୌଣସି ସମ୍ବଳ ନଥିବା ବେଳେ ଆର୍ଥିକ ସାହାଯ୍ୟ କରିବାକୁ ହାତ ପତାଇଛନ୍ତି ସେ । ଅନ୍ୟପଟେ ଏନେଇ ଖବର ପାଇ ନିମାପଡା ଅଞ୍ଚଳର ସମାଜସେବୀ ବିକ୍ରମ କେଶରୀ ସାମଲ ଏହି ପରିବାର ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି ।
ଏନେଇ ଗ୍ରାମବାସୀ ରାଜକିଶୋର ଦାସ କୁହନ୍ତି," ୧୬ ବର୍ଷର ଝିଅକୁ ବ୍ଲଡ କ୍ୟାନ୍ସର । ତା ବାପା ଶ୍ୟାମ ସୁନ୍ଦର ଦାସ ଦିନେ ଖାଇଲେ ଓଳିଏ ଉପାସ । ଘର ଖଣ୍ଡେ ଛପର କରିପାରୁ ନାହିଁ । ଝିଅକୁ ଭଲ କରିପାରୁନି । ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି କିମ୍ବା ସରକାର ଯଦି ସହାୟତା କରନ୍ତି ପିଲାଟି ଭଲ ହୋଇ ପାରନ୍ତା ।"
ଶ୍ୟାମ ସୁନ୍ଦରଙ୍କ ଆଉ ଜଣେ ସମ୍ପର୍କୀୟ କହିଛନ୍ତି," ୧୫-୧୬ ବର୍ଷର ଝିଅଟିକୁ ବ୍ଲଡ କ୍ୟାନ୍ସର ହୋଇଛି । ଗରିବ ଲୋକ ଖାଇବାକୁ ପାଉନି, ଜମିବାଡ଼ି ନାହିଁ । ଗାଁ ଗଣ୍ଡାରୁ କିଛି କିଛି ଚାନ୍ଦା ଭେଦା କରି ଟଙ୍କା ଦେଉଛନ୍ତି । ସେ ଡାକ୍ତରଖାନା ଯାଇ ଚିକିତ୍ସା ହେଉଥିଲା । ଯଦି ସରକାର କି ଆଉ କେହି ଦାନ କରନ୍ତେ ତାହାଲେ ଡାକ୍ତରଖାନା ଯାଇ ଝିଅଟି ଭଲ ହୁଅନ୍ତା ।"
'ବ୍ଲଡ କ୍ୟାନ୍ସର ଯୋଗୁ ପାଠ ପଢି ପାରୁନି':
ପୀଡ଼ିତା ଲିଜା ଦାସ କହିଛନ୍ତି," ମୋ ଦେହ ଖରାପ । ବ୍ଲଡ କ୍ୟାନ୍ସର ଯୋଗୁ ପାଠ ପଢି ପାରୁନି । ବାପା ମା ବହୁତ ଦୁଃଖରେ । ଆଉ ପଇସା ପତ୍ର କିଛି ନାହିଁ । ଡାକ୍ତରଖାନା ଯାଇପାରିଲିନି, ଯଦି କେହି ସାହାଯ୍ୟ କରନ୍ତେ ମୁଁ ଭଲ ହୋଇଯାଆନ୍ତି ।